ଡେଙ୍ଗୁ ମୁକାବିଲା: ପୂର୍ବ ତ୍ରୁଟିର ପୁନରାବୃତ୍ତି! ଜିଲ୍ଲାରେ ଚିହ୍ନଟ ହେଲେଣି ୪

Advertisment

ସବୁ ଆକ୍ରାନ୍ତ ରାଉରକେଲାର, ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକୁ ବେଖାତିର

ସବୁ ଆକ୍ରାନ୍ତ ରାଉରକେଲାର, ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକୁ ବେଖାତିର

ବିଏମ୍‌ସିକୁ ମଶାଚିନ୍ତା: ୪ ନଳାରେ ଛଡ଼ାହେଲା ଗଙ୍ଗୁସିଆ ମାଛ

ରାଉରକେଲା: ବର୍ଷା ଋୁତ ଧସେଇ ପଶିଲାଣି। ବର୍ଷା ଜଳ ଏବେ ସହରର ବିଭିନ୍ନ ସ୍ଥାନରେ ଜମି ସାରିଲାଣି। ବିଭିନ୍ନ ଡ୍ରେନ୍‌ଠାରୁ ଆରମ୍ଭକରି କଳିକନ୍ଦିର ଖୋଲା ଅଞ୍ଚଳରେ ଅଳିଆ ଆବର୍ଜନା ମିଶ୍ରିତ ଜଳ ଜମିରହିଛି। ଏଭଳି ପରିସ୍ଥିତି ସମ୍ଭାବ୍ୟ ଡେଙ୍ଗୁ ରୋଗକୁ ଆମନ୍ତ୍ରଣ କରୁଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ, ଜିଲ୍ଲାରେ ଆଜି ସୁଦ୍ଧା ୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି। ସମସ୍ତ ଆକ୍ରାନ୍ତ ହେଉଛନ୍ତି ରାଉରକେଲା ସହରର। ଗତ ଜାନୁଆରୀ ମାସରେ ଦୁଇ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଗତ ଜୁନ ମାସ ଓ ଗତ ଶୁକ୍ରବାର ଦିନ ଆଉ ଜଣେ ରୋଗୀ ଚିହ୍ନଟ ହୋଇଥିଲେ। ଡେଙ୍ଗୁ ପ୍ରତିହତ ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତୁହାକୁତୁହା ଆଲୋଚନା, ପର୍ଯ୍ୟାଲୋଚନା କରିବାସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଉଛି। ବିଡ଼ମ୍ବନା, ଅଂଶୀଦାର ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି), ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ରେଳବାଇ, ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିସନ(ଏନ୍‌ୟୁଏଚ୍‌ଏମ୍‌) ଏହାକୁ ଗୁରୁତ୍ବର ସହ ବିଚାରକୁ ନେଉନାହାନ୍ତି। ଫଳରେ ପୂର୍ବବର୍ଷ ଭୁଲ୍‌ର ପୁନରାବୃତ୍ତି ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିବର୍ଷ ଜାନୁଆରୀ-ଡିସେମ୍ବର ଭିତରେ ଡେଙ୍ଗୁ ପରିସଂଖ୍ୟାନ ରେକର୍ଡଭୁକ୍ତ କରାଯାଇଥାଏ। ଏହି କ୍ରମରେ ଚଳିତବର୍ଷ ପାଇଁ ମଧ୍ୟ ପ୍ରକ୍ରିୟା ଜାରି ରହିଛି। ଆଜି ସୁଦ୍ଧା ଜିଲ୍ଲାରେ ୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ସାରିଲେଣି। ସମସ୍ତ ଆକ୍ରାନ୍ତ ସ୍ମାର୍ଟସିଟି ରାଉରକେଲାର ବାସିନ୍ଦା। ଗତ ୨୯ ତାରିଖ ଚିହ୍ନଟ ହୋଇଥିବା ଆକ୍ରାନ୍ତ ହେଉଛନ୍ତି ସ୍ଥାନୀୟ ଗୋପବନ୍ଧୁପଲ୍ଲୀର ଜଣେ ୫୨ ବର୍ଷୀୟ ପୁରୁଷ। ସ୍ଥାନୀୟ ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ)ରେ ପରୀକ୍ଷା କରାଯିବାପରେ ସ୍ପଷ୍ଟ ହୋଇଥିଲା। ପ୍ରାୟ ମାସକ ପୂର୍ବେ, ଅର୍ଥାତ୍‌ ଗତ ଜୁନ୨୭ ତାରିଖରେ ଆଉ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ସଂପୃକ୍ତ ଆକ୍ରାନ୍ତ ଯୁବକ(୪୦) ନୂଆଦିଲ୍ଲୀରେ ଚାକିରୀ କରୁଥିବାବେଳେ ଜୁନ ମାସରେ ଘରକୁ ଆସିଥିଲେ। ସେତେବେଳେ ତାଙ୍କର ଲକ୍ଷଣ ଦେଖାଦେବାରୁ ସେ ପରୀକ୍ଷା କରିଥିଲେ, ଏଥିରେ ସେ ଡେଙ୍ଗୁ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହା ପୂର୍ବରୁ, ଗତ ଜାନୁଆରୀ ମାସରେ ସଂକ୍ରମିତ ହୋଇଥିବା ଦୁଇ ବ୍ୟକ୍ତି ମଧ୍ୟ ସେକ୍ଟର ଅଞ୍ଚଳର। ଅର୍ଥାତ୍‌, ଆଜି ସୁଦ୍ଧା ଚିହ୍ନଟ ହୋଇଥିବା ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୩ ଜଣ ଆର୍‌ଏସ୍‌ପି ସେକ୍ଟର ଅଞ୍ଚଳ ଓ ଜଣେ ଆର୍‌ଏମ୍‌ସି ଅଞ୍ଚଳର।

ପ୍ରକାଶଥାଉକି, ଗତବର୍ଷ ରାଉରକେଲା ଡେଙ୍ଗୁର ହଟ୍‌ସ୍ପଟ୍‌ ପାଲଟିଥିଲା। ଗତବର୍ଷ ଜିଲ୍ଲାରୁ ମୋଟ୍‌ ୧୭୪୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ତେବେ ୯୦%ରୁ ଅଧିକ ସଂକ୍ରମିତ କେବଳ ରାଉରକେଲାର ଥିଲେ। ଡେଙ୍ଗୁ ‌ରୋଗୀ ବିଶେଷକରି ଜୁଲାଇ-ନଭେମ୍ବର ଭିତରେ ଅଧିକ ଚିହ୍ନଟ ହୋଇଥାନ୍ତି। ଗତବର୍ଷ କିନ୍ତୁ ସେପ୍ଟେମ୍ବର-ଅକ୍ଟୋବର ମାସରେ ଡେଙ୍ଗୁ ରୋଗ ରାଉରକେଲାରେ କୋକୁଆ ଭୟ ସୃଷ୍ଟି କରିଥିଲା। ୨୦୨୧ ଅଗଷ୍ଟ ଶେଷ ସୁଦ୍ଧା ଜିଲ୍ଲାରେ ମାତ୍ର ୪୮୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ; କିନ୍ତୁ ସେପ୍ଟେମ୍ବର ୧ରୁ ଅକ୍ଟୋବର ୫ ତାରିଖ ମଧ୍ୟରେ ସଂଖ୍ୟା ୧୧୦୨ରେ ପହଞ୍ଚିଥିଲା। ଏଥିମଧ୍ୟରୁ ରାଉରକେଲାରୁ କେବଳ ୧୦୪୮(୯୫%) ଜଣ ଚିହ୍ନଟ ହୋଇଥିଲେ। ତେବେ ସର୍ବାଧିକ ଆକ୍ରାନ୍ତ ଆର୍‌ଏସ୍‌ପି, ରେଲୱେ କଲୋନି ଆଦି ଅଞ୍ଚଳରୁ ଚିହ୍ନଟ ହୋଇଥିଲେ। ଏମିତିକି ଗତବର୍ଷ କିଛି ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଗତବର୍ଷ ଅକ୍ଟୋବର ୫ ତାରିଖରେ ରାଉରକେଲାରେ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ମୃତକ ଥିଲେ ଆର୍‌ଏସ୍‌ପିର ଜଣେ ଅବସରପ୍ରାପ୍ତ କର୍ମଚାରୀ(୬୩)। ସେ ଡେଙ୍ଗୁରେ ଆକ୍ରାନ୍ତ ହେବାପରେ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି ହୋଇଥିଲେ; ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe