ସାର ଅଭାବକୁ ନେଇ ବିଧାନସଭାରେ ଉଦ୍‌ବେଗ

Advertisment
ଚାଷୀଙ୍କୁ ଠିକ୍ ସମୟରେ ୟୁରିଆ ମିଳିବ ତ?

DNA India

ଭୁବନେଶ୍ବର : ଚାଷୀଙ୍କୁ ଠିକ୍ ସମୟରେ ସାର ମିଳୁନି। ବର୍ତ୍ତମାନ ଚାଷୀ ଅଧିକ ସାର ଆବଶ୍ୟକ କରୁଥିଲା ବେଳେ ସେମାନଙ୍କ ପାଖରେ ସାର ପହଞ୍ଚିପାରୁନି। ଯେତିକି ମିଳୁଛି ତାହାର ବି କଳାବଜାରୀ ହେଉଛି। ଚଢ଼ା ଦରରେ ସାର କିଣିବାକୁ ଚାଷୀ ବାଧ୍ୟ ହେଉଛନ୍ତି। ଆଜି ବିଧାନସଭାର ପ୍ରଶ୍ନକାଳରେ ସାର ଅଭାବକୁ ନେଇ ଏମିତି ଉଦ୍‌ବେଗ ପ୍ରକାଶ ପାଇଥିଲା। ଉଭୟ ଶାସକ ଓ ବିରୋଧୀ ଦଳର ସ୍ବର ଏକ ଥିଲା।

ସାର ସଙ୍କଟକୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସ୍ବୀକାର କରିଥିଲେ। ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଜିଲ୍ଲାକୁ ସାର ଯୋଗାଣ ହୋଇନି ବୋଲି ମାନିଥିଲେ। କିନ୍ତୁ ରାଜ୍ୟ ସରକାରଙ୍କର ଏଥିରେ କିଛି କରିବାର ନାହିଁ ବୋଲି କହି ପରୋକ୍ଷରେ ହାତ ଟେକିଦେଇଥିଲେ। ସେ କହିଥିଲେ ଯେ ସାର ବିତରଣକୁ କେନ୍ଦ୍ର ସରକାରଙ୍କ ସାର ଓ ରସାୟନ ମନ୍ତ୍ରଣାଳୟ ନିୟନ୍ତ୍ରଣ କରେ। ଗତ କିଛି ବର୍ଷ ହେଲା କେନ୍ଦ୍ର ସରକାର ରାଜ୍ୟର ଚାହିଦା ପୂରଣ କରୁନାହାନ୍ତି। ସାର ଯୋଗାଣ ସ୍ବାଭାବିକ କରିବା ପାଇଁ ପ୍ରତି ସପ୍ତାହରେ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ସହ ରାଜ୍ୟ କୃଷି ବିଭାଗର ଅଧିକାରୀ ଆଲୋଚନା କରୁଛନ୍ତି। ତଥାପି ବର୍ତ୍ତମାନ ସୁଦ୍ଧା ଆବଶ୍ୟକତା ଠାରୁ କମ୍ ସାର ଯୋଗାଣ ହୋଇଛି। ତେବେ ସାରର କଳାବଜାରୀ ସମ୍ପର୍କରେ କୌଣସି ତଥ୍ୟ ବିଭାଗର ହସ୍ତଗତ ହୋଇ ନାହିଁ। ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ବିଭାଗ ପଦକ୍ଷେପ ନେବ।

ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ମୂଳ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଥିଲେ, ଚଳିତ ଖରିଫ ଋତୁରେ ଗତ ୮ ତାରିଖ ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ୨ ଲକ୍ଷ ୫ ହଜାର ୯୯୨ ମେଟ୍ରିକ୍‌ ଟନ୍ ୟୁରିଆ, ୭୭ ହଜାର ୬୭୧ ମେଟ୍ରିକ୍‌ ଟନ୍‌ ଡିଏପି, ୨୬ ହଜାର ୬୯୮ ମେଟ୍ରିକ୍‌ ଟନ୍‌ ପଟାସ ଓ ୯୫ ହଜାର ୬୩୮ ମେଟ୍ରିକ୍‌ ଟନ୍‌ ଏନ୍‌ପିକେ ସାର ଯୋଗାଣ ହୋଇଛି।

ଭୂପିନ୍ଦର ସିଂହ, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ଅଧିରାଜ ପାଣିଗ୍ରାହୀ, ଭାସ୍କର ମଢ଼େଇ, ରୁଦ୍ର ପ୍ରସାଦ ମହାରଥୀ, ପ୍ରଦୀପ ଦିଶାରୀ ଓ ନବଚରଣ ମାଝୀ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ। ବିହନ ଅଭାବ ଓ ନିମ୍ନ ମାନର ବିହନ ଯୋଗାଣ ନେଇ ମଧ୍ୟ ବିଧାୟକମାନେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe