ଦାରିଦ୍ର୍ୟର କରୁଣ ଚିତ୍ର: କୁଷ୍ଠ ଆକ୍ରାନ୍ତଙ୍କୁ ଟ୍ରଲି ଚଳାଇ ଡାକ୍ତରଖାନା ନେଲା ୧୨ ବର୍ଷର ପୁଅ

Advertisment

୧୦୦ ଟଙ୍କା ଦେଇ ଭଡ଼ାରେ ଆଣିଲେ ଟ୍ରଲି, ଅଜ୍ଞତା କାରଣରୁ ମିଳିଲାନି ୧୦୮ ଆମ୍ବୁଲାନ୍‌ସ ସେବା

୧୦୦ ଟଙ୍କା ଦେଇ ଭଡ଼ାରେ ଆଣିଲେ ଟ୍ରଲି, ଅଜ୍ଞତା କାରଣରୁ ମିଳିଲାନି ୧୦୮ ଆମ୍ବୁଲାନ୍‌ସ ସେବା

ଦାରିଦ୍ର୍ୟର କରୁଣ ଚିତ୍ର: କୁଷ୍ଠ ଆକ୍ରାନ୍ତଙ୍କୁ ଟ୍ରଲି ଚଳାଇ ଡାକ୍ତରଖାନା ନେଲା ୧୨ ବର୍ଷର ପୁଅ

ନୀଳଗିରି: ଆଖି ଜକେଇ ଆସିବା ପରି ଘଟଣା। ଗାଡ଼ି ଭଡ଼ା କରିବାକୁ ପାଖରେ ଟଙ୍କା ନଥିବାରୁ ଟ୍ରଲିଟିଏ ଭଡ଼ାରେ ଆଣିଲେ। ରୋଗୀଙ୍କୁ ସେଥିରେ ଶୁଆଇଦେଲେ। ନାବାଳକ ପୁଅ ନିଜେ ଟ୍ରଲି ଚଳାଇ ବାପାଙ୍କୁ ଡାକ୍ତରଖାନା ନେଇଗଲେ। ଗରିବୀ ତାଙ୍କୁ ବିବଶ କରିଦେଇଥିଲା। ଜନ୍ମଦାତାକୁ ବଞ୍ଚାଇବା ପାଇଁ ଉପାୟଶୂନ୍ୟ ପୁଅଟିକୁ ସେତେବେଳେ କେବଳ ସେହି ଗୋଟିଏ ବାଟ ହିଁ ଦିଶିଲା। କାରଣ ତାକୁ ସାହା ହେବା ପାଇଁ ପାଖରେ କେହି ନଥିଲେ। ନା ବନ୍ଧୁପରିଜନ; ନା ପଡ଼ୋଶୀ। ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ନୀଳଗିରି ଅଞ୍ଚଳରେ।

ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ମାଟିଆଳି ପଞ୍ଚାୟତ ନଟାପଡ଼ା ଗ୍ରାମର ଶଙ୍କର୍ଷଣ ସିଂ (୪୫)। ଗରିବ ପରିବାର ତାଙ୍କର। ମୂଲଲାଗି ଯାହା ରୋଜଗାର କରନ୍ତି, ସେଥିରେ ପରିବାର ଚଳେ। ବର୍ଷାଧିକ କାଳ ହେବ ସେ ରୋଗରେ ପୀଡ଼ିତ ଥିଲେ। ପରିବାର ଲୋକ ତାଙ୍କୁ ଏ ଡାକ୍ତରଖାନା, ସେ ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ। ଯାହା ପାଇଁ ସଞ୍ଚୟ ଥିବା ଅର୍ଥ ସବୁ ଖର୍ଚ୍ଚ ହୋଇଗଲା। ପରିବାରର ଆର୍ଥିକ ସ୍ଥିତି ଦୋହଲି ଗଲା। ବାଧ୍ୟହୋଇ ଶଙ୍କର୍ଷଣଙ୍କ ପତ୍ନୀ ମିନତୀ ମୂଲ ଲାଗିଲେ। ବଡ଼ପୁଅ ବାହାରକୁ କାମ କରିବା ପାଇଁ ଚାଲିଗଲେ। ସେହିପରି ୧୨ ବର୍ଷର ସାନପୁଅ ଭାବେଶ ମଧ୍ୟ ପାଠପଢ଼ା ଛାଡ଼ି କାମ କରିବାକୁ ବାଧ୍ୟ ହେଲେ।

ଏପରି ସମୟରେ ଚିକିତ୍ସା ଅଭାବରୁ ଶଙ୍କର୍ଷଣଙ୍କ ଅବସ୍ଥା ଅଧିକ ବିଗିଡ଼ିବାକୁ ଲାଗିଲା। ଫଳରେ ପରିବାର ଲୋକ ତାଙ୍କୁ ବାଲେଶ୍ବର ଡାକ୍ତରଖାନା ନେଇଗଲେ। ତେବେ ଦୁଇମାସ ତଳେ ଜଣାପଡ଼ିଲା ଯେ ଶଙ୍କର୍ଷଣ କୁଣ୍ଠରୋଗରେ ଆକ୍ରାନ୍ତ ହୋଇଛନ୍ତି। ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଗଲା। କ’ଣ କରିବେ କେହି କିଛି ବୁଝିପାରିଲେ ନାହିଁ। ଡାକ୍ତର ଶଙ୍କର୍ଷଣଙ୍କୁ କଟକ ଡାକ୍ତରଖାନା ନେଇଯିବା ପାଇଁ କହିଲେ। ତେବେ ପାଖରେ ଟଙ୍କା ନଥିବାରୁ ତାଙ୍କୁ କଟକ ନିଆଯାଇ ପାରିଲା ନାହିଁ। ସେ ଘରେ ରହି ଯେନତେନ ଚିକିତ୍ସିତ ହେଉଥିଲେ। ତେଣୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ାରେ ଲାଗିଲା। ଆଜି ଶଙ୍କର୍ଷଣଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଜଟିଳ ହୋଇଥିଲା। ଫଳରେ ପତ୍ନୀ ମିନତୀ ଓ ପୁଅ ଭାବେଶ ତାଙ୍କୁ ଡାକ୍ତରଖାନା ନେବା ପାଇଁ ପ୍ରସ୍ତୁତ ହେଲେ। ଶଙ୍କର୍ଷଣଙ୍କୁ କୁଣ୍ଠ ରୋଗ ହୋଇଥିବାରୁ ବନ୍ଧୁବାନ୍ଧବ କି ପଡ଼ୋଶୀ; କେହି ସାହାଯ୍ୟ କରିବା ପାଇଁ ଆସିଲେନି।

ପାଖରେ ଟଙ୍କା ନଥିବାରୁ ମାଆପୁଅ ଗାଡ଼ି ଭଡ଼ା କରିପାରିଲେ ନାହିଁ। ଅଜ୍ଞତା କାରଣରୁ ସରକାର ଯୋଗାଉଥିବା ୧୦୮ ଆମ୍ବୁଲାନ୍‌ସ ସେବ‌ା ମଧ୍ୟ ମିଳିଲାନି। ଶେଷରେ କିଛି ଉପାୟ ନପାଇ ଭବେଶ ଗାଁ’ର ଜଣେ ଲୋକଙ୍କ ଟ୍ରଲି ୧୦୦ ଟଙ୍କା ଭଡ଼ା ଦେଇ ଆଣିଲେ। ସେହି ଟ୍ରଲି ନିଜେ ଚଳାଇ ସେ ବାପାଙ୍କୁ ବରହମପୁର ଡାକ୍ତରଖାନା ନେଇଗଲେ। ଅବ‌ୋଧ ବାଳକଟିଏ ନିଜେ ଟ୍ରଲି ଚଳାଇ ବାପାଙ୍କୁ ଡାକ୍ତରଖାନା ନେବାର ସେ ଦୃଶ୍ୟ ଜାଣିବା, ଦେଖିବା ଲୋକଙ୍କ ହୃଦୟ ପଖାଳି ଦେଇଥିଲା। ସେମାନଙ୍କ ପାଟିରୁ ଆହାଃ... ବାହାରି ଆସୁଥିଲା। ଡାକ୍ତରଖାନ‌ାରେ ଶଙ୍କର୍ଷଣଙ୍କ ଚିକିତ୍ସା ହୋଇଥିଲା। ଭବେଶ ପୁଣି ସେହି ଟ୍ରଲିରେ ମାଆ ସହ ବାପାଙ୍କୁ ଘରକୁ ଆଣିଥିଲେ। ଯାହା ଜଣାପଡ଼ିଛି, ସ୍ଥାନୀୟ ଆଶାକର୍ମୀ ଭ‌ବେଶଙ୍କ ଚିକିତ୍ସା ଦାୟିତ୍ବ ନେଇଛନ୍ତି। ସରକାରଙ୍କ ପକ୍ଷରୁ ମିଳୁଥିବା ସବୁ ପ୍ରକାର ସୁବିଧା ଯୋଗାଯିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe