ସହରାଞ୍ଚଳ ବନ୍ୟା ମୁକାବିଲା ଚିନ୍ତା: ସବୁ ସହରାଞ୍ଚଳ ପାଇଁ ଏସ୍‌ଓପି ଜାରି

Advertisment

ଡ୍ରେନ୍‌ ସଫା ହେବ, ମୁକୁଳା ଡ୍ରେନ୍‌ରେ ସ୍ଲାବ୍ ପଡ଼ିବ, ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲିବ

ଡ୍ରେନ୍‌ ସଫା ହେବ, ମୁକୁଳା ଡ୍ରେନ୍‌ରେ ସ୍ଲାବ୍ ପଡ଼ିବ, ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲିବ

ସହରାଞ୍ଚଳ ବନ୍ୟା ମୁକାବିଲା ଚିନ୍ତା: ସବୁ ସହରାଞ୍ଚଳ ପାଇଁ ଏସ୍‌ଓପି ଜାରି

Odisha News Insight

ଭୁବନେଶ୍ବର : ଚଳିତବର୍ଷ ଜଲ୍‌ଦି ମୌସୁମୀ ଆସିବ, ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥର ବର୍ଷା ହେଲେ ଯେପରି ବିଗତ ବର୍ଷଗୁଡ଼ିକ ପରି ବିଭିନ୍ନ ସହରାଞ୍ଚଳ‌େର କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବନାହିଁ, ମୁକୁଳା ଡ୍ରେନ୍‌ରେ ପଡ଼ି କେହି ମରିବେ ନାହିଁ ସେନେଇ ନଗର ଉନ୍ନୟନ ବିଭାଗ ସବୁ ସହରାଞ୍ଚଳ ପାଇଁ ଏସ୍‌ଓପି ଜାରି କରିଛି। ଏହାସହ ମହାନଗର ନିଗମ କମିସନର, ମ୍ୟୁନିସପାଲଟି ଓ ଏନ୍‌ଏସିର ନିର୍ବାହୀ ଅଧିକାରୀମାନେ କ’ଣ କ’ଣ ପଦକ୍ଷେପ ନେବେ ସେନେଇ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ବୈଠକରେ କେଉଁ ପୌରସଂସ୍ଥା ବର୍ଷା ମୁକାବିଲା ପାଇଁ କ’ଣ ପ୍ରସ୍ତୁତି କରିଛନ୍ତି ସେ‌େନଇ ବି ରିପୋର୍ଟ ମାଗିଛନ୍ତି।
ଜୁନ୍‌ ପ୍ରଥମ ସପ୍ତାହରେ ମୌସୁମୀ ବର୍ଷା, ଏହା ପୂର୍ବରୁ ପ୍ରାକ୍ ମୌସୁମୀ ବର୍ଷା ହେବାକୁ ଥିବାରୁ ପୌରସଂସ୍ଥାଗୁଡ଼ିକ ୧୫ଦିନ ମଧ୍ୟରେ ସେମାନଙ୍କ ଅଞ୍ଚଳର ସମସ୍ତ ଡ୍ରେନ୍‌ର ସ୍ଥିତି ଯାଞ୍ଚ କରିବା ସହ ଏହାକୁ ସଫା କରିବା, ମୁକୁଳା ଡ୍ରେନ୍‌ରେ ସ୍ଲାବ୍ ପକାଇବାକୁ କୁହାଯାଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ କହିଛନ୍ତି ଯେ, ଜୋର୍‌ରେ ବର୍ଷା ହେଲେ ରାସ୍ତା, ଫୁଟପାଥ୍ କଡ଼ରେ ଥିବା ଡ୍ରେନ୍‌ରେ ପାଣି ଭର୍ତ୍ତି ହୋଇଯାଏ। ତେଣୁ ଡ୍ରେନ୍‌ରେ ସ୍ଲାବ୍ ପଡ଼ିନଥିଲେ କି ଗାତ ଥିଲେ ତାହା ଜଣାପଡ଼େନାହିଁ। ଯାହାଦ୍ବାରା ଲୋକ ଏଥିରେ ପଡ଼ି ଦୁର୍ଘଟଣାର ଶିକାର ହୁଅନ୍ତି। ତେଣୁ ସହରାଞ୍ଚଳରେ ଥିବା ସମସ୍ତ ଡ୍ରେନ୍‌ର ସ୍ଥିତି ପରଖାଯିବ। ଡ୍ରେନ୍‌ରେ ସ୍ଲାବ୍ ପଡ଼ିଥିଲେ ଏହା ଶକ୍ତ ଅଛି ନା ଭାଙ୍ଗିଛି ତାକୁ ଯାଞ୍ଚ କରି ତୁରନ୍ତ ମରାମତି କରାଯିବ। ମୁକୁଳା ଡ୍ରେନ୍‌ ଥିଲେ ସ୍ଲାବ୍ ପକାଯିବ। ଯଦି ସ୍ଲାବ୍ ପଡ଼ିନପାରିବ ତେବେ ଏଠାରେ ବିପଦସଂକେତ ଚିହ୍ନ ଲଗାଇ ଲୋକଙ୍କୁ ଏହି ରାସ୍ତାରେ ଯାତାୟତ ନକରିବାକୁ ସତର୍କ କରାଯିବ। ସମସ୍ତ ଡ୍ରେନ୍ ସଫା କରିବା ସହ ମାଟି, ପଙ୍କ କାଢ଼ିବାକୁ କୁହାଯାଇଛି।
publive-image
ପୂର୍ବବର୍ଷଗୁଡ଼ିକ ଭଳି ପୌରସଂସ୍ଥାଗୁଡ଼ିକ ଡ୍ରେନେଜ୍ ଡିଭିଜିନ୍, ଏମ୍‌ଆଇ ଡିଭିଜନ, ସହାୟତାରେ ଡ୍ରେନ୍‌ର ସ୍ଥିତି ଯାଞ୍ଚ କରି ପଦକ୍ଷେପ ନେବେ। କେଉଁ ଅଞ୍ଚଳ ସମ୍ବେଦନଶୀଳ ଅଛି, ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଅଛି ସେଗୁଡ଼ିକୁ ଚିହ୍ନଟ କରି ଜଳ ନିଷ୍କାସନ ବ୍ୟବସ୍ଥା କରିବେ। ଡ୍ରେନ୍‌ ଉପରେ ଥିବା ଜବରଦଖଲଗୁଡ଼ିକୁ ହଟାଇବା ସହ ବର୍ଷା ଜଳ ଯେପରି ବିନା ପ୍ରତିବନ୍ଧରେ ନିଷ୍କାସନ ହେବ ସେନେଇ ପଦକ୍ଷେପ ନେବେ। ଆବଶ୍ୟକସ୍ଥଳେ ଜବରଦଖଲକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଡ୍ରେନ୍‌ ଜାମ୍‌ ହେବାର ମୁଖ୍ୟ କାରଣ ପଲିଥିନ୍ ହୋଇଥିବାରୁ ସେଗୁଡ଼ିକୁ ତୁରନ୍ତ କାଢ଼ିବା ସହ ପଲିଥିନ୍ ବ୍ୟବହାର ଉପରେ ରୋକ୍‌ ଲଗାଇବାକୁ ଜୋରଦାର୍ ଚଢ଼ଉ କରିବାକୁ କୁହାଯାଇଛି। ତୁରନ୍ତ ରାସ୍ତା ଓ ଡ୍ରେନ୍ ମରାମତି କରାଯିବ।

ବର୍ଷା ଜଳ ଜମିଲେ ବା କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ମ୍ୟାଲେରିଆ, ଡେଙ୍ଗୁ, ଜାପାନିଜ୍ ଏନସେଫାଲାଇଟିସ୍, ଜଳବାହିତ ରୋଗ ହଇଜା, ଜଣ୍ଡିସ୍ ଆଦି ବ୍ୟାପିବାର ଆଶଙ୍କା ଥିବାରୁ ଏନେଇ ପ୍ରତିଷେଧକ ବ୍ୟବସ୍ଥା ନେବାକୁ କୁହାଯାଇଛି। ଏହି ସବୁ ଅଞ୍ଚଳରେ ବ୍ଲିଚିଂ ପାଉଡର ପକାଇବା ସହ ସେପ୍ଟିକ୍ ଟାଙ୍କି, ସୋକ୍ ପିଟ୍ ଆଦିରୁ ଆବର୍ଜନା କଢ଼ାଯିବ। ସମସ୍ତ ସହରାଞ୍ଚଳରେ ମଶାଙ୍କ ଦୌରାତ୍ମ୍ୟ କମାଇବାକୁ ନିୟମିତ ଫଗିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ସବୁ ସହରାଞ୍ଚଳରେ ୟୁନିଫାଏଡ୍ କମାଣ୍ଡ କଣ୍ଟ୍ରୋଲ ରୁମ୍ ଖୋଲିବ। ଏଥିରେ ପୌରସଂସ୍ଥା, ଅଗ୍ନିଶମ, ଶକ୍ତି, ଡ୍ରେନେଜ୍, ପୂର୍ତ୍ତ, ଜନସ୍ବାସ୍ଥ୍ୟ/ୱାଟ୍‌କୋ ବିଭାଗର କର୍ମଚାରୀମାନେ ରହିବେ। ଅଧିକ ବର୍ଷା ସମ୍ଭାବନା ଥିଲେ ଏହା ୨୪ଘଣ୍ଟା କାମ କରିବ। ଏନେଇ ସମସ୍ତ ବିଭାଗକୁ ନେଇ ଏକ ପ୍ରସ୍ତୁତି ବୈଠକ କରିବାକୁ ପୌରସଂସ୍ଥାର ମୁଖ୍ୟମାନଙ୍କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe