ଆସନ୍ତାକାଲିଠାରୁ ସ୍ବାଭାବିକ ହେବ ବିଧାନସଭା: ଧାନ କିଣା ନେଇ ସରକାରଙ୍କ ଆଭିମୁଖ୍ୟ ଗୃହରେ ଉପସ୍ଥାପନ କରିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

Advertisment

ସ୍ବାଧୀକାର କମିଟିକୁ ଯିବ ବିଧାୟକଙ୍କ ବିରୋଧରେ ଥିବା ଅଭିଯୋଗ

ସ୍ବାଧୀକାର କମିଟିକୁ ଯିବ ବିଧାୟକଙ୍କ ବିରୋଧରେ ଥିବା ଅଭିଯୋଗ

ଆସନ୍ତାକାଲିଠାରୁ ସ୍ବାଭାବିକ ହେବ ବିଧାନସଭା: ଧାନ କିଣା ନେଇ ସରକାରଙ୍କ ଆଭିମୁଖ୍ୟ ଗୃହରେ ଉପସ୍ଥାପନ କରିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ବିଧାନସଭା ସ୍ବାଭାବିକ ହେବ। ଏ ନେଇ ଏକ ରକମ ପଥ ପରିଷ୍କାର ହୋଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ପରେ ସୂଚନା ଦେଇଛନ୍ତି ଯେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆସନ୍ତାକାଲି ୧୧ଟା ୩୦ ମିନିଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଣ୍ଡିରୁ ଧାନ ଉଠିବା ସଂକ୍ରାନ୍ତରେ ସରକାରଙ୍କ ଆଭିମୁଖ୍ୟକୁ ଗୃହରେ ରଖିବେ। ସେପଟେ ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ବିରୁଦ୍ଧରେ ସରକାରୀ ଦଳ ଆଣୁଥିବା ଅଭିଯୋଗ ଗୃହରେ ଉପସ୍ଥାପିତ ହେବ ନାହିଁ। ଏହି ପ୍ରସଙ୍ଗ ସ୍ବତନ୍ତ୍ର ସ୍ବାଧୀକାର କମିଟିକୁ ଯିବ । ଏହାପରେ ସେ ଆସନ୍ତାକାଲି ଦିନ ୧୦ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଛନ୍ତି।

ଏଥିସହ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି, ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ସମସ୍ୟା ନେଇ ମୁଁ ଏକ ସ୍ୱତନ୍ତ୍ର ସ୍ବାଧୀକାର କମିଟି ଗଠନ କରିବି । ଏହି କମିଟି ସୁବାଷ ପାଣିଗ୍ରାହୀଙ୍କ ପ୍ରସଙ୍ଗ ବିଚାର କରିବା ପରେ ମତେ ତାଙ୍କ ମତାମତ ଜଣାଇବେ । ମୁଁ ଆଶା କରୁଛୁ ଆସନ୍ତାକାଲିଠୁ ଗୃହ କାର୍ଯ୍ୟ ସ୍ବଭାବିକ ଭାବେ ଚାଲିବ ।

କ୍ରମାଗତ ଭାବେ ୫ ଦିନ ବିଧାନସଭା ଅଚଳ ହେବା ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହାର ସମାଧାନ କରିବା ଦାବିରେ ଭେଟିଥିଲେ ଆଜି ବିରୋଧୀ ଦଳ ନେତା ଓ ବିଜେପି ବିଧାୟକ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ଆଜି ସକାଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ନବୀନ ନିବାସରେ ପହଞ୍ଚିଥିଲେ ବିଜେପିର ବିଧାୟକ। ନବୀନ ନିବାସର ଗେଟ ବନ୍ଦ ଥିବାରୁ ସେଠାରେ ସେମାନେ ଧାରଣାରେ ବସିଥିଲେ। ଏହାପରେ ନିଜେ ମୁଖ୍ୟମନ୍ତ୍ରୀ ସେମାନଙ୍କ ନିକଟକୁ ଆସି ଆଲୋଚନା ଲାଗି ନିମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତା ଓ ବିଜେପି ବିଧାୟକଙ୍କ ସହ ଆଲୋଚନା କରି ଗୃହକୁ ପୁଣି ସ୍ବାଭାବିକ କରିବା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ନବୀନ ନିବାସରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସଫଳ ହୋଇଛି କହିଥିଲେ ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀ ଗୃହକୁ ଆସିବା ସହ ମଣ୍ଡିରୁ ସମସ୍ତ ଧାନ ଉଠିବା ନେଇ ବିଜେପି ଦାବି କରିବା ପରେ ଏଥିରେ ମୁଖ୍ୟମନ୍ତ୍ରୀ ରାଜି ହୋଇଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ।  କିଭଳି ବିଧାନସଭା ସୁରୁଖୁରୁରେ ଚାଲିବ ସେ ନେଇ ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଓଡ଼ିଶା ରାଜନୀତି ଇତିହାସରେ ଏହା ପ୍ରଥମ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe