Kenyan Wallstreet
ଭୁବନେଶ୍ବର : ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କ ପେନ୍ସନ୍ ସମ୍ବନ୍ଧିତ ଅଭିଯୋଗର ତ୍ବରିତ ବିଚାର ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପେନ୍ସନ୍ ଅଦାଲତର ବ୍ୟବସ୍ଥା କରିଛନ୍ତି। କୋଭିଡ୍ କଟକଣା ପରିପ୍ରେକ୍ଷୀରେ ଏହି ଅଦାଲତ ଅନ୍ଲାଇନ୍ ବ୍ୟବସ୍ଥା ମାଧ୍ୟମରେ କରାଯାଇଛି। ଆସନ୍ତା ୮ ରୁ ୩୦ ତାରିଖ ମଧ୍ୟରେ ଅନ୍ଲାଇନ୍ ଅଭିଯୋଗ ଗ୍ରହଣ କରାଯିବ।
ଏ ସମ୍ପର୍କରେ ସୂଚନା ଦେଇ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ଯେ ଅବସର ନେଇଥିବା କର୍ମଚାରୀମାନଙ୍କର ପେନ୍ସନ୍ ମଞ୍ଜୁରୀ ସମନ୍ବିତ ଆର୍ଥିକ ପରିଚାଳନା(ଇଣ୍ଟିଗ୍ରେଟେଡ୍ ଫାଇନ୍ସିଆଲ୍ ମ୍ୟାନେଜ୍ମେଣ୍ଟ୍ ସିଷ୍ଟମ୍) ନାମକ ଅନ୍ଲାଇନ୍ ବ୍ୟବସ୍ଥା ଦ୍ବାରା କରାଯାଉଛି। ଏହା ସତ୍ତ୍ବେ ଛୋଟ ଛୋଟ କାରଣ ପାଇଁ ବିଭିନ୍ନ ସ୍ତରରେ କିଛି ଅବସରପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କ ପେନ୍ସନ୍ କାଗଜ ବିନା ମଞ୍ଜୁରୀରେ ପଡ଼ି ରହିଥିବାର ସରକାରଙ୍କ ଦୃଷ୍ଟିକୁ ଆସିଛି। ଏସବୁର ଆଶୁ ସମାଧାନ କରି ତୁରନ୍ତ ପେନ୍ସନ୍ ମଞ୍ଜୁରୀ କରିବା ନିମନ୍ତେ ଏହି ଅନ୍ଲାଇନ୍ ପେନ୍ସନ୍ ଅଦାଲତର ବ୍ୟବସ୍ଥା କରାଯାଇଛି।
ଶ୍ରୀ ଚୋପ୍ରା ସ୍ପଷ୍ଟ କରିଛନ୍ତି ଯେ ଯେଉଁ ଅବସରପ୍ରାପ୍ତ କର୍ମଚାରୀଙ୍କ ବିରୋଧରେ ଫୌଜଦାରୀ, ଭିଜିଲାନ୍ସ ବା ଗୁରୁତର ପେନାଲ୍ଟି ପ୍ରୋସିଡିଂ ନାହିଁ, ସେମାନେ ଏହି ପେନ୍ସନ୍ ଅଦାଲତରେ ସୁଯୋଗ ନେଇପାରିବେ। ଏଥି ପାଇଁ ଚଳିତ ମାସ ୮ ତାରିଖରୁ ସଂପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ଏଚ୍ଆର୍ଏମ୍ଏସ୍ ପୋର୍ଟାଲ୍ ଆବେଦନ କରିପାରିବେ। ଏହା ୩୦ ତାରିଖ ଯାଏ ଚାଲିବ। ଆବେଦନକାରୀଙ୍କୁ ଅନ୍ଲାଇନ୍ ସ୍ବୀକୃତିପତ୍ର ମିଳିବ। ଏହା ପରେ ସଂପୃକ୍ତ ପେନ୍ସନ୍ ମଞ୍ଜୁରକାରୀ କର୍ତ୍ତୃପକ୍ଷ ଚଳିତ ବର୍ଷ ଜୁନ୍ ୩୦ ତାରିଖ ମଧ୍ୟରେ ସମସ୍ତ ଆବେଦନ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ନିଷ୍ପତ୍ତି ବାବଦ ସୂଚନା ମଧ୍ୟ ଆବେଦନକାରୀଙ୍କୁ ଇମେଲ୍, ଏସ୍ଏମ୍ଏସ୍ କିମ୍ବା ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯିବ। ଯେଉଁ ଆବେଦନଗୁଡ଼ିକର ସମାଧାନ ପେନ୍ସନ୍ ମଞ୍ଜୁର କର୍ତ୍ତୃପକ୍ଷଙ୍କ ସ୍ତରରେ ହୋଇ ନ ପାରିବ, ସେଗୁଡ଼ିକୁ ସଂପୃକ୍ତ ବିଭାଗକୁ ପଠାଇଦେବେ। ପରବର୍ତ୍ତୀ ସମୟରେ ଏହି ଆବେଦନଗୁଡ଼ିକର ବିଚାର ପାଇଁ ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ସ୍ବତନ୍ତ୍ର ଅଦାଲତ ହେବ। ଏହି ଅଦାଲତରେ ଶୁଣାଣି ତାରିଖ ଓ ନୋଟିସ୍ ଅାଦି ସଂପୃକ୍ତ କର୍ମଚାରୀଙ୍କୁ ଇମେଲ୍ ବା ଏସ୍ଏମ୍ଏସ୍ ମାଧ୍ୟମରେ ଜଣାଇ ଦିଆଯିବ।
Follow Us