ନବଜାତକଙ୍କ ଯତ୍ନ ସଂପର୍କରେ ଆଲୋଚନାଚକ୍ର : ସ୍ତନ୍ୟପାନ କରିଛନ୍ତି ୯୩ ପ୍ରତିଶତ ନବଜାତକ

Advertisment
ନବଜାତକଙ୍କ ଯତ୍ନ ସଂପର୍କରେ ଆଲୋଚନାଚକ୍ର : ସ୍ତନ୍ୟପାନ କରିଛନ୍ତି ୯୩ ପ୍ରତିଶତ ନବଜାତକ

ଭୁବନେଶ୍ୱର : ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସଂପର୍କରେ ଦୁଇ ଦିନିଆ ଏକ ଆଲୋଚନାଚକ୍ର ଆରମ୍ଭ ହୋଇଛି। ଏଥିରେ ସ୍ୱାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା କହିଲେ, ସ୍ୱତନ୍ତ୍ର ନବଜାତ ଯତ୍ନ ୟୁନିଟ୍‌ ବା ଏସ୍‌ଏନ୍‌ସିୟୁ, କଙ୍ଗାରୁ ମା’ ସେବା, ନବଜାତ ଷ୍ଟାବିଲାଇଜେସନ୍‌ ୟୁନିଟ୍‌, ଦକ୍ଷତା, ଭିଏଚ୍‌ଏନ୍‌ଡି, ଏଚ୍‌ବିଏନ୍‌ସି ଆଦି କାର୍ଯ୍ୟକ୍ରମ ନବଜାତକଙ୍କ ଜୀବନରକ୍ଷା ଦିଗରେ ସହାୟକ ହୋଇପାରିଛି। ୨୦୧୭/୧୮ ବର୍ଷରେ ଏନ୍‌ଏମ୍‌ଆଇଏସ୍‌ ଡାଟା ଅନୁଯାୟୀ ରାଜ୍ୟରେ ୫ ଲକ୍ଷ ୯୩ ହଜାର ୮୧୪ ଜଣ ଶିଶୁ ଜନ୍ମ ନେଇଛନ୍ତି। ସେଥିରୁ ୯୩.୧ପ୍ରତିଶତ ଶିଶୁଙ୍କୁ ଜନ୍ମର ୧ଘଣ୍ଟା ମଧ୍ୟରେ ମା’ମାନେ ସ୍ତନ୍ୟପାନ କରାଇଛନ୍ତି। ଫଳରେ ୧୩ ପ୍ରତିଶତ ନବଜାତକଙ୍କ ଜୀବନ ରକ୍ଷା ହୋଇପାରିଛି। ସେହିପରି ୪୪ ହଜାର ୭୦୭ ଜଣ ଅସୁସ୍ଥ ଶିଶୁ ବିଭିନ୍ନ ଜିଲ୍ଲାସ୍ତରୀୟ ଏନ୍‌ଏନ୍‌ସିୟୁରେ ଭର୍ତି ହୋଇଥିବା ବେଳେ ୩୨ ହଜାର ୩୪୬ଜଣ ସଫଳତାର ସହ ଚିକିତ୍ସିତ ହୋଇଛନ୍ତି ଓ ୧୪ଜଣଙ୍କୁ ଅଧିକ ଚିକତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଆଶାକର୍ମୀମାନେ ୯୨ ପ୍ରତିଶତ ନବଜାତକଙ୍କ ଘରକୁ ଯାଇ ସେମାନଙ୍କ ଯତ୍ନ ନେଇଛନ୍ତି। ଏସବୁ କାର୍ଯ୍ୟକ୍ରମ ନିୟମିତ ଭାବେ ସମୀକ୍ଷା କରାଯାଉଥିବା ବେଳେ ଗୋଷ୍ଠୀସ୍ତରରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଥିବା ଡା. ମେହେର୍ଦା ସୂଚନା ଦେଇଥିଲେ।

ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ, ୟୁନିସେଫର ସ୍ୱାସ୍ଥ୍ୟ ମୁଖ୍ୟ ଡା. ଗଗନ ଗୁପ୍ତା, ଏମ୍‌ସର ଭୁବନେଶ୍ୱର ନିର୍ଦେଶିକା ଡା. ଗୀତାଞ୍ଜଳି.ବି, ଏମ୍‌ସ ଦିଲ୍ଲୀର ଶିଶୁ ବିଭାଗ ମୁଖ୍ୟ ଡା. ଏ.କେ ଦେଓରାରି, ଆଇଆଇଟି ଦିଲ୍ଲୀର ଜାତୀୟ ବିଜ୍ଞାନ ପ୍ରଫେସର ଡା. ଏମ୍‌.କେ ଭାନ୍‌ ଓ ନୀତି ଆୟୋଗର ସଦସ୍ୟ ଡା. ବିନୋଦ ପାଉଲ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଏହି ଆଲୋଚନାଚକ୍ରରେ ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଶିଶୁ ଭବନର ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତୀ ଓ ଶିଶୁ ବିଭାଗର ପ୍ରଫେସର/ଆସୋସିଏଟ ପ୍ରଫେସର, ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ), ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପ୍ରବନ୍ଧକ, ଷ୍ଟାଫ୍‌ ନର୍ସ ଓ ରାଜ୍ୟସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe