ପୁରୀ : ଗୋଟିଏ ପଞ୍ଚାୟତ, ଗୋଟିଏ ରାସ୍ତା। କିନ୍ତୁ ଦୁଇଟି ଫଳକ, ଆଉ ଫଳକରେ ଅତିଥିଙ୍କ ନାଁ ଭିନ୍ନଭିନ୍ନ। ରାସ୍ତା ତିଆରିରେ ନାଁ ନେବା ପାଇଁ ଏଭଳି ଏକ ହାସ୍ୟସ୍ପଦ ଚିତ୍ର ଦେଖିବାକୁ ମିଳିଛି ବାଲିଗୁଆଳି ପଞ୍ଚାୟତରେ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗ ରାସ୍ତାଠାରୁ ଗୋପାଳପୁର ଜେନାସାହି, ତୋଟା ବେହେରାସାହି ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଦୁଇଥର ଭିନ୍ନଭିନ୍ନ ଅତିଥି ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାୟ ଅଢ଼େଇ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୩କୋଟି ୭୦ଲକ୍ଷ ଟଙ୍କା ମଞ୍ଜୁର ହୋଇ କାମ ଆରମ୍ଭ ହୋଇଛି।
ଗତ ୩ ତାରିଖରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମାତ୍ର ଏହାର ଠିକ ୧୦ ଦିନ ପରେ, ଗତକାଲି ଆଉ ଏକ ଫଳକ ଲଗାଇ ଉଦ୍ଘାଟନ କରାଯାଇଛି। ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ପୌରୋହିତ୍ୟରେ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବାକର ପାତ୍ରଙ୍କ ଉପସ୍ଥିତିରେ ପୁନର୍ବାର ନଡ଼ିଆ ବାଡ଼େଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଯଦିଓ ସାଂସଦ ପିନାକୀ ମିଶ୍ରଙ୍କ କରକମଳରେ ଏହି ଭିତ୍ତିପ୍ରସ୍ତର ଉଦ୍ଘାଟନ ହୋଇଥିବା ନେଇ ଫଳକରେ ଉଲ୍ଲେଖ ରହିଛି, କିନ୍ତୁ ସାଂସଦ ଶ୍ରୀ ମିଶ୍ର ସେଠାରେ ଉପସ୍ଥିତ ନଥିଲେ। ଆଗକୁ ନିର୍ବାଚନ। ତେଣୁ ଭିତ୍ତିପ୍ରସ୍ତର ଓ ଉଦ୍ଘାଟନ ଫଳକରେ ନାଁ ନେବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ତେବେ ଗାଁ’ ରାସ୍ତା ନିର୍ମାଣକୁ ନେଇ ଏଭଳି ଫଳକ ରାଜନୀତି ଓ ଦୁଇ ଥର ନଡ଼ିଆ ବାଡ଼େଇବା ଘଟଣା ହାସ୍ୟାସ୍ପଦ ହୋଇଛି। ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି।
Follow Us