ପ୍ରଭୁ ଜଗନ୍ନାଥ ଓ ମୋ ବୋଉର ଆଶୀର୍ବାଦ ପାଇଁ ଗୋଟିଏ ଗାଁ ପିଲା ଆଜି ସମ୍ମାନିତ : ପ୍ରଫୁଲ୍ଲ ମହାନ୍ତି

ଚିତ୍ରଶିଳ୍ପୀ ତଥା ଖ୍ୟାତିସମ୍ପନ୍ନ ଲେଖକ ପ୍ରଫୁଲ୍ଲ ମହାନ୍ତିଙ୍କୁ ଅଭିନନ୍ଦନର ସୁଅ

ପ୍ରଭୁ ଜଗନ୍ନାଥ ଓ ମୋ ବୋଉର ଆଶୀର୍ବାଦ ପାଇଁ ଗୋଟିଏ ଗାଁ ପିଲା ଆଜି ସମ୍ମାନିତ : ପ୍ରଫୁଲ୍ଲ ମହାନ୍ତି

Twitter

ଭୁବନେଶ୍ବର : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ନାନପୁର ଗ୍ରାମରେ ଜନ୍ମିତ ଲଣ୍ଡନରେ ରହୁଥିବା ବିଖ୍ୟାତ ଚିତ୍ରଶିଳ୍ପୀ ତଥା ଖ୍ୟାତିସମ୍ପନ୍ନ ଲେଖକ ପ୍ରଫୁଲ୍ଲ ମହାନ୍ତି କେନ୍ଦ୍ର ସାହିତ୍ୟ ଅକାଦେମିର ସମ୍ମାନଜନକ ଅନରାରି ଫେଲୋ ପାଇଁ ମନୋନୀତ ହୋଇଥିବାରୁ ବିଭିନ୍ନ ମହଲରେ ଅଭିନନ୍ଦନର ସୁଅ ଛୁଟିଛି।

ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ୧୦ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଅକାଦେମିର ସାଧାରଣ ପରିଷଦ ବୈଠକରେ ଘୋଷିତ ହୋଇଛି। ୧୯୩୪ ମସିହା ଜୁଲାଇ ୧୧ ତାରିଖରେ ନାନପୁର ଗ୍ରାମରେ ଜନ୍ମିତ ୮୮ ବର୍ଷ ବୟସ୍କ ବିଶିଷ୍ଟ ଲେଖକ ୧୯୬୦ ମସିହାରୁ ଲଣ୍ଡନରେ ରହି ଆସୁଥିବାବେଳେ ସେ ଇଂରାଜୀ ଭାଷାରେ ୬ଖଣ୍ଡ ପୁସ୍ତକ ଲେଖଛନ୍ତି। ୧୯୭୩ ମସିହାରେ ତାଙ୍କ ଦ୍ବାରା ଲିଖିତ ପୁସ୍ତକ ‘ମାଇଁ ଭିଲେଜ, ମାଇଁ ଲାଇଫ’ ତାଙ୍କୁ ଆନ୍ତର୍ଜାତିକସ୍ତରରେ ବି ପ୍ରସିଦ୍ଧି ଆଣି ଦେଇଥିଲା। ଏହି ପୁସ୍ତକ ଇଂରାଜୀ, ଜାପାନିଜ, ନରିୱିଆନ ଓ ଡାନିସ୍ ଭାଷାରେ ମଧ୍ୟ ଅନୁଦିତ ହୋଇଛି। ଇଂଲଣ୍ଡର ପ୍ରସିଦ୍ଧ ଗଣମାଧ୍ୟମ ବିବିସି ଟେଲିଭିଜନ ପକ୍ଷରୁ ଏହି ପୁସ୍ତକର ବିଷୟବସ୍ତୁକୁ ନେଇ ନାନପୁର ଗାଁ ଉପରେ ଏକ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇ ବିଶ୍ବସ୍ତରରେ ପ୍ରସାରିତ ହୋଇଥିଲା ଏବଂ ୧୯୮୨ ମସିହାରେ ଏହି ଚଳଚ୍ଚିତ୍ର ‘ଫେଷ୍ଟିଭାଲ ଅଫ୍ ଇଣ୍ଡିଆ’ରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଶ୍ରୀ ମହାନ୍ତି ହେଉଛନ୍ତି ପ୍ରଥମ ଓଡ଼ିଆ ଯିଏ ବି ଲଣ୍ଡନର ରୟାଲ ଟାଉନ ପ୍ଳାନି ଇନଷ୍ଟିଚ୍ୟୁଟର ସଦସ୍ୟ ହେବାର ବିରଳ କୃତିତ୍ବ ଅର୍ଜନ କରିଛନ୍ତି ।

ଲଣ୍ଡନର ୨୦ ସସେସ୍କ ଷ୍ଟ୍ରିଟ୍‌ରେ ରହୁଥିବା ଶ୍ରୀ ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ଗୋଟିଏ ଗାଁ ପିଲା (ଭିଲେଜ ବୟ) ଯିଏ ନିଜ ଚେଷ୍ଟାରେ ଓଡ଼ିଆ, ଇଂରାଜୀ, ହିନ୍ଦୀ ଓ ବଙ୍ଗଳା ଭାଷା ଶିଖୁଥଲା- ସିଏ ଆଜି କେନ୍ଦ୍ର ସାହିତ୍ୟ ଅକାଦେମୀର ସର୍ବୋଚ୍ଚ ସମ୍ମାନ ପାଇବା ନିଶ୍ଚୟ ପ୍ରଭୁ ଶ୍ରୀ ଜଗନ୍ନାଥ, ମା’ ଶାରଳା ଓ ମୋ ବୋଉର ଆଶୀର୍ବାଦ ପାଇଁ ହିଁ ସମ୍ଭବ ହୋଇପାରିଛି ।’

ଶ୍ରୀ ମହାନ୍ତିଙ୍କ ସଫଳତା ଓ କୃତିତ୍ବ ପାଇଁ ତାଙ୍କ ବନ୍ଧୁ ବିଖ୍ୟାତ ହୃଦ୍‌ରୋଗ ବିଶେଷ ପ୍ରଫେସର ଜେ.ପି. ଦାସ, ପୂର୍ବତନ କୁଳପତି ଦେବଦାସ ଛୋଟରାୟ, ଲେଖିକା ବିୟତ୍‌ ପ୍ରଜ୍ଞା ତ୍ରିପାଠୀ, ବରିଷ୍ଠ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, ପ୍ରଫେସର ବୈଷ୍ଣବ ଚରଣ ମହାନ୍ତି, ଆକାଶବାଣୀର ଉପନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାମଲ, ଯାଜପୁର ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ ଶୁଭେନ୍ଦୁ କୁମାର ଭୂୟାଁ ଓ ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe