ସୟଦପୁର ବିଜେଡିରେ ଗୋଷ୍ଠୀସଂଘର୍ଷ: ୩ ଆହତ, ୫ ଗିରଫ

ସୟଦପୁର ବିଜେଡିରେ ଗୋଷ୍ଠୀସଂଘର୍ଷ: ୩ ଆହତ, ୫ ଗିରଫ

Times of India - Indiatimes.com

ବିଂଝାରପୁର : ବିଂଝାରପୁର ଥାନା ସୟଦପୁର ପଞ୍ଚାୟତର ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଉଭୟ ଗୋଷ୍ଠୀଙ୍କ ଅଭିଯୋଗକ୍ରମେ ବିଂଝାରପୁର ପୁଲିସ ୩ ଟି ମାମଲା ରୁଜୁ କରିବାସହ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଆଉ ଦୁଇଜଣଙ୍କୁ ଥାନାରେ ଅଟକ ରଖାଯାଇଛି।

ପୁଲିସ ସୂଚନା ଅନୁଯାୟୀ ବିଂଝାରପୁର ବିଧାୟିକା ତଥା ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗତକାଲି ସୟଦପୁର ପଞ୍ଚାୟତର ମୁସଲମାନ ଲୋକମାନଙ୍କୁ ଭେଟିବା ପାଇଁ ଦିନ ସାଢ଼େ ଗୋଟାଏରେ ଜାମା ମସଜିଦରେ ପହଞ୍ଚିଥିଲେ।  ମନ୍ତ୍ରୀ ସେଠାରୁ ପଠାନ୍ ମହଲ୍ଲା ମସଜିଦକୁ ଯାଉଥିଲେ। ବାଟରେ ହୋସେନିଆ ମଦ୍ରାସା ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଞ୍ଚାୟତ ବିଜେଡିର ଉଭୟ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌ ହୋଇଥିଲା। ଜୋରଦାର ସଂଘର୍ଷ ହେବାରୁ ୩ ଜଣ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୁଲିସ ସଙ୍ଗେସଙ୍ଗେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାସହ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକଙ୍କୁ ସେଠାରୁ ନେଇଯାଇଥିଲା।

ଏହି ଘଟଣାରେ ସୟଦପୁର ପଞ୍ଚାୟତର ସରପଞ୍ଚ ସେକ ମହମ୍ମଦ ସବିର ୪ ଜଣଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ସିରାଜ ଅଲ୍ଲି ଖାନ୍ ୬ ଜଣଙ୍କ ନାମରେ ଓ ସିରାଜ ଖାନ ୯ ଜଣଙ୍କ ନାମରେ ବିଂଝାରପୁର ଥାନାରେ ଅଭିଯୋଗ କରିଛନ୍ତି। ୩ ଟି ଅଭିଯୋଗକୁ ଭିତ୍ତିକରି ୩୮୯/୨୨, ୩୯୦/୨୨ ଓ ୩୯୧/୨୨ରେ ୧୯ ଜଣଙ୍କ ନାମରେ ପୃଥକ ପୃଥକ ୩ଟି ମାମଲା ରୁଜୁ ହୋଇଛି। ଗତକାଲି ରାତିରେ ପୁଲିସ ଚଢ଼ଉ କରି ୨ ଗୋଷ୍ଠୀର ୫ ଜଣଙ୍କୁ ଉଠାଇ ନେଇଥିଲା। ଆଜି ଗୋଟିଏ ଗୋଷ୍ଠୀର ୩ ଜଣଙ୍କୁ କୋର୍ଟଚାଲାଣ କରିଛି। ଅନ୍ୟ ଗୋଷ୍ଠୀର ୨ ଜଣଙ୍କୁ ଥାନାରେ ଅଟକ ରଖିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି। ଏ ସଂପର୍କରେ ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟଙ୍କୁ ପଚାରିବାରୁ  ଏ ନେଇ ଅଧିକ ତଦନ୍ତ ଚାଲିଛି, ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe