ପଞ୍ଚାୟତ ନିର୍ବାଚନ ଚିନ୍ତା ବଢ଼ିଲା: କଟକଣାରେ ହେବ ନା ଦୁଇ ମାସ ଗଡିବ, ଭାରତର ନିର୍ବାଚନ କମିସନଙ୍କ ଉପରେ ଆଖି

Advertisment

ତାରିଖ ଘୋଷଣା ବିଳମ୍ବ ହେବ ବୋଲି ସୂଚନା

ତାରିଖ ଘୋଷଣା ବିଳମ୍ବ ହେବ ବୋଲି ସୂଚନା

ପଞ୍ଚାୟତ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ମତଦାନ ପାଇଁ୨୩୫ ପ୍ଲାଟୁନ୍‌ ପୁଲିସ ମୁତୟନ, ୧୮୩୪ ପେଟ୍ରୋଲିଂ ପାର୍ଟି ନିୟୋଜିତ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍ ସଂକ୍ରମଣ ଧୀରେ ଧୀରେ ବିସ୍ଫୋରଣ ଆଡ଼କୁ ଗତି କରିବା ଆରମ୍ଭ କଲାଣି। ଚଳିତମାସ ଶେଷ ସପ୍ତାହରୁ ଫେବ୍ରୁଆରି ଦ୍ବିତୀୟ ସପ୍ତାହ ମଧ୍ୟରେ କରୋନା ରାଜ୍ୟରେ ଶୀର୍ଷସ୍ତରରେ ରହିବ ବୋଲି ବିଶେଷଜ୍ଞ ପୂର୍ବାନୁମାନ କରୁଛନ୍ତି। ଏଭଳି ସ୍ଥିତିରେ ପଞ୍ଚାୟତ ନିର୍ବାଚନ କିଭଳି ହେବ, ତାହାକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ରାଜ୍ୟ ନିର୍ବାଚନ କମିସନ ମଧ୍ୟ ଗମ୍ଭୀରତାର ସହିତ ଏହି ପ୍ରସଙ୍ଗକୁ ଦେଖୁଛନ୍ତି। ତେବେ ଭାରତର ନିର୍ବାଚନ କମିସନ ଉତ୍ତରପ୍ରଦେଶ ଆଦି ୫ଟି ରାଜ୍ୟ କ୍ଷେତ୍ରରେ କି ନିଷ୍ପତ୍ତି ନେଉଛନ୍ତି, ତାହ ଉପରେ ସମସ୍ତଙ୍କର ନଜର ରହିଛି।

ସରକାରୀ ବିଜ୍ଞପ୍ତି ଅନୁସାରେ ଆସନ୍ତା ୭ ତାରିଖ ଦିନ ସରକାର ରାଜ୍ୟ ନିର୍ବାଚନ କମିସନଙ୍କୁ ଚୂଡାନ୍ତ ତାଲିକା ପ୍ରଦାନ କରିବେ। ଏହା ପରେ କମିସନ ସର୍ବଦଳୀୟ ବୈଠକ ଡାକିବେ ଓ ୧୦ ତାରିଖ ସୁଦ୍ଧା ନିର୍ବାଚନ ତାରିଖ ଘୋଷଣା ହେବ। ହେଲେ ସର୍ବଶେଷ ତଥ୍ୟ ଅନୁସାରେ ଭାରତର ନିର୍ବାଚନ କମିସନ ଆସନ୍ତାକାଲି ନିର୍ବାଚନ ସଂକ୍ରାନ୍ତରେ କିଛି ସଙ୍କେତ ଦେଇପାରନ୍ତି ବୋଲି ଗୋଟିଏ ମହଲ ଯୁକ୍ତି ରଖୁଥିବା ବେଳେ ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ଫେବ୍ରୁଆରି ଦ୍ବିତୀୟ ସପ୍ତାହ ବେଳକୁ ଉତ୍ତର ପ୍ରଦେଶ ଆଦି ରାଜ୍ୟର ନିର୍ବାଚନ ସଂପର୍କରେ କମିସନ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିବେ। ଏଣୁ ସେ ସମୟଯାଏ ରାଜ୍ୟ ନିର୍ବାଚନ କମିସନର ଅପେକ୍ଷା କରିପାରନ୍ତି ବୋଲି ସୂଚନା ମିଳୁଛି। ଅର୍ଥାତ୍ ପଞ୍ଚାୟତ ନିର୍ବାଚନ ଘୋଷଣାରେ ବିଳମ୍ବ ହେବ। ଯଦି ଉତ୍ତରପ୍ରଦେଶ ନିର୍ବାଚନକୁ କମିସନ ଟାଳି ଦିଅନ୍ତି, ତେବେ ପଞ୍ଚାୟତ ନିର୍ବାଚନ ମଧ୍ୟ ଦୁଇମାସ ଗଡିଯାଇପାରେ। ଅନ୍ୟଥା କଟକଣା ଭିତରେ ନିର୍ବାଚନ ହୋଇପାରେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳୁଛି।

ଉଲ୍ଲେଖଥାଉକି ପ୍ରତିଟି ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିସାରିଛନ୍ତି। ଅତୀତରେ କରୋନା କାରଣରୁ ପିପିଲି ନିର୍ବାଚନ କିଛି ଦିନ ପାଇଁ ଟାଳି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ବିଜେଡି ପିପିଲିରେ ସଭା, ସମିତି କରିବ ନାହିଁ ଓ ତା ଭିତରେ ନିର୍ବାଚନ ହୋଇଥିଲା। ହେଲେ ପଞ୍ଚାୟତ ନିର୍ବାଚନ ତୃଣମୂଳସ୍ତରରେ ହେବ ଓ ସିଂହଭାଗ ଲୋକ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଏଥିରେ ସାମିଲ ହେବେ। ଯଦି କୋଭିଡ୍ ନିୟମ ଅନୁପାଳନ ନ ହେଲା, ତେବେ ପରବର୍ତ୍ତୀ ପରିସ୍ଥିତି ଘାତକ ହୋଇପାରେ। ଏଣୁ ରାଜ୍ୟ ସରକାର ବିପଦ ଆମନ୍ତ୍ରଣ କରିବା ସମ୍ଭାବନା କ୍ଷୀଣ ବୋଲି ତଥ୍ୟାଭିଜ୍ଞ ମହଲ ମତ ରଖୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe