ଜଟିଳ ହେଉଛି ଯାଜପୁର ରାସନ ଦୁର୍ନୀତି, ଭୋକିଲାଙ୍କ ଆପତ୍ତି ପରେ ଡିଲରଙ୍କ ଏତଲା

Advertisment
ବର୍ଷ ବର୍ଷ ଧରି ଭୂତ ଖାଉଛନ୍ତି ପିଡିଏସ୍‌ ଚାଉଳ

jagran.com

ଯାଜପୁର/ଧର୍ମଶାଳା: ଯାଜପୁରରେ ରାସନ କେଳେଙ୍କାରୀଙ୍କୁ ନେଇ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ହାଇକୋର୍ଟରେ ଏହାକୁ ନେଇ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଆସନ୍ତାକାଲିକୁ ଧାର୍ଯ୍ୟ ହୋଇଛି। ଅପରପକ୍ଷରେ, ହାଇକୋର୍ଟରେ ଦ୍ବାରସ୍ଥ ହୋଇଥିବା ସାମାଜିକ କର୍ମୀ ସବେଶ୍ବର ବେହୁରାଙ୍କ ନାମରେ ଧର୍ମଶାଳା ବ୍ଲକ୍‌ର ରିଟେଲରମାନେ ସଂଘବଦ୍ଧ ‌ହୋଇ ଥାନାରେ ଏତଲା କରିଛନ୍ତି।

କରୋନା ମହାମାରୀ ରୋକିବା ପାଇଁ ଲକ୍‌ଡାଉନ୍‌ ଯୋଗୁଁ ଖଟିଖିଆ ଗରିବ ଲୋକ କାମଧନ୍ଦା ହରାଇଲେ। ସେମାନଙ୍କୁ ୩ମାସର ରାସନ ସାମଗ୍ରୀ ସହିତ ପଡ଼ିକାର୍ଡ ପିଛା ୧ହଜାର ଟଙ୍କା ସହାୟତା ରାଶି ରାଜ୍ୟ ସରକାର ଯୋଗାଇ ଦେଲେ। ସହାୟତା ରାଶି ହଜାରେ ଟଙ୍କା ଶିକ୍ଷକମାନଙ୍କ ଦ୍ବାରା ବଣ୍ଟନ କରାଯିବାରୁ ରାସନ କେଳେଙ୍କାରୀ ପଦାରେ ପଡ଼ିଥିଲା। ସମଗ୍ର ଜିଲ୍ଲାରେ ଶହଶହ କାର୍ଡ ଡିଲରମାନେ ନିଜ ନିକଟରେ ରଖି ହିତାଧିକାରୀଙ୍କୁ ଦେଉନଥିଲେ। କରୋନା ପୂର୍ବରୁ ଜିଲ୍ଲାପ‌ାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଅନେକ ଅଭିଯୋଗ ହୋଇଥିଲେ ମଧ୍ୟ ଏହାକୁ ଗୁରୁତ୍ବ ଦିଆଯାଇ ନଥିଲା। ଗରିବଙ୍କ ଗୁହାରିକୁ ଅସାଧୁମେଣ୍ଟ ଡଷ୍ଟବିନ୍‌ରେ ଫିଙ୍ଗି ଦେଉଥିଲେ। ଧର୍ମଶାଳାର ସାମାଜିକ କର୍ମୀ ସର୍ବେଶ୍ବର ବେହୁରାଙ୍କ ଉଦ୍ୟମରେ ମହିସରା ପଞ୍ଚାୟତର ୯୯ ପରିବାରର ରାସନ୍ ଦୁର୍ନୀତି ପଦାକୁ ଆସିଥିବା ବେଳେ ଆରୁହା, କଣ୍ଟିଗଡ଼ିଆ ପ୍ରଭୃତି ଅନେକ ପଞ୍ଚାୟତର ରାସନ କେଳେଙ୍କାରୀ ପଦାକୁ ଆସିଛି। ମାସ ମାସ ଧରି ରାସନ ପାଉନଥିବା ହିତାଧିକାରୀ ଏକକାଳୀନ କୁଇଣ୍ଟାଲ କୁଇଣ୍ଟାଲ ରାସନ ପାଇଥିଲେ। ଆରୁହା ପଞ୍ଚାୟତର କୋଲ୍ଲା ଗ୍ରାମର ମୃତ ପାର୍ବତୀ ସାହାଣୀଙ୍କ ରାସନ ଓ ସହାୟତା ରାଶି ହଡପ ଓ କିଡ୍‌ନି ରୋଗୀ ଅକ୍ଷୟ ଦାସଙ୍କ ଅନାହାର ମୃତ୍ୟୁ ଘଟଣା ରାସନ କେଳେଙ୍କାରୀକୁ ଅଧିକ ସଙ୍ଗିନ କରିଛି। ଗରିବ ଲୋକେ ରାସନ କାର୍ଡ ଥାଇ ମଧ୍ୟ ସାମଗ୍ରୀ ନପାଇବା ଘଟଣାକୁ ନେଇ ସାମାଜିକ କର୍ମୀ ଶ୍ରୀ ବେହୁରା ହାଇକୋର୍ଟରେ ଜନସ୍ବାର୍ଥ ମାମଲା କରିଛନ୍ତି। ଆସନ୍ତାକାଲି ରାଜ୍ୟ ସରକାର ଉତ୍ତର ରଖିବେ। ଏଥିସହ ରାସନ ପାଇପାରୁନଥିବା ଭୋକିଲା ହିତାଧିକାରୀମାନେ ଜେନାପୁର ଓ ଧର୍ମଶାଳା ଥାନାରେ ଭିନ୍ନ ଭିନ୍ନ ୧୬ଟି ଏତଲା କରିଛନ୍ତି। ଏପରିକି ମୃତ ପାର୍ବତୀ ସାହାଣୀ ପୁଅ ଧ୍ରୁବ ସାହାଣୀ ମଧ୍ୟ ଧର୍ମଶାଳା ଥାନାରେ ଡିଲରଙ୍କ ବିରୋଧରେ ଏତଲା କରିଛନ୍ତି। ଏଭଳି ସ୍ଥିତିରେ ୨୦ଜଣ ଡିଲର ଆତ୍ମରକ୍ଷା ପାଇଁ ସାମାଜିକ କର୍ମୀ ସର୍ବେଶ୍ବର ବେହୁରାଙ୍କ ନାମରେ ଧର୍ମଶାଳା ଥାନାରେ ଏତଲା ଦେଇଛନ୍ତି। ଶ୍ରୀ ବେହୁରା ସେମାନଙ୍କୁ ବାରମ୍ବାର ଲାଞ୍ଚ ମାଗି ହଇରାଣ ହରକତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏହି କାରଣରୁ ସାଧାରଣ ଲୋକଙ୍କୁ ରାସନ ବଣ୍ଟନ କରିବାର ଅସୁବିଧା ହେଉଛି ବୋଲି ୨୦ଜଣ ଡିଲର ଏତଲାରେ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏ ସମ୍ପର୍କରେ ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁଙ୍କୁ ପଚାରିବାରେ ପୂର୍ବରୁ ଲୋକମାନେ ମଧ୍ୟ ରାସନ ପାଉନଥିବାର ଅଭିଯୋଗ କରିଥିଲେ। ଉଭୟ ଅଭିଯୋଗର ତଦନ୍ତ କରି ଜଣାଇବାକୁ ‌ବିଡିଓଙ୍କୁ କୁହାଯାଇଛି। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି। ଠାରେ ପ୍ରଶ୍ନ ଉଠୁଛି ରାସନ ସାମଗ୍ରୀ ଓ ସହାୟତା ରାଶି ହଡ଼ପ ଘଟଣା ଏକ ଠକେଇ ମାମଲା। ସେହିପରି ଡିଲରଙ୍କ ଅଭିଯୋଗ ଅନୁଯାୟୀ ବଟି ମାଗିବା ମଧ୍ୟ ଅପରାଧିକ ମାମଲା। ଏଥିରେ ବିଡ଼ିଓ କଣ କରିବେ? ପୁଲିସ ଏ ଦିଗରେ ପଦକ୍ଷେପ ନନେଇ କେଉଁ ଅଦୃଶ୍ୟ ନିର୍ଦ୍ଦେଶକୁ ଅପେକ୍ଷା କରିଛି ବୋଲି ପ୍ରଶ୍ନ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe