ଶିକ୍ଷିତ ଜିଲ୍ଲାରେ କୁମାରୀ ମାତୃତ୍ବ ଚିନ୍ତା: ୫ ବର୍ଷରେ ବଢ଼ିଲାଣି ୮୦ ପ୍ରତିଶତ

ଶିକ୍ଷିତ ଜିଲ୍ଲା ଜଗତସିଂହପୁରରେ କୁମାରୀ ମାତୃତ୍ବ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଇବା ଉଦ୍‌ବେଗର କାରଣ ହୋଇଛି। ୧୮ବର୍ଷ ପୂର୍ବରୁ ଗର୍ଭଧାରଣ କରୁଥିବା ବାଳିକାଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଛି।

ଗର୍ଭପାତର ସମ୍ପୂର୍ଣ୍ଣ ଅଧିକାର ମହିଳାଙ୍କ ପାଖରେ ରହିଛି: ସୁପ୍ରିମକୋର୍ଟ

ଶୁଭକାନ୍ତ ପଢ଼ିହାରୀ

ଜଗତସିଂହପୁର: ଶିକ୍ଷିତ ଜିଲ୍ଲା ଜଗତସିଂହପୁରରେ କୁମାରୀ ମାତୃତ୍ବ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଇବା ଉଦ୍‌ବେଗର କାରଣ ହୋଇଛି। ୧୮ବର୍ଷ ପୂର୍ବରୁ ଗର୍ଭଧାରଣ କରୁଥିବା ବାଳିକାଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଛି। ସରକାରୀ ତଥ୍ୟ ଅନୁଯାୟୀ ଗତ ୫ ବର୍ଷ ଭିତରେ ପାଖାପାଖି ୮୦ ପ୍ରତିଶତ ବଢ଼ିଛି କୁମାରୀ ମାତୃତ୍ବ ସଂଖ୍ୟା। ସରକାରୀ ତଥ୍ୟ ଏତିକି ହୋଇଥିବା ବେଳେ ବେସରକାରୀ ତଥ୍ୟ ଏହାଠୁ ଯଥେଷ୍ଟ ଅଧିକ ବୋଲି କୁହାଯାଉଛି।

୨୦୧୯-୨୦ରେ ୩୪ଟି କୁମାରୀ ମାତୃତ୍ବ ଘଟଣା ସାମ୍ନାକୁ ଆସିଥିବା ବେଳେ ୨୦୨୦-୨୧ରେ ଏହି ସଂଖ୍ୟା ଥିଲା ୧୫୩। ସେହିଭଳି ୨୦୨୧-୨୨ରେ ୧୯୨, ୨୦୨୨-୨୩ରେ ୧୯୭ ଓ ୨୦୨୩-୨୪ରେ ୨୯୫ କୁମାରୀ ମାତୃତ୍ବ ଘଟଣା ରେକର୍ଡ ହୋଇଥିବା ସରକାରୀ ତଥ୍ୟ ରହିଛି। ୨୦୨୪-୨୫ରେ ଏହି ସଂଖ୍ୟା ଯଥେଷ୍ଟ ବଢ଼ିବା ଆକଳନ କରାଯାଉଛି। ଯେତେବେଳେ ମମତା ଯୋଜନାରେ ସାମିଲ ହେବା ପାଇଁ ଗର୍ଭବତୀମାନେ ଆସିଲେ ସେତେବେଳେ ପରିଚୟପତ୍ରରେ ଉଲ୍ଲେଖ ଥିବା ବୟସରୁ ଏ କଥା ସାମ୍ନାକୁ ଆସିଥିଲା। ଏହି ଯୁବତୀମାନଙ୍କ ବିବାହ ବୟସ ୧୮ ବର୍ଷରୁ କମ୍ ରହିଥିଲା। ତେଣୁ ନିୟମ ଅନୁସାରେ ମମତା ଯୋଜନାରେ ସେମାନଙ୍କୁ ସାମିଲ କରା ନ ଯିବା ସହ କୁମାରୀ ମାତୃତ୍ବ ଭାବେ ବିବେଚନା କରାଯାଇଥିଲା। ଏହି ଗର୍ଭବତୀମାନେ ସରକାରୀ ହସ୍ପିଟାଲକୁ ଆସିବା ପରେ ଏ କଥା ସାମ୍ନାକୁ ଆସିଥିଲା। କିନ୍ତୁ ଘରୋଇ ହସ୍ପିଟାଲ୍‌ ଓ କ୍ଲିନିକ୍‌ରେ ଏମାନଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି କୁହାଯାଉଛି। ଘରୋଇ ହସ୍ପିଟାଲ୍‌ କିମ୍ବା କ୍ଲିନିକ୍ ତଥ୍ୟ ମଧ୍ୟ ଯାଞ୍ଚ କରାଯାଉ ନାହିଁ।

ଯାହାଫଳରେ ପ୍ରକୃତ ତଥ୍ୟ ଜଣାପଡ଼ୁ ନାହିଁ। କୁମାରୀ ମାତୃତ୍ବ ପଛରେ ପ୍ରେମ, ପ୍ରତାରଣା, ପଳାୟନ ଓ ବାଲ୍ୟ ବିବାହ ଭଳି ଘଟଣାକୁ ଦାୟୀ କରାଯାଉଛି। ୨୦୨୨ରେ ପ୍ରଶାସନ ପକ୍ଷରୁ ୧୨ଟି ଓ ୨୦୨୩ରେ ୧୬ଟି ବାଲ୍ୟ ବିବାହକୁ ରୋକା ଯାଇଥିଲା। ପ୍ରେମ ପଳାୟନ, ବାଲ୍ୟ ବିବାହକୁ ରୋକିବା ଓ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଶାସନ ପକ୍ଷରୁ ଇତିମଧ୍ୟରେ ପଦକ୍ଷେପ ନିଆଯାଇଛି। ହାଇସ୍କୁଲ, କଲେଜରେ ଏ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଉଛି। ମନ୍ଦିର, ଧର୍ମାନୁଷ୍ଠାନରେ ମଧ୍ୟ ସଚେତନତା ବାର୍ତ୍ତା ପୋଷ୍ଟର ମାଧ୍ୟମରେ ଲଗାଯାଇଛି। କିନ୍ତୁ ସ୍ଥିତି ଯାହା ଏ ଦିଗରେ ଅଧିକ ସକ୍ରିୟ ତଥା ତ୍ବରାନ୍ବିତ ପଦକ୍ଷେପ ନିଆ ନଗଲେ, ଜଗତସିଂହପୁର ହୁଏତ ଆଗାମୀ ଦିନରେ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe