Representational image
ଭୁବନେଶ୍ବର: ଗତ ୨୦ ବର୍ଷ ମଧ୍ୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ରାଜ୍ୟ ଅନେକ ସଫଳତା ହାସଲ କରିଛି। କୃଷି ଉତ୍ପାଦନକୁ ବୃଦ୍ଧି କରିବାର ଭରପୂର ସମ୍ଭାବନା ରହିଛି। ରାଜ୍ୟ ସରକାର କୃଷିକୁ ପ୍ରାଥମିକତା ପ୍ରଦାନ କରି କୃଷକମାନଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ମୃତ୍ତିକା ପରୀକ୍ଷଣ, ଉନ୍ନତ ମାନର ବିହନ ଓ ଜ୍ଞାନକୌଶଳ ବ୍ୟବହାର ତଥା ଫସଲର ବିବିଧୀକରଣ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିବ। ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର କରି ଉତ୍ପାଦନ ଖର୍ଚ୍ଚ କମ୍ କରାଯାଇପାରିବ। ସମସ୍ତ ଯୋଜନାର ଠିକ୍ କାର୍ଯ୍ୟାନ୍ବୟନ ଦିଗରେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଗ୍ରାମ୍ୟ କୃଷି କର୍ମୀଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ଏହି ଯୋଜନାଗୁଡ଼ିକର ସୁଫଳ ଚାଷୀଙ୍କ ନିକଟରେ ପହଞ୍ଚାଇବାକୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଗ୍ରାମ୍ୟ କୃଷି କର୍ମୀଙ୍କୁ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି।
ଆଜି ଉତ୍ତରାଞ୍ଚଳ ରାଜସ୍ବ ଜୋନ୍ ଅନ୍ତର୍ଗତ ଜିଲ୍ଲାଗୁଡ଼ିକରେ କାର୍ଯ୍ୟରତ ଗ୍ରାମ୍ୟ କୃଷି କର୍ମୀମାନଙ୍କର ଦକ୍ଷତା ବିକାଶ ନିମନ୍ତେ ଆୟୋଜିତ ଭର୍ଚୁଆଲ୍ ବୈଠକରେ ଯୋଗ ଦେଇ ମନ୍ତ୍ରୀ କହିଥିଲେ ଯେ ପ୍ରତି ସୋମବାର ଦିନ ଗ୍ରାମ ପଞ୍ଚାୟତ ସ୍ତରରେ ଅନୁଷ୍ଠିତ ବୈଠକରେ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଗ୍ରାମ୍ୟ କୃଷି କର୍ମୀମାନେ ଅଧିକ ତତ୍ପରତା ପ୍ରକାଶ କରନ୍ତୁ। ରାଜ୍ୟ ସରକାରଙ୍କ କୃଷକ କଲ୍ୟାଣ ଯୋଜନା ନିମନ୍ତେ ହିତାଧିକାରୀଙ୍କ ଚୟନ ସମୟରେ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ନ ହୁଅନ୍ତି, ସେଥି ନିମନ୍ତେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରିବା ଆବଶ୍ୟକ। କାର୍ଯ୍ୟ କ୍ଷେତ୍ରରେ ୫-ଟିର ଅନୁପାଳନ ପୂର୍ବକ କୃଷି କାର୍ଯ୍ୟକୁ ଆଗେଇ ନେବା ପାଇଁ ଗ୍ରାମ କୃଷି କର୍ମୀମାନଙ୍କୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଗ୍ରାମ୍ୟ କୃଷି କର୍ମୀମାନଙ୍କର ଅନ୍ୟ ରାଜ୍ୟର କୃଷି କ୍ଷେତ୍ର ପରିଦର୍ଶନ ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।
ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ କହିଲେ ଯେ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ଦକ୍ଷତା କାର୍ଯ୍ୟକ୍ରମ ଗ୍ରାମ୍ୟ କୃଷି କର୍ମୀମାନଙ୍କର ଦକ୍ଷତା ବିକାଶରେ ସହାୟକ ହୋଇପାରିବ। ଗ୍ରାମ୍ୟ କୃଷି କର୍ମୀମାନେ ମାସର ପ୍ରଥମ ଓ ତୃତୀୟ ଶନିବାର ଆୟୋଜିତ ବ୍ଲକ୍ସ୍ତରୀୟ ବୈଠକରେ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହାୟତାରେ ଚାଷୀଙ୍କ ସମସ୍ୟାର ସମାଧାନରେ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ସେ କହିଥିଲେ। ବୈଠକରେ ସ୍ବତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ୍ ମୁଥୁକୁମାରଙ୍କ ସମେତ ଉତ୍ତରାଞ୍ଚଳ ରାଜସ୍ବ ଜୋନ୍ ଜିଲ୍ଲାର ଗ୍ରାମ୍ୟ କୃଷି କର୍ମୀମାନେ ଯୋଗ ଦେଇଥିଲେ।
Follow Us