କଲରଙ୍ଗି ଶିବ ମନ୍ଦିର ଛାତରୁ କଂକ୍ରିଟ୍‌ ଖସି ପୂଜକ ଆହତ, ଶ୍ରାବଣରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ନେଇ ପ୍ରଶ୍ନ

କଲରଙ୍ଗି ଶିବ ମନ୍ଦିର ଛାତରୁ କଂକ୍ରିଟ୍‌ ଖସି ପୂଜକ ଆହତ, ଶ୍ରାବଣରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ନେଇ ପ୍ରଶ୍ନ

କାଳିଆପାଣି: ଯାଜପୁର-ଢେଙ୍କାନ‌ାଳ ସୀମାବର୍ତ୍ତୀ କ୍ରୋମ୍‌ ଉପତ୍ୟକାର କଲରଙ୍ଗି ଲଲାଟେନ୍ଦୁଶ୍ବର ଶିବ ମନ୍ଦିର ଏବେ ବିପଦରେ। ଏହାର ମୁଖଶାଳାର କଂକ୍ରିଟ୍‌ ଛାତ ଓ ବିମ୍‌ର ୪ଟି ସ୍ଥାନରେ ଫାଟି କଂକ୍ରିଟ୍‌ ଖଣ୍ଡଖଣ୍ଡ ହୋଇ ଗଳିପଡ଼ୁଛି। ଗତ ଜୁଲାଇ ପହିଲାରେ ଛାତରୁ ଏକ ବଡ଼ କଂକ୍ରିଟ୍‌ ଖଣ୍ଡ ମନ୍ଦିର ପୂଜକ ସାରଙ୍ଗଧର ମିଶ୍ରଙ୍କ ଗୋଡ଼ରେ ଖସି ପଡ଼ିବାରୁ ସେ କ୍ଷତାକ୍ତ ହୋଇଥିଲେ। ୧୦ ଦିନ ଧରି ଚିକିତ୍ସା ଓ ବିଶ୍ରାମ ପରେ ସେ ସାମାନ୍ୟ ସୁସ୍ଥ ହୋଇଛନ୍ତି। ପାଖାପାଖି ୯ଶହ ବର୍ଗଫୁଟର ଏହି ମୁଖଶାଳାର ଛାତ, ବିମ୍‌ ଓ ଖମ୍ବର ବହୁସ୍ଥାନରେ ଫାଟ ରହିଛି ବୋଲି ସେ କହିଛନ୍ତି।
୧୯୬୯ ମସିହାରେ ଓଡ଼ିଶା ଖଣି ନିଗମ(ଓଏମ୍‌ସି) କଲରଙ୍ଗି କଲୋନିର ଦକ୍ଷିଣ-ପଶ୍ଚିମ ଦିଗରେ ତତ୍କାଳୀନ ଖଣି ଠିକାଦାର ବାତ୍ରା କମ୍ପାନି ସହାୟତାରେ ୪୧ ଫୁଟ ଉଚ୍ଚତାବିଶିଷ୍ଟ ଏହି ମନ୍ଦିର ମନ୍ଦିର ନିର୍ମାଣ ହୋଇଥିଲା। ମାଙ୍କଡ଼ା ପଥରରେ ମୂଳଦୁଆ ପରେ ପୋଡ଼ାଇଟାରେ ମନ୍ଦିର ତିଆରି ହୋଇଥିବା କହନ୍ତି ଓଏମ୍‌ସିର ଅବସରପ୍ରାପ୍ତ କର୍ମଚାରୀ ଲକ୍ଷ୍ମୀଧର ମେକାପ।

ସିମେଣ୍ଟ୍‌ କଂକ୍ରିଟ୍‌ରେ ନିର୍ମିତ ଏହାର ମୁଖଶାଳାର ଖମ୍ବ, ଭାରତିଆ ଓ ଛାତର ଅଧିକାଂଶ ସ୍ଥାନରେ ବଡ଼ବଡ଼ ଫାଟ ସୃଷ୍ଟି ‌ହୋଇ ଏହା ଭାଙ୍ଗି ଗଳି ପଡ଼ୁଛି। ଛାତର ୪ଟି ସ୍ଥାନରେ ଲୁହାରଡ଼୍ ବିପଜ୍ଜନକ ଭାବେ ଆଁକରି ରହିଛି। ୧୦ ବର୍ଷ ମଧ୍ୟରେ ଓଏମ୍‌ସି ପକ୍ଷରୁ ଏହାର ମେଜିଆ ଓ ପାହାଚ ୨ଥର ମରାମତି ହୋଇଥିଲା। ଟାଇଲ୍‌ ବିଛା ଯାଇଥିଲେ ହେଁ ଅଧିକାଂଶ ସ୍ଥାନରେ ଫାଟି ଭ‌ାଙ୍ଗିଯାଇଛି।
ଏବେ ଶ୍ରାବଣ ସୋମବାରରେ ସହସ୍ରାଧିକ କାଉଡ଼ିଆ ଭିଡ଼ ଲଗାଉଛନ୍ତି। ମନ୍ଦିରର ଏଭଳି ଅବସ୍ଥା କାରଣରୁ ସେମାନଙ୍କ ଧନଜୀବନ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏ ସଂପର୍କରେ ଦାୟିତ୍ବରେ ଥିବା ଓଏମ୍‌ସି ବରିଷ୍ଠ ଖଣି ପ୍ରବନ୍ଧକ ଇଂ ନିଗମାନନ୍ଦ ସେଠୀଙ୍କୁ ପଚାରିବାରେ ଯଥାଶୀଘ୍ର ସେ ମନ୍ଦିର ଯାଇ ପଦକ୍ଷେପ ନେବେ ବୋଲି କହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe