ମେଗା ପାନୀୟ ଜଳ ପ୍ରକଳ୍ପରେ ଠିକାଦାରଙ୍କୁ ଅନୁକମ୍ପା: ୧୨୭କୋଟି ଅଧିକରେ ଚୁକ୍ତି

Advertisment
୭ ବର୍ଷ ହେଲା ଚାଲିପାରୁନି ବସୁଧା ଜଳଯୋଗାଣ ପ୍ରକଳ୍ପ, ଶୋଷରେ ଘାଣ୍ଟି ହେଉଛନ୍ତି ୧୦୦ ପରିବାର

ଯାଜପୁର : ଗ୍ରାମାଞ୍ଚଳ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ବସୁଧା ଯୋଜନା, ଗ୍ରାମୀଣ ଭିତ୍ତିଭୂମି ବିକାଶ ଅନୁଦାନ(ଆରଆଇଡିଏଫ୍), ଜଳ ଜୀବନ ମିସନ(ଜେଜେଏମ) ଓ ଖଣିଜ ପାଣ୍ଠି ଅନୁଦାନ(ଡିଏମଏଫ୍) ଅର୍ଥରେ ପ୍ରକଳ୍ପ କାର୍ଯ୍ୟ ଯାଜପୁର ଜିଲ୍ଲାରେ ଚାଲିଛି। ପାନୀୟ ଜଳ ଯୋଗାଣ ନାମରେ ବିଭିନ୍ନ ସ୍ତରରେ କୋଟିକୋଟି ଟଙ୍କା ହରିଲୁଟ୍ ଚାଲିଛି। ଏପରିକି ଜିଲ୍ଲାରେ ୧୨୫୭କୋଟି ୨୯ଲକ୍ଷ ଟଙ୍କା ଅନୁଦାନରେ ୮ଟି  ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଚାଲିଛି। ଏଥିରୁ ୫ଟି ପ୍ରକଳ୍ପରେ ଟେଣ୍ଡର ମୂଲ୍ୟଠାରୁ ୧୨୭କୋଟି ଟଙ୍କା ଅଧିକରେ ଠିକାସଂସ୍ଥା ସହିତ ଚୁକ୍ତି ହୋଇଛି। ଏହାସତ୍ତ୍ବେ ପ୍ରକଳ୍ପରେ ନିମ୍ନମାନର କାମ ହେଉଛି। ନିର୍ମାଣ କାମ ସମୟ ସୀମା ମଧ୍ୟରେ ଶେଷ ହୋଇନାହିଁ। ଯାହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ଯାଜପୁର ଜିଲ୍ଲାରେ  ୮ଟି ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ୧୨୫୭କୋଟି ୨୯ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ସେଥିମଧ୍ୟରୁ ନିର୍ମାଣାଧୀନ ୫ ଟି ପ୍ରକଳ୍ପକୁ ଟେଣ୍ଡରଠାରୁ ଅଧିକ ମୂଲ୍ୟରେ ଠିକାସଂସ୍ଥା ହାତେଇଛନ୍ତି। ସେଥିମଧ୍ୟରୁ ସୁକନ୍ଦା ବ୍ଲକ୍‌ରେ ୩ଟି ମେଗା ପାନୀୟ ଜଳ ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପ ପାଇଁ ୨୦୧୭ ମସିହାରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ୩୭ଟି ଖଣି ପ୍ରଭାବିତ ଗ୍ରାମ ପାଇଁ ଏହି ପାନୀୟ ଜଳ ପ୍ରକଳ୍ପରେ ୨୯ କୋଟି ୩୪ ଲକ୍ଷ ଟଙ୍କାର ଅଟକଳ କରାଯାଇଥିଲା। ମାତ, ସମ୍ପୃକ୍ତ ଠିକାସଂସ୍ଥା ୭୯ କୋଟି ୮୫ ଲକ୍ଷ ଟଙ୍କାରେ ଟେଣ୍ଡର ନେଇଥିଲା। ଯାହାକି ଟେଣ୍ଡର ମୂଲ୍ୟ ଠାରୁ ୫୦ କୋଟି ୫୧ ଲକ୍ଷ ଟଙ୍କା ଅଧିକ। ଏହି ବ୍ଲକ୍‌ର ଆଉ ୧୯ଟି ଖଣି ପ୍ରଭାବିତ ଅଞ୍ଚଳ ପାଇଁ ୨୦୧୯ ମସିହାରେ ଟେଣ୍ଡର ଡକାଯାଇଥିଲା । ଟେଣ୍ଡର ମୂଲ୍ୟ ୨୯ କୋଟି ୯୨ ଲକ୍ଷ ଥିବା ବେଳେ ଠିକା ସଂସ୍ଥା ୪୬ କୋଟି ୧୯ ଲକ୍ଷରେ ଟେଣ୍ଡର ନେଇଥିଲେ । ଅଧିକ ୧୬ କୋଟି ୫୭ ଲକ୍ଷ ଟଙ୍କାରେ ଟେଣ୍ଡର ଠିକାସଂସ୍ଥା ନେଇଛନ୍ତି।

ସେହିଭଳି, ୨୦୧୯ ମସିହାରେ ଏହି ବ୍ଲକର ଆହୁରି ୫୨ଟି ଖଣି ପ୍ରଭାବିତ ଅଞ୍ଚଳ ପାଇଁ ୯୨ କୋଟି ୮୫ ଲକ୍ଷ ଟଙ୍କାରେ ଟେଣ୍ଡରକୁ  ୧୦୭ କୋଟି ଟଙ୍କାରେ ଠିକାସଂସ୍ଥା ନେଇଛନ୍ତି । ଯାହାକି ଅଧିକ ୧୪ କୋଟି ୧୫ ଲକ୍ଷ ଟଙ୍କାରେ ଠିକା ସଂସ୍ଥା ଟେଣ୍ଡର ନେଇଛି। ବଡ଼ଚଣା ଓ ଧର୍ମଶାଳା ବ୍ଲକ୍‌ରେ ବି ସମାନ ଚିତ୍ର ଦେଖିବାକୁ ମିଳିଛି। ବଡ଼ଚଣା ବ୍ଳକ୍‌ର ଏକ ମେଗା ପାନୀୟଜଳ ପ୍ରକଳ୍ପ ଲାଗି ୨୦୧୯ ମସିହାରେ ଟେଣ୍ଡର ମୂଲ୍ୟ ୩୦୫ କୋଟି ୯୮ ଲକ୍ଷ ଟଙ୍କା ଥିବା ବେଳେ ୩୩୫ କୋଟି ୭୨ ଲକ୍ଷ ଟଙ୍କାରେ ଟେଣ୍ଡର ଚୂଡ଼ାନ୍ତ କରାଯାଇଛି। ଯାହାକି ୨୯ କୋଟି ୭୪ ଲକ୍ଷ ଟଙ୍କା ଅଧିକ। ସେହିପରି, ଦଶରଥପୁର ବ୍ଲକ୍‌ରେ ଠିକାସଂସ୍ଥା ଅଧିକ ୧୬ କୋଟି ୧୨ ଲକ୍ଷ ଟଙ୍କାରେ ଟେଣ୍ଡର ନେଇଛି। ୨୦୧୯ ମସିହାରେ ଏହି ବ୍ଲକ ପାଇଁ ୧୬୫ କୋଟି ୬୬ ଲକ୍ଷ ଟଙ୍କାରେ ଟେଣ୍ଡର ଆହ୍ବାନ କରାଯାଇଥିବାବେଳେ ୧୮୧ କୋଟି ୭୮ ଲକ୍ଷ ଟଙ୍କାରେ ଠିକାସଂସ୍ଥା  ନିର୍ମାଣ କାମ କରିବା ପାଇଁ ଚୁକ୍ତି କରିଛନ୍ତି। ସୁକିନ୍ଦା ବ୍ଲକ୍‌ର ୩ଟି , ବଡ଼ଚଣା ଓ ଧର୍ମଶାଳାର ୧ଟି ଓ ଦଶରଥପୁର ବ୍ଲକର ୧ଟି ପ୍ରକଳ୍ପ ଏଭଳି ମୋଟ ୫ ଟି ପ୍ରକଳ୍ପ ପାଇଁ ଠିକାସଂସ୍ଥା ଟେଣ୍ଡର ମୂଲ୍ୟ ଠାରୁ ଅଧିକ ୧୨୭ କୋଟି ୯ ଲକ୍ଷ ଟଙ୍କାରେ ଟେଣ୍ଡର ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe