Image Courtesy of Times of India
ସୁକିନ୍ଦା: ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ହରିପୁର ପଞ୍ଚାୟତରେ ସରପଞ୍ଚ ଓ କନିଷ୍ଠ ଯନ୍ତ୍ରୀ ବିବାଦରୁ ଆଜି ସରପଞ୍ଚ ଶର୍ମିଷ୍ଠା ବରାଳଙ୍କ ସ୍ବାମୀ ରବୀନ୍ଦ୍ର ବରାଳଙ୍କୁ ଗିରଫ କରାଯାଇଛି। କିଛିଦିନ ତଳେ ଏକ ନିର୍ମାଣାଧୀନ ରାସ୍ତାକାର୍ଯ୍ୟ ପାଇଁ ସରପଞ୍ଚ ଶ୍ରୀମତୀ ବରାଳ ଓ ପଞ୍ଚାୟତ ଦାୟିତ୍ବରେ ଥିବା ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ସରପଞ୍ଚ ବ୍ଲକ୍ କାର୍ଯ୍ୟାଳୟକୁ ଯାଇଥିବା ବେଳେ ଯନ୍ତ୍ରୀ ଶ୍ରୀ ବେହେରା ତାଙ୍କ ସହ ପାଟିତୁଣ୍ଡ କରିବା ଓ ତାଙ୍କ ସ୍ବାମୀ ରବୀନ୍ଦ୍ରଙ୍କୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା।
ଅନ୍ୟପକ୍ଷରେ ସରପଞ୍ଚ ଓ ତାଙ୍କ ସ୍ବାମୀ ରବୀନ୍ଦ୍ର ତାଙ୍କୁ ଗାଳିଗୁଲଜ୍ କରିବା ସହ ଜାତିକୁ ନେଇ ଆକ୍ଷେପ କରିଥିଲେ ବୋଲି ଯନ୍ତ୍ରୀ ଶ୍ରୀ ବେହେରା ଅଭିଯୋଗ କରିଥିଲେ। ଗତକାଲି ସୁକିନ୍ଦା ଥାନାରେ ଯାଜପୁର ଏସଡିପିଓ ଏବଂ କଳିଙ୍ଗନଗର ଏଏସ୍ପି ପହଞ୍ଚି ତଦନ୍ତ ପାଇଁ ସରପଞ୍ଚଙ୍କ ସ୍ୱାମୀ ରବୀନ୍ଦ୍ରଙ୍କୁ ଥାନାକୁ ଡାକିଥିଲେ। ପରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ରବୀନ୍ଦ୍ରଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
Follow Us