କମ୍ରେଡ୍ ବାସୁଦେବ ଭୋଇ ଆଉ ନାହାନ୍ତି

କମ୍ରେଡ୍ ବାସୁଦେବ ଭୋଇ ଆଉ ନାହାନ୍ତି

ଇବ୍‌ଥର୍ମାଲ : ବରିଷ୍ଠ ସିପିଆଇ ନେତା ତଥା ହୀରାକୁଦ ବୁଡି ଅଞ୍ଚଳ ସଂଗ୍ରାମ ସମିତିର ସଭାପତି କମ୍ରେଡ୍ ବାସୁଦେବ ଭୋଇଙ୍କ ଗୁରୁବାର ତାଙ୍କ ପୈତୃକ ଗ୍ରାମ ଛଡାରମାରେ ମଧ୍ୟାହ୍ନ ପ୍ରାୟ ୧୨ଟା୧୫ରେ ପରଲୋକ ହୋଇଯାଇଛି। ପରଲୋକ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। ସେ କିଛି ମାସ ହେଲା ଅସୁସ୍ଥ ଥିଲେ। ପ୍ରଥମେ ବୁର୍ଲା ଓ ପରେ କଟକ ବଡ ମେଡିକାଲ୍‌ରେ ତାଙ୍କର ଚିକିତ୍ସା ଚାଲିଥିଲା।

ଛଡାରମାରେ ବାପା ସୁଦ୍ରେ ଭୋଇ ଓ ମା’ ସୁବାସିନୀ ଭୋଇଙ୍କ ଔରସରୁ ୧୯୫୨ ଜାନୁଆରି ୨ ତାରିଖରେ ଜନ୍ମ ଗ୍ରହଣ କରିଥିବା ବାସୁଦେବ ଯୁବାବସ୍ଥାରେ ଜନନେତା କମ୍ରେଡ ପ୍ରସନ୍ନ ପଣ୍ଡାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସେ ଜଣେ ଆଗଧଡ଼ି‌ର ନେତା ଥିଲେ। ଅବିବାହିତ ଥିବା ବାସୁଦେବ ସବୁବେଳେ ଖଟିଖିଆ ଓ ଗରିବ ମଣିଷଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲେ। ପ୍ରସନ୍ନ ବାବୁଙ୍କ ଦେହାନ୍ତ ପରେ ହୀରାକୁଦ ବୁଡ଼ି ଅଞ୍ଚଳବାସୀଙ୍କ ସକାଶେ ସେ ଅହରହ ସଂଗ୍ରାମ ଜାରି ରଖିଥିଲେ। କେବଳ ସେତିକି ନୁହେଁ ଖଣି ଶିଳ୍ପ କ୍ଷେତ୍ରରେ ବିସ୍ଥାପିତ ପରିବାରଙ୍କ ସକାଶେ ମଧ୍ୟ ଲଢେଇ କରୁଥିଲେ। ଗତ ଜୁନ୍‌ ମାସ ୨୮ ତାରିଖରେ ଦର୍ଲିପାଲି ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନ ତାଙ୍କର ଶେଷ ଆନ୍ଦୋଳନ ଥିଲା। ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ସେ କୁଶ୍ରାଲୋଇ ପଞ୍ଚାୟତର ସରପଞ୍ଚ, ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ତୃତୀୟ ଜୋନ୍ ପ୍ରଥମ ଜିଲ୍ଲାପରିଷଦର ଜିଲ୍ଲାପରିଷଦ ସଦସ୍ୟ ଥିଲେ। ଝାରସୁଗୁଡା ବିଧାନସଭା ଆସନରୁ ସିପିଆଇ ପକ୍ଷରୁ ପ୍ରାର୍ଥୀ ଥିଲେ।

ତାଙ୍କ ପର‌ଲୋକ ଖବର ପ୍ରଚାରିତ ହେବାପରେ ସମଗ୍ର ଝାରସୁଗୁଡା ସମେତ ଲଖନପୁର ବ୍ଲକ୍‌ରେ ଗଭୀର ଶୋକ ପ୍ରକାଶ ପାଇଛି। ତାଙ୍କ ସଂଗ୍ରାମୀ ସାଥୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି। ଛଡାରମା, ବିନକା, ଅଢାପଡା ଆଦି ଗ୍ରାମର ଶହଶହ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ଅଢାପଡାଠାରେ ପ୍ରସନ୍ନ ପଣ୍ଡାଙ୍କ ବାସ ଭବନରେ ରହୁଥିବାରୁ ତାଙ୍କ ମର ଶରୀରକୁ ପ୍ରସନ୍ନ ଭବନ ଅଣାଯାଇ ଅନ୍ତିମ ସମ୍ମାନ ଦିଆଯାଇଥିଲା। ପରେ ଅଢାପଡା ସ୍ଥିତ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ପୁତୁରା ଶିବ ଭୋଇ ମୁଖାଗ୍ନି ଦେଇଥିଲେ। ତାଙ୍କ ଦେହାନ୍ତ ଖବର ପାଇ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ପୂର୍ବତନ ବାଚସ୍ପତି କିଶୋର ପଟେଲ, ଲଖନପୁର ବ୍ଲକ୍ ଅଧ୍ୟକ୍ଷା ଶାନ୍ତି ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସାମଲ ନାଏକ, ସିପିଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ରାଜ୍ୟ ସହ ସଂପାଦକ ଡ. ପ୍ରଶାନ୍ତ ମିଶ୍ର, କ୍ଷୀରୋଦ ସିଂହଦେଓ, ଆଇନଜୀବୀ କମ୍ରେଡ ଅଶୋକ ଦାଶ, ଶ୍ରମିକ ନେତା ଅନିତ ଚକ୍ରବର୍ତ୍ତୀ, ସିପିଆଇ ନେତା ରମେଶ ତ୍ରିପାଠୀ, ସାଂସଦ ନମିନୀ ରଘୁନନ୍ଦନ ପଣ୍ଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe