DNA India
ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଭୋଜପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କିଛି ଟଙ୍କା ପାଇଁ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ଏଥିରେ ମଝିଆଭାଇ ଉତ୍ତ୍ୟକ୍ତ ହୋଇ ସାନଭାଇକୁ ହତ୍ୟା କରିଛି। ମୃତକ ଜଣକ ହେଲେ​ ଭୋଜପୁର ଗାଁର ବୁଡ଼ୁ ମହାନନ୍ଦଙ୍କ ସାନପୁଅ ନକୁଳ ମହାନନ୍ଦ (୨୫)। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।
ସୂଚନାମତେ, ବୁଡୁ ମହାନନ୍ଦ ଚାରି ବର୍ଷ ପୂର୍ବେ ଖଡ଼ିଆଳର ରାଜ ଗୋଏଲଙ୍କ ପାଖରେ ନିଜ ଜମି ବିକ୍ରି କରିଥିଲେ। ଜମି ବାବଦ ନେଇ ଗତ ୧୩ ତାରିଖ ରାଜ ଗୋଏଲ ଖଡ଼ିଆଳର ସୁମନ୍ତ ପଣ୍ଡାଙ୍କ ହାତରେ ବୁଡୁ ମହାନନ୍ଦଙ୍କ ସ୍ତ୍ରୀ ବାଳମତି ମହାନନ୍ଦଙ୍କୁ ୩୫୦୦ ଟଙ୍କା ଦେବା ପାଇଁ ପଠେଇ ଦେଇଥିଲେ। ସେହି ଦିନ ବୁଡୁ ମହାନନ୍ଦଙ୍କ ମଝିଆ ସୁରେଶ ମହାନନ୍ଦ ରାୟପୁରରୁ ନିଜ ଗ୍ରାମକୁ ଆସିଥିଲେ। ମା’ଙ୍କୁ କିଛି ଟଙ୍କା ନିଜ ଖର୍ଚ୍ଚ ପାଇଁ ମାଗିଥିଲେ। ହେଲେ ସେ ମନା କରିବାରୁ ସୁରେଶ ଓ ସାନଭାଇ ନକୁଳଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦୁଇ ଦିନ ପରେ ସେହି ଟଙ୍କା ମାଗିବା ଘଟଣାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇ ଉଗ୍ରରୂପ ଧାରଣ କରିଥିଲା। ଉତ୍ତ୍ୟକ୍ତ ସୁରେଶ ମଙ୍ଗଳବାର ରାତିରେ ନକୁଳ ଶୋଇଥିବା ବେଳେ କାଠ ଫାଲିଆରେ ଆକ୍ରମଣ କରିଥିଲେ। ବାରମ୍ବାର ମୁଣ୍ଡ ଉପରେ ପ୍ରହାର କରିବାରୁ ଅତ୍ୟଧିକ ରକ୍ତଶ୍ରାବ ହୋଇଥିଲା।
ପରେ ପରିବାର ଲୋକ ଘଟଣା ବିଷୟରେ ଜାଣି ନକୁଳଙ୍କୁ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଖଡ଼ିଆଳ ପୁଲିସ୍ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ହତ୍ୟା କରିଥିବା ସୁରେଶ ମହାନନ୍ଦଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥିସହ ପୁଲିସ୍ ଏକ ହତ୍ୟା ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନାଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି।
Follow Us