ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର କମ୍ୟୁନିଟି ରେଡିଓ ‘ରେଡିଓ ଆଉଟ୍ରିଚ୍ ୯୦.୮ ଏଫ୍ଏମ୍’ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି। ସୌର ଶକ୍ତି ପରି ସଂପୂର୍ଣ୍ଣ ସବୁଜ ଶକ୍ତି ଦ୍ବାରା ପରିଚାଳିତ ଏହି ଏଫ୍ଏମ୍ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ପ୍ରସାରଣ ଟ୍ରାନ୍ସମିଟର୍ ଠାରୁ ଆରମ୍ଭ କରି ଷ୍ଟୁଡିଓ ଉପକରଣ ଓ କାର୍ଯ୍ୟାଳୟ ସଂଚାଳନ ଯାଏ ଏହାର ସମସ୍ତ ଗତିବିଧି ଶତ ପ୍ରତିଶତ ସୌରଶକ୍ତି ଦ୍ବାରା ପରିଚାଳିତ ହେଉଛି। ଏହାଦ୍ବାରା ଏହା ପାରମ୍ପରିକ ଶକ୍ତି ବିନିଯୋଗ ଜନିତ ଅଙ୍ଗାରକାମ୍ଳ ନିର୍ଗମନକୁ ଶୂନ କରିବା ସହ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପାଇଁ ଉଦାହରଣ ସାଜିଛି। ଏହା ଓଡ଼ିଶାର ପ୍ରଥମ ସଂପୂର୍ଣ୍ଣ ସୌରଶକ୍ତି ପରିଚାଳିତ କମ୍ୟୁନିଟି ରେଡିଓର ମାନ୍ୟତା ଲାଭ କରିଛି।
ଉଲ୍ଲେଖଯୋଗ୍ୟ, ୨୦୨୩ ମସିହାରେ ସ୍ଥାପିତ ଏହି ବେତାର କେନ୍ଦ୍ର ସ୍ଥାନୀୟ ଅଞ୍ଚଳର ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ସଂସ୍କୃତି ଓ ମହିଳା ସଶକ୍ତୀକରଣ ଆଧାରିତ ପ୍ରସଙ୍ଗଗୁଡ଼ିକ ଉପରେ ଧ୍ୟାନକେନ୍ଦ୍ରିତ କରି କାର୍ଯ୍ୟକ୍ରମ ପରିବେଷଣ କରୁଛି। ଷ୍ଟେସନ୍ ଇଞ୍ଜିନିଅରଙ୍କ କହିବାନୁସାରେ, ଏହି ବେତାରକେନ୍ଦ୍ରର ଛାତରେ ଲାଗିଥିବା ସୌର ପ୍ୟାନେଲ୍ ଜରିଆରେ ମିଳୁଥିବା ବିଦ୍ୟୁତ୍ ଶକ୍ତି ହିଁ ଏହାର ଦୈନିକ ଶକ୍ତି ଚାହିଦା ପୂରଣ କରିପାରୁଛି।
Follow Us