ତୁଷାରଙ୍କ ନାମରେ ମିଥ୍ୟା ସତ୍ୟପାଠ ଅଭିଯୋଗ

Advertisment
ତୁଷାରଙ୍କ ନାମରେ ମିଥ୍ୟା ସତ୍ୟପାଠ ଅଭିଯୋଗ

ଅସ୍ତରଙ୍ଗ : କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ ଆସିଛି। ଏହି ଅଭିଯୋଗ ନିର୍ବାଚନ ଅଧିକାରୀ ଏବଂ ନିର୍ବାଚନ କମିଶନଙ୍କ ନିକଟକୁ ପଠାଯାଇଛି। ଏଥିସହ ହାଇକୋର୍ଟରେ ମଧ୍ୟ ଆବେଦନ ଦାଖଲ ହୋଇଥିବା ଜଣାପଡ଼ିଛି।ଅସ୍ତରଙ୍ଗ ବ୍ଲକର ଲକ୍ଷ୍ମୀଧର ବିଶ୍ବାଳ ଦାଖଲ କରିଥିବା ଅଭିଯୋଗ ଅନୁଯାୟୀ, ତୁଷା‌ର ପ୍ରାର୍ଥିପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରେ ଭୁଲ ତଥ୍ୟ ଦେଇଛନ୍ତି। ୨୦୧୪ ନିର୍ବାଚନରେ ତୁଷାର ବିଜେପିରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ତଥ୍ୟ ଅନୁଯାୟୀ ସେ ଖଡ଼ଗପୁର ଆଇଆଇଟିରୁ ସ୍ନାତକୋତ୍ତର ହାସଲ କରିବା ପରେ ଭୁବନେଶ୍ୱର ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ। ହେଲେ ଚଳିତ ବର୍ଷ ସତ୍ୟପାଠରେ ଦାଖଲ ଆୟ ରିଟର୍ଣ୍ଣରେ ତାଙ୍କର ଆୟ ଶୂନ୍‌ ଥିବା ଦର୍ଶାଇଛନ୍ତି। ଏହା କେମିତି ହେଲା ବୋଲି ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି।ସେହିପରି, ମା ଭୁଆସୁଣୀ ମୌଜାରେ ପ୍ଲଟ୍‌ ନମ୍ବର ୧୧୪୮ ଓ ୧୧୪୯ ଅଣକୃଷି ଜମିଥିବା ଓ ତାକୁ ୨୭ ମାର୍ଚ୍ଚ ୨୦୦୯ରେ କିଣିଥିବା ୨୦୧୪ ମସିହା ସତ୍ୟପାଠରେ ଦର୍ଶାଇଥିଲେ। ୨୦୧୯ରେ ଦର୍ଶାଇଥିବା ସେହି ମୌଜା ଜମିର ପ୍ଲଟ୍‌ ନମ୍ବର ଭିନ୍ନ ଯଥା ୨୧୪୩/୩୨୨୨ ଦର୍ଶାଇଛନ୍ତି। ସେହି ମୌଜାରେ ତୁଷାରଙ୍କର ୩ଟି ପ୍ଲଟ୍‌ ରହିଥିବା ବେଳେ ସେ ଦୁଇଟି ଦେଖାଇଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି। ଏ ନେଇ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି। ହେଲେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ତୁଷାରଙ୍କ ସମର୍ଥକ। ସେମାନଙ୍କ କହିବା ଅନୁଯାୟୀ, ତୁଷାର କୌଣସି ପ୍ରକାର ଭୁଲ୍‌ ତଥ୍ୟ ଦେଇନାହାନ୍ତି। ବିରୋଧୀ ଅଯଥାରେ ଏହାକୁ ପ୍ରସଙ୍ଗ କରୁଛନ୍ତି। କାକଟପୁର ନିର୍ବାଚନ ମଣ୍ଡଳୀରେ ତୁଷାରଙ୍କ ପ୍ରତି ଲୋକଙ୍କର ଆସ୍ଥା ବଢ଼ୁଛି। ଦୀର୍ଘବର୍ଷ ପରେ ଜଣେ ଉଚ୍ଚଶିକ୍ଷିତ ପ୍ରାର୍ଥୀ ବିଧାୟକ ହେବାର ଆଶା ତୀବ୍ର ହେଉଛି। ଯିଏ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳର ବିକାଶପାଇଁ ସ୍ବତନ୍ତ୍ର ଯୋଜନା କରିଛନ୍ତି। ଶିକ୍ଷିତ ବ୍ୟକ୍ତିଙ୍କୁ ପ୍ରତିନିଧି କଲେ ଅଞ୍ଚଳର ବିକାଶ ହୋଇପାରିବ ବୋଲି ଲୋକେ ବୁଝି ସାରିଲେଣି। ତୁଷାରଙ୍କ ପ୍ରତି ସମର୍ଥନ ବଢ଼ୁଥିବାରୁ ବିରୋଧୀ ଏପରି ଅପପ୍ରଚାର ଚଳାଇଥିବା ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe