ସାମ୍ୟବାଦୀ ନେତା ବଂଶୀଧର ଦାସଙ୍କ ପରଲୋକ

ସାମ୍ୟବାଦୀ ନେତା ବଂଶୀଧର ଦାସଙ୍କ ପରଲୋକ

କଟକ : ବିଶିଷ୍ଟ ସାମ୍ୟବାଦୀ ନେତା ତଥା ସ୍ତମ୍ଭକାର ବଂଶୀଧର ଦାସ (୮୮)ଙ୍କର ପରଲୋକ ହୋଇଛି। ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଜି ସକାଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

ସେ ଗରିବ ଖଟିଖିଆ ଓ କୃଷକଙ୍କ ପାଇଁ ସାରାଜୀବନ ସଂଗ୍ରାମରତ ଥିଲେ। ସ୍ବର୍ଗତ ଦାସ ସାମ୍ୟବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଜରୁରୀ ପରିସ୍ଥିତିରେ 'ମିସା' ଆଇନରେ କାରାବରଣ କରିଥିଲେ। ଶିକ୍ଷକତା ଚାକିରି ଛାଡି ନିଜକୁ ଭାଗଚାଷୀ ଆନ୍ଦୋଳନରେ ସାମିଲ କରିଥିଲେ। ଗୋବିନ୍ଦପୁର ଓ କଣ୍ଟାପଡା ଅଞ୍ଚଳରେ ଜମିଦାରଙ୍କ ଠାରୁ ଭାଗଚାଷୀମାନଙ୍କ ଜମି ଦଖଲ ଆନ୍ଦୋଳନରେ ସେ ଥିଲେ ସେନାପତି। ତାଙ୍କ ନେତୃତ୍ବରେ ସତୁରୀ ଦଶକ ପ୍ରାରମ୍ଭ‌ରେ ଭାଗଚାଷୀମାନେ ଜମି ଦଖଲ କରିବାରେ ସଫଳ ହୋଇଥିଲେ। ସ୍ବର୍ଗତ ଦାସ ଜଣେ ବିଶିଷ୍ଟ ସ୍ତମ୍ଭକାର ଥିଲେ। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସ୍ବର୍ଗତ ଦାସ ସମାଜସେବା ତଥା ଲେଖାଲେଖି ଜାରି ରଖିଥିଲେ।

ତାଙ୍କର ମୃତ୍ୟୁ ଖବର ପାଇ ରାଜ୍ୟସଭା ସାଂସଦ ସୁବାସ ସିଂହ, ଶ୍ରମିକ ନେତା ଅଜୟ ରାଉତ, ଯୁଧିଷ୍ଠିର ମହାପାତ୍ର, ସଚ୍ଚିକାନ୍ତ ପାଣି, ଲୋଭାକାନ୍ତ ସ୍ବାଇଁ, ପୀତାମ୍ବର ଲେଙ୍କା, ବିଭୁତି ରାୟ, ଆଇନଜୀବୀ ଶଶିଭୂଷଣ ଦାସଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ପୂର୍ବତନ ସାଂସଦ ଶିବାଜୀ ପଟ୍ଟନ‌ାୟକ, ବିଶିଷ୍ଟ ନେତା ତ୍ରିଲୋଚନ କାନୁନଗୋ, ବିଧାୟକ ପ୍ରଶାନ୍ତ ମୁଦୁଲି, ବ୍ୟୋମକେଶ ରାୟ ପ୍ରମୁଖ ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ନିଜ ଗ୍ରାମ ଜଗତସିଂହପୁର ଜିଲ୍ଲା ଚାଷୀଖଣ୍ଡରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ବଡପୁଅ ରାଜ୍ୟ ମାନବାଧିକାର କମିସନ୍ ସଦସ୍ୟ ଅସୀମ ଅମିତାଭ ଦାସ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe