photo by : kalingatv.com
କେନ୍ଦ୍ରାପଡା : କେନ୍ଦ୍ରାପଡା ଲୋକସଭା ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ପ୍ରାର୍ଥିପତ୍ର ଦାଖଲ କରୁଥିବାବେଳେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଏ ନେଇ ଆଡଭୋକେଟ୍ ବିଧୁଭୂଷଣ ମହାପାତ୍ର ଆଜି ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଅଭିଯୋଗ କରିଛନ୍ତି।
ଶ୍ରୀ ମହାପାତ୍ର ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତ ୯ ତାରିଖରେ ବିଜେଡିର ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳ ଦାଶରଥୀ ଶତପଥୀଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ। ସେହି ସମୟରେ ବିଜେଡି ପ୍ରାର୍ଥୀ ଅନୁଭବଙ୍କ ପତ୍ନୀ ବର୍ଷା ଉପସ୍ଥିତ ଥିଲେ। ଏହା ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁଛି। ବର୍ଷା କେନ୍ଦ୍ରାପଡା ଲୋକସଭା ନିର୍ବାଚନମଣ୍ଡଳୀର ଭୋଟର ନୁହନ୍ତି। ସେ ପ୍ରାର୍ଥୀଙ୍କ ପ୍ରସ୍ତାବକ କିମ୍ବା ରାଜନୈତିକ ଏଜେଣ୍ଟ ହୋଇ ନଥିଲେ ବି କିଭଳି ଓ କେଉଁ ପରିସ୍ଥିତିରେ ତାଙ୍କୁ ପୁଲିସର କଡା ସୁରକ୍ଷା ବଳୟ ଭିତରେ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ଭିତରକୁ ପ୍ରବେଶ ଅନୁମତି ଦିଆଗଲା ତାହାକୁ ନେଇ ସେ ପ୍ରଶ୍ନ କରିଛନ୍ତି।
ଆଡଭୋକେଟ୍ ଶ୍ରୀ ମହାପାତ୍ର ଏ ସମ୍ପର୍କରେ ଭାରତୀୟ ମୁଖ୍ୟ ନିର୍ବାଚନ କମିସନ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି।
Follow Us