ବିଧାନସଭାରେ ଶୀତଳ ଭଣ୍ଡାର ଚିନ୍ତା

ଶୀତଳ ଭଣ୍ଡାର ପରିଚାଳନା ପାଇଁ ପ୍ରସ୍ତୁତ ହେବ ମାର୍ଗଦର୍ଶିକା: କମିଟି ଗଠନ, ରିପୋର୍ଟ ଦେବାକୁ ନିର୍ଦ୍ଦେଶ

Lopol.org

ଭୁବନେଶ୍ବର : ରାଜ୍ୟରେ ଯଥେଷ୍ଟ ଶୀତଳ ଭଣ୍ଡାର ନ ଥିବାରୁ ବୁଧବାର ଦିନ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ସରକାର ପ୍ରତି ବ୍ଲକ୍‌ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ କହିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ ବୋଲି ବିରୋଧୀ ଦଳ ଆରୋପ ଲଗାଇଥିଲେ। ଶୀତଳ ଭଣ୍ଡାର ନ ଥିବାରୁ ହିଁ ରାଜ୍ୟର ଚାଷୀମାନେ ହଇରାଣ ହେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ତେବେ କୃଷି ମନ୍ତ୍ରୀ ଅରୁଣ ସାହୁ ଶୀତଳ ଭଣ୍ଡାର ଅଭାବରୁ ପନିପରିବା ନଷ୍ଟ ହବାର ନଜିର ନାହିଁ ବୋଲି କହିଥିଲେ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ମୂଳ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, କୃଷି ବିଭାଗ ଅଧୀନରେ ପନିପରିବା ସଂରକ୍ଷଣ ପାଇଁ ୪ଟି ଶୀତଳଭଣ୍ଡାର ଅଛି। ସେଗୁଡ଼ିକର ଆହରଣ କ୍ଷମତା ୪୨୦୦ ମେଟ୍ରିକ ଟନ୍। ଏହା ଛଡ଼ା କୃଷିଜାତ ସାମଗ୍ରୀ ସଂରକ୍ଷଣ ପାଇଁ ସମବାୟ ବିଭାଗ ଅଧୀନରେ ୧୮ଟି ଶୀତଳ ଭଣ୍ଡାର ଅଛି। ଏହି ୧୮ଟି ମଧ୍ୟରୁ ୫ଟି ସଚଳ ଅଛି।

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ବାହିନୀପତିଙ୍କ ସମେତ ମୋହନ ମାଝୀ, ସୁରେଶ ରାଉତରାୟ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ। ରାଜ୍ୟରେ ଶୀତଳ ଭଣ୍ଡାର ବଢ଼ାଇବା ପାଇଁ ସରକାର ନିଷ୍ଠାର ସହ କାମ କରନ୍ତୁ। ଯେଉଁ ଯୁବକମାନେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି, ସରକାର ସେମାନଙ୍କୁ ପ୍ରୋତ୍ସାହନ ଦେବାକୁ ସଭ୍ୟମାନେ ଦାବି କରିଥିଲେ। ସେହିପରି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ସରକାର ପଦକ୍ଷେପ ନେବାକୁ କହିଥିଲେ। ମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଏବେ ଚାଷ ପ୍ରତି ଆଗ୍ରହ ବଢ଼ିଛି। ସରକାରୀ ବ୍ୟବସ୍ଥାରେ ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ଗତ ବର୍ଷ ବିଦେଶକୁ ୭୦୦ ମେଟ୍ରିକ୍ ଟନ୍ ଚାଉଳ ରପ୍ତାନି ହୋଇଥିଲା ବେଳେ ଏଥର ଏହି ପରିମାଣ ୧୦୦୦ ମେଟ୍ରିକ୍ ଟନ୍ ଟପିଯିବ। ଅଧିକ ଶୀତଳ ଭଣ୍ଡାର ପାଇଁ ସରକାର ଆବଶ୍ୟକ ପ୍ରକ୍ରିୟା ଜାରି ରଖିଛନ୍ତି। ଶୀତଳ ଭଣ୍ଡାରଗୁଡ଼ିକର ବିଦ୍ୟୁତ ଶୁଳ୍କ ହ୍ରାସ ପାଇଁ କୃଷି ବିଭାଗ ପକ୍ଷରୁ ଓଇଆର୍‌ସିଙ୍କୁ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe