ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ବାଲେଶ୍ବର ନାବାଳକଙ୍କୁ ଦୁଇ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଅର୍ଥ ପ୍ରଦାନ କରିବାକୁ ଏସ୍‌ପିଙ୍କୁ ‘ଏନ୍‌ଏଚ୍‌ଆର୍‌ସି’ଙ୍କ ନିର୍ଦେଶ

୨୦୧୫ ଡେଙ୍ଗୁ ମୃତ୍ୟୁ ମାମଲାରେ ଦିଲ୍ଲୀ ପୁଲିସ କମିସନର, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଜାତୀୟ ମାନବାଧିକାର ଆୟୋଗଙ୍କ ସମନ

Image Courtesy of The Leaflet

ନୂଆଦିଲ୍ଲୀ: ୨୦୧୮ରେ ଏକ ଆକ୍ରମଣରେ ଆହତ ହୋଇଥିବା ଜଣେ ତଫସିଲଭୁକ୍ତ ସମ୍ପ୍ରଦାୟର ଜଣେ ନାବାଳକକୁ ଦୁଇ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଅର୍ଥ ଦେବାକୁ ଜାତୀୟ ମାନବ ଅଧିକାର କମିସନ୍ ‘ଏନ୍‌ଏଚ୍ଆର୍‌ସି’ ବାଲେଶ୍ବର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ କହିଛନ୍ତି।

ସିଭିଲ୍‌ ଲିବର୍ଟି ଓକିଲ ରାଧାକାନ୍ତ ତ୍ରିପାଠୀଙ୍କ ପିଟିସନ୍‌ ଆଧାରରେ ‘ଏନ୍‌ଏଚ୍ଆର୍‌ସି’ ପୀଡ଼ିତଙ୍କୁ ପ୍ରଦତ୍ତ ଅର୍ଥରାଶିର ପ୍ରମାଣ ସହ ରିପୋର୍ଟ ଦାଖଲ କରିବାକୁ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ନିର୍ଦେଶ ଦେଇଛନ୍ତି। ତ୍ରିପାଠୀ ଅଭିଯୋଗ କରିଥିଲେ କି, ୩୦. ୧୧. ୨୦୧୭ରେ ସାଇରଞ୍ଜନ ସେଠୀ ନାମକ ତଫସିଲଭୁକ୍ତ ସମ୍ପ୍ରଦାୟର ନାବାଳକଙ୍କୁ ଦୁର୍ବୃତ୍ତମାନେ ଗାଳିଗୁଲଜ କରିବା ସହ ଅମାନୁଷିକ ଅତ୍ୟାଚାର କରିଥିଲେ। ପୀଡ଼ିତ ଖଇରା ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଏଫ୍‌ଆଇଆର୍‌ ମଧ୍ୟ ରେଜିଷ୍ଟ୍ରି ହୋଇ ନ ଥିଲା। ଏସ୍‌ସି/ଏସ୍‌ଟି ଆଇନ୍ ଅଧୀନରେ ପୀଡ଼ିତଙ୍କୁ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବା ସହ ମାମଲାର ତଦନ୍ତ କରିବାକୁ ଆବେଦନକାରୀ ଅନୁରୋଧ କରିଥିଲେ।

publive-image Image Courtesy of The Record Nepal

‘ଏନ୍‌ଏଚ୍ଆର୍‌ସି’ଙ୍କ ନୋଟିସ୍ ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି ବାଲେଶ୍ବର ଏସ୍‌ପି ସୂଚନା ଦେଇଛନ୍ତି ଯେ, ମାମଲା ସଂକ୍ରାନ୍ତରେ ଏଫ୍‌ଆଇଆର୍ ରେଜିଷ୍ଟ୍ରି କରାଯାଇ ତଦନ୍ତ ଚାଲିଛି। ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ବିବାଦର ଆପୋସ ସମାଧାନ ପାଇଁ ଉଦ୍ୟମ କରିଥିବାରୁ ମାମଲା ରେଜିଷ୍ଟ୍ରି ହେବାରେ ବିଳମ୍ବ ହୋଇଥିଲା। ଅଭିଯୁକ୍ତମାନଙ୍କୁ ନୋଟିସ୍ ଜାରି ହେବା ପରେ ସେମାନେ ତଦନ୍ତରେ ସହଯୋଗ କରୁଛନ୍ତି। ତଦନ୍ତ ଶେଷ ହେବା ପରେ ଅଦାଲତରେ ଚାର୍ଜସିଟ୍ ଫାଇଲ୍ କରାଯିବ।

ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ନୀଳଗିରି ଏସ୍‌ଡିପିଓ ଏବଂ ଖଇରା ତହସିଲ୍‌ଦାର ମିଳିତ ତଦନ୍ତ କରିଛନ୍ତି ଏବଂ ପୀଡ଼ିତଙ୍କୁ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ମତ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ କି, ଅଗଷ୍ଟ ୨୮ ତାରିଖ ସୁଦ୍ଧା ଉପରୋକ୍ତ ରିପୋର୍ଟ ଦାଖଲର ଶେଷ ତାରିଖ ଥିଲା। କିନ୍ତୁ, ରିପୋର୍ଟ ନ ପାଇବାରୁ ‘ଏନ୍‌ଏଚ୍ଆର୍‌ସି’ ସରକାରୀ କର୍ତ୍ତୃପକ୍ଷଙ୍କୁ ଆଉ ଚାରି ସପ୍ତାହ ସମୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe