ଆସିପାରୁନି ପଶ୍ଚିମବଙ୍ଗରୁ ପାଟ ସୂତା, ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର ପ୍ରସ୍ତୁତି ନେଇ ଚିନ୍ତା ବଢ଼ୁଛି

Advertisment
ଆସିପାରୁନି ପଶ୍ଚିମବଙ୍ଗରୁ ପାଟ ସୂତା, ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ବସ୍ତ୍ର ପ୍ରସ୍ତୁତି ନେଇ ଚିନ୍ତା ବଢ଼ୁଛି

image source--wikiwand

ଖୋର୍ଦ୍ଧା: ଜଗତରନାଥ ଜଗନ୍ନାଥ, ପୁରୀ ଶ୍ରୀକ୍ଷେତ୍ର ଓ ପରମ୍ପରା ସହ ଖୋର୍ଦ୍ଧା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ତିନିଠାକୁରଙ୍କ ଶ୍ରୀଅଙ୍ଗ ବସ୍ତ୍ର ଠାରୁ ଆରମ୍ଭ କରି ସୋଲ ଫୁଲ ଯାଏଁ ଅନେକ ଏହି ଠାରୁ ପ୍ରସ୍ତୁତ ହୋଇ ପୁରୀକୁ ଯାଇଯାଏ। ଏହି ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି। କିନ୍ତୁ ବର୍ତ୍ତମାନ କୋଭିଡ‌୍୧୯ ମହାମାରୀ ଓ କଟକଣା ଯୋଗୁଁ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପରମ୍ପରା ଚଳିତ ବର୍ଷ ଆଗକୁ ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସୂଚନାନୁସାରେ, ବେଗୁନିଆ ବ୍ଲକ୍‌ ରାଉତପଡ଼ାର ୨୦ଟି ପରିବାର ଦୀର୍ଘ ବର୍ଷରୁ ପ୍ରଭୁ ଜଗନ୍ନାଥ, ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କ ନିମନ୍ତେ ଶ୍ରୀଅଙ୍ଗବସ୍ତ୍ର ପ୍ରସ୍ତୁତ କରିଆସୁଛନ୍ତି। ଏଥି ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ୭/୮ ମାସ ପୂର୍ବରୁ ବରାଦ ଦେଇଥାନ୍ତି। କାରିଗର ଏହାକୁ ରଥଯାତ୍ରାର ୬ ମାସ ପୂର୍ବରୁ ପ୍ରସ୍ତୁତ କରିବା ଆରମ୍ଭ କରିଥାନ୍ତି। ଏଥିପାଇଁ ପାଟସୂତା ପଶ୍ଚିମବଙ୍ଗର ମାଲଦାରୁ ଏବଂ ଓଡ଼ିଶାର କେତେକ ସ୍ଥାନରୁ ଅନ୍ୟ ସୂତା ଆସିଥାଏ। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଏହି କାର୍ଯ୍ୟନିମନ୍ତେ ଆବଶ୍ୟକ ହେଉଥିବା ୩/୪ଲକ୍ଷ ଟଙ୍କା ପ୍ରଦାନ କରୁଥିଲେ। କିନ୍ତୁ ୨୦୧୩ ମସିହାରୁ ଏହା ଦେବା ବନ୍ଦ କରିଦେଇଛନ୍ତି। ଏହି ଅର୍ଥ ବାବଦରେ ବର୍ତ୍ତମାନ କଟକର ଜଣେ ଭକ୍ତ ଏଥିପାଇଁ ସାଢେ଼ ୩ଲକ୍ଷ ଟଙ୍କା ଦାନ ଦେଉଥିବା ବେଳେ ଅବଶିଷ୍ଟ ଅର୍ଥ ଅନ୍ୟ ଭକ୍ତଙ୍କ ଦାନରେ ହିଁ ଚାଲୁଛି। କେବଳ ଏହାନୁହେଁ ୨୦୧୮ ମାସରେ ଏହି ଅର୍ଥକୁ ସଂଶୋଧିତ କରି ବର୍ଦ୍ଧିତ କରିବାକୁ ଅନୁରୋଧ କରାଯାଇଥିଲା। ତେବେ ଏଯାଏଁ ଏହା ବୃଦ୍ଧି ପାଇନାହିଁ ବୋଲି ଗୋପୀନାଥ ଦାସ କହିଛନ୍ତି। ସେହିଭଳି ଶ୍ରୀଅଙ୍ଗ ବସ୍ତ୍ର ପ୍ରସ୍ତୁତିର ମୁଖ୍ୟ ଗୋବିନ୍ଦଚନ୍ଦ୍ର ଦାସ କହିଛନ୍ତି ଯେ ପ୍ରତିବର୍ଷ ରଥଯାତ୍ରା ନିମନ୍ତେ ଶ୍ରୀମୁଖ ଓତା, ନେତଫୁଟା, ନେତ ଖଣ୍ତୁଆ, ଗଦିପେଟା, ମଲମଲ, ଟଣାଖୋସା, ସୂତାଖୁଟା, ୧୨ ହାତିଆ ଘୋଡ଼ା, ୧୬ ହାତିଆରେ ଘୋଡ଼ା, ସବୁଜ, ନାଲି ଓ ହଳଦିଆ ପାଟ, ଚେହେଲି, ନିଉଛାଳି ଗାମୁଛା, ଗଳାପଟା ଆଦି ପ୍ରସ୍ତୁତ ହୋଇଥାଏ। ମାର୍ଚ୍ଚ ମାସର ଲକ୍‌ଡାଉନ୍ ପୂର୍ବରୁ ଯେଉଁ କଞ୍ଚାମାଲ୍ ଥିଲା ସେଥିରେ ୭୫ ଭାଗ ବସ୍ତ୍ର ପ୍ରସ୍ତୁତ ହୋଇଯାଇଛି। ତେବେ ବଳକା କାମ ପାଇଁ ପାଟ ସୂତା ଆବଶ୍ୟକ। ଯଦି ମେ ୩ ତାରିଖରେ ଲକ୍‌ଡାଉନ୍‌ ଉଠେ ଓ ଗାଡ଼ିଚଳାଚଳ ସ୍ବାଭାବିକ ହୁଏ ତେବେ ଏହି ସୂତା ମିଳିବ।ନଚେତ୍ ସମସ୍ୟା ଉପୁଜିବା ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe