ରାୟଗଡ଼ା ରେଳ ଡିଭିଜନକୁ ନେଇ ଦୂର ହେଲା ଦ୍ୱନ୍ଦ୍ୱ: ଦକ୍ଷିଣ ଉପକୂଳ ନୁହଁ, ପୂର୍ବତଟ ଅଧୀନରେ ରହିବ

ରାୟଗଡ଼ା ନୂଆ ରେଳ ଡିଭିଜନ ପାଇଁ ଅଧିକ ଅର୍ଥ

India Rail Info

ଟାଇପୋଗ୍ରାଫିକାଲ ତ୍ରୁଟି ଥିଲା ବୋଲି ସଫେଇ
ତ୍ରୁଟି ସୁଧୁରିଲା, ଫସର ଫାଟିଲା ଆନ୍ଧ୍ରର ଷଡ଼୍‌ଯନ୍ତ୍ର

ରାୟଗଡ଼ା : ରାୟଗଡ଼ା ରେଳ ଡିଭିଜନକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବର ପରିସମାପ୍ତି ଘଟିଛି। ତୀବ୍ର ପ୍ରତିକ୍ରିୟା ପରେ ରେଳ ବିଭାଗ ତରବରିଆ ଭାବେ ତ୍ରୁଟି ସଜାଡ଼ିଛି। ଆନ୍ଧ୍ରର ଦକ୍ଷିଣ ଉପକୂଳ ଜୋନ୍ ବଦଳରେ ଓଡ଼ିଶାର ପୂର୍ବତଟ ରେଳ ଜୋନ୍ ଅଧୀନରେ ହିଁ ରାୟଗଡ଼ା ଡିଭିଜନ୍ ରହିବ ବୋଲି ସ୍ପଷ୍ଟ କରିଛି।

ରାୟଗଡ଼ା ରେଳ ଡିଭିଜନର ସ୍ଥିତି ଓ ଅଗ୍ରଗତିକୁ ନେଇ ରେଲୱେ ବୋର୍ଡକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ ସୂଚନାଧିକାର କର୍ମୀ ହେମନ୍ତ ପଣ୍ଡା। ରେଲୱେ ବୋର୍ଡ ୨୦୨୧ ଡିସେମ୍ବର ୨୮ ତାରିଖରେ ଶ୍ରୀ ପଣ୍ଡାଙ୍କୁ ପ୍ରଦାନ କରିଥିବା ତଥ୍ୟରେ ନୂତନ ଭାବେ ଗଠିତ ଆନ୍ଧ୍ରର ଦକ୍ଷିଣ ଉପକୂଳ ରେଲୱେ ଜୋନ୍ ଅଧୀନରେ ରାୟଗଡ଼ା ଡିଭିଜନ୍ ରହିବ ବୋଲି ଉଲ୍ଲେଖ କରିଥିଲା। ରାୟଗଡ଼ା ରେଳ ଡିଭିଜନକୁ ଇଷ୍ଟକୋଷ୍ଟ ରେଲୱେରୁ ବାଦ ଦେଇ ଆନ୍ଧ୍ରରେ ମିଶାଇବାକୁ ଚାଲିଥିବା ଷଡ଼୍‌ଯନ୍ତ୍ର ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ରେଳ ବିଭାଗର ଆନ୍ଧ୍ର ପ୍ରୀତିକୁ ନେଇ ଚାରିଆଡ଼ୁ ବିରୋଧ ହୋଇଥିଲା। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସଂଗଠନ ପକ୍ଷରୁ ରେଳ ବିଭାଗର ଏପରି ଯୋଜନାକୁ ନିନ୍ଦା କରାଯାଇଥିଲା। ଏପରିକି ଉକ୍ତ ଦିନ ଓଡ଼ିଶା ଗସ୍ତରେ ଥିବା ରେଳମନ୍ତ୍ରୀଙ୍କୁ ବି ଏ ସଂପର୍କିତ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା। ଯାହା ରେଳ ବିଭାଗକୁ ଅଡ଼ୁଆରେ ପକାଇଥିଲା।

publive-image

ଆନ୍ଧ୍ରର ଦକ୍ଷିଣ ଉପକୂଳ ବଦଳରେ ଓଡ଼ିଶାର ପୂର୍ବତଟ ରେଲୱେ ଜୋନ୍ ଅଧୀନରେ ହିଁ ରାୟଗଡ଼ା ନୂଆ ଡିଭିଜନକୁ ରଖିବା ନେଇ ରାଜ୍ୟ ସରକାରଙ୍କ ସମେତ ଚାରିଆଡ଼ୁ ଚାପ ସୃଷ୍ଟି ହେବା ପରେ ନିଷ୍ପତ୍ତିରେ ପରିବର୍ତ୍ତନ କରିଛି ରେଳ ବିଭାଗ। ସୂଚନା ଅଧିକାରୀ କର୍ମୀ ହେମନ୍ତ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟରେ ଟାଇପୋଗ୍ରାଫିକାଲ୍ ତ୍ରୁଟି ଥିଲା ବୋଲି ଆଜି ରେଲୱେ ବୋର୍ଡ ପକ୍ଷରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ବୋର୍ଡର ସ୍ବତନ୍ତ୍ର ଅଧିକାରୀ ମୁକୁଲ୍ କୁମାର ଅଗ୍ରୱାଲ୍। ଚିଠିରେ ଉଲ୍ଲେଖ ଅଛି, ରାୟଗଡ଼ା ନୂଆ ରେଳ ଡିଭିଜନ୍ ପାଇଁ ଇଷ୍ଟକୋଷ୍ଟ୍ ରେଲୱେ ଡିପିଆର ଦାଖଲ କରିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ରାୟଗଡ଼ା ଡିଭିଜନ୍ ପାଇଁ ୧୭୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।

ରାୟଗଡ଼ା ରେଳ ଡିଭିଜନକୁ ନେଇ ରେଲୱେ ବୋର୍ଡର ଏହି ସ୍ପଷ୍ଟୀକରଣ ପରେ ସମସ୍ତ ଦ୍ବନ୍ଦ୍ବ ଦୂର ହେବା ସହ ଆନ୍ଧ୍ରର ଚକ୍ରାନ୍ତ ଫସର ଫାଟିଥିବା ନେଇ ବହୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ଆନ୍ଧ୍ରର ଷଡ଼୍‌ଯନ୍ତ୍ର ଯୋଗୁ ହିଁ ୨୦୧୯ ଜୁଲାଇ ୧୭ ତାରିଖରେ ରାୟଗଡ଼ା ନୂଆ ରେଳ ଡିଭିଜନ୍ ଘୋଷଣା ସତ୍ତ୍ବେ ଆଜି ସୁଦ୍ଧା କୌଣସି ଅଗ୍ରଗତି ହୋଇପାରିନଥିବା ଅଭିଯୋଗ ହୋଇଛି। ସବୁଠୁ ବଡ଼ କଥା ହେଲା ନୂଆ ଡିଭିଜନ୍ ପାଇଁ ୧୭୦ କୋଟି ଟଙ୍କା ବ୍ୟୟ ବରାଦ ‌ହୋଇଥିବା ବେଳେ ଗତ ଦୁଇ ରେଳ ବଜେଟ୍‌ରେ ଏହି ଡିଭିଜନ୍ ପାଇଁ ମିଳିଛି ମାତ୍ର ୩ କୋଟି ୪୦ ଲକ୍ଷ ଅନୁଦାନ। ଯାହା ରେଳ ବିଭାଗର ଚକ୍ରାନ୍ତକୁ ପଦାରେ ପକାଇଛି।

publive-image

ଇଷ୍ଟକୋଷ୍ଟ୍ ରେଲୱେ ଅଧୀନରେ ଥିବା ବିଶାଖାପାଟଣା ସ୍ଥିତ ୱାଲଟିୟର୍ ଡିଭିଜନକୁ ବାର୍ଷିକ ସିଂହଭାଗ ରାଜସ୍ବ ପ୍ରଦାନ କରି ଆସୁଛି କୋରାପୁଟ-ରାୟଗଡ଼ା, କୋରାପୁଟ-ବଇଲାଡିଲା-କିରୁଣ୍ଡୋଲ୍-ବାଚେଲି ରେଳପଥ। ଏହି ଦୃଷ୍ଟିରୁ ଆନ୍ଧ୍ରରେ ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଦକ୍ଷିଣ ଉପକୂଳ ରେଲୱେ ଜୋନ୍ ଅଧୀନକୁ ରାୟଗଡ଼ା ଡିଭିଜନକୁ ନେବାକୁ ଚକ୍ରାନ୍ତ ହୋଇଥିଲା। ବିଳମ୍ବରେ ହେଲେ ବି ଆନ୍ଧ୍ରର ଚକ୍ରାନ୍ତ ଏବଂ ରେଲୱେ ବୋର୍ଡର ଭିତିରିଆ କାରସାଦି ଲୋକଲୋଚନକୁ ଆସିବା ପରେ ବିଭାଗ ନିଜ ତ୍ରୁଟି ସଜାଡ଼ିବା ସହ ରାୟଗଡ଼ା ନୂଆ ରେଳ ଡିଭିଜନ୍ ପୂର୍ବତଟ ରେଲୱେ ଜୋନ୍ ଅଧୀନରେ ହିଁ ରହିବା ନେଇ ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe