୧୭ ହଜାର କୋଟିର ପ୍ରହସନ: କଂଗ୍ରେସ

ସରକାରଙ୍କ ଆନ୍ତରିକତା ନେଇ ପ୍ରଶ୍ନ ଉଠାଇଲେ ପିସିସି ସଭାପତି

ଉପନିର୍ବାଚନ ପାଇଁ କଂଗ୍ରେସର ସଜବାଜ

ଏଠି ସବୁ ନୀତିଗତ ନିଷ୍ପତ୍ତି ଅଫିସରଙ୍କ ହାତରେ
ମନ୍ତ୍ରୀମାନେ ଏଠି ଅସହାୟ ଅବସ୍ଥାରେ ଅଛନ୍ତି
ତୁରନ୍ତ ସରକାର ସ୍ବତନ୍ତ୍ର ବିଧାନସଭା ବୈଠକ ଡକାନ୍ତୁ

ଭୁବନେଶ୍ବର : ଏ ସରକାର ପ୍ରତିଶ୍ରୁତି, ପ୍ରଚାର ଓ ପ୍ରତାରଣାର ସରକାର। ତାଲାବନ୍ଦ ଯୋଗୁଁ ଦେଶର ବିପର୍ଯ୍ୟସ୍ତ ଆର୍ଥିକ ସ୍ଥିତିକୁ ସଜାଡ଼ିବାକୁ ପ୍ରଧାନମନ୍ତ୍ରୀଙ୍କର ୨୦ ଲକ୍ଷ କୋଟି ଟଙ୍କା ଯେପରି ପ୍ରହସନ ସେହିପରି ରାଜ୍ୟ ସରକାରଙ୍କ ଜୀବିକା ନିମନ୍ତେ ଘୋଷଣା କରାଯାଇଥିବା ୧୭ ହଜାର କୋଟି କେବଳ ପ୍ରହସନ ଛଡ଼ା ଆଉ କିଛି ନୁହେଁ। ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଏପରି ସମାଲୋଚନା କରିଛନ୍ତି। ସିଧା ସିଧା କହିଛନ୍ତି, କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କୁ ନ ଜଣାଇ ଅଫିସରମାନେ ଏଠି ନିଷ୍ପତ୍ତି ନେଉଛନ୍ତି। ଗଣତନ୍ତ୍ରରେ ଏପରି ବ୍ୟବସ୍ଥା କେବେ ବି ଦେଖିବାକୁ ମିଳିନଥିଲା। ପ୍ରବାସୀ ଶ୍ରମିକ ଓ ଗରବିଙ୍କ ଜୀବିକା ପାଇଁ ସରକାର ଯାହା ବି ସ୍ଥିର କରିଛନ୍ତି, ସେସବୁ କାମ ଦେବନି। ତୁରନ୍ତ ସ୍ବତନ୍ତ୍ର ବିଧାନସଭା ଡକାଇ ଆଲୋଚନା ଜରିଆରେ ସ୍ଥାୟୀ ସମାଧାନର ରାସ୍ତା ବାହାର କରିବାକୁ ସେ ଆହ୍ବାନ କରିଛନ୍ତି।

ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି, ଗତ ୨୯ ତାରିଖରେ ବିଜେଡି ସରକାରର ପଞ୍ଚମ ପାଳିର ବର୍ଷ ପୂର୍ତ୍ତି ପାଇଁ କ୍ୟାବିନେଟ୍‌ ବୈଠକ ବସିଲା। ୧୦ ମିନିଟ୍‌ରେ ସାଢ଼େ ୪ କୋଟି ଲୋକଙ୍କ ଭାଗ୍ୟ ନିର୍ଦ୍ଧାରଣ ସରକାର କରିଦେଲେ। ପୂର୍ବ ଦିନ ଅର୍ଥାତ୍‌ ୨୮ ତାରିଖରେ ଉନ୍ନୟନ କମିସନର ବୈଠକ କରି ୧୭ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ସ୍ଥିର କରିସାରିଥିଲେ। କ୍ୟାବିନେଟ୍‌ରେ ଖାଲି ମନ୍ତ୍ରୀମାନଙ୍କୁ ଅବଗତ କରାଗଲା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ମନ୍ତ୍ରୀମାନେ ଏ ସରକାରରେ କେତେ ଅସହାୟ ଅବସ୍ଥାରେ ଅଛନ୍ତି। ଚାଷୀମାନଙ୍କୁ ସାଢ଼େ ୫ ଲକ୍ଷ କ୍ବିଣ୍ଟାଲ ବିହନ ଯୋଗାଇବାକୁ ସରକାର ଘୋଷଣା କରିଛନ୍ତି। କିନ୍ତୁ ଚଳିତ ବର୍ଷ ଖରିଫ ଋତୁ ପାଇଁ ରାଜ୍ୟ ବିହନ ନିଗମ ମାତ୍ର ସାଢ଼େ ୩ କ୍ବିଣ୍ଟାଲ୍‌ ବିହନ ଯୋଗାଇବ ବୋଲି ଆଗରୁ ଜଣାଇଛି। ବାକି ୨ କ୍ବିଣ୍ଟାଲ ବିହନ ସରକାର ଚାଷୀଙ୍କୁ କେବେ ଯୋଗାଇବେ ସେ ନେଇ ଏବେସୁଦ୍ଧା କିଛି ବି ତତ୍ପରତା ଦେଖାଇନାହାନ୍ତି। ମନରେଗାରେ ପ୍ରାୟ ୧ କୋଟିରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ନେଇ ସରକାରୀ ତଥ୍ୟ ରହିଥିବାବେଳେ ପ୍ରବାସୀ ଶ୍ରମିକମାନଙ୍କୁ କାମ ଦେବା ପାଇଁ ୨୦ କୋଟି ଶ୍ରମଦିବସ ସୃଷ୍ଟି କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି। ବାସ୍ତବରେ ଅଧିକାଂଶ ପ୍ରବାସୀ ଓଡ଼ିଆ ଶ୍ରମିକ ବାହାର ରାଜ୍ୟରେ ସୂତାକଳରେ କାମ କରନ୍ତି। ସୂତାକଳରେ କାମ କରୁଥିବା ଶ୍ରମିକଟିଏ ହଠାତ୍‌ ଆସି କିଭଳି ମାଟିକାମ କରିବ ତାହା ବୁଝି ହେଉନାହିଁ। କଂଗ୍ରେସ ସରକାର ସମୟରେ ଗଢ଼ି ଉଠିଥିବା ଟେକ୍‌ସ୍‌ଟାଇଲ୍‌ ମିଲ୍‌ ସବୁ ଆଜି ବନ୍ଦ ପଡ଼ିଛି। ସେସବୁକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବାକୁ ସରକାର କିଛି ବି ପଦକ୍ଷେପ ନେଲେନି। ଯଦି ଏସବୁ ମିଲ୍‌ ଚାଲୁଥାନ୍ତା ତା ହେଲେ ଏହି ଶ୍ରମିକମାନେ ନିଯୁକ୍ତି ପାଇପାରିଥାନ୍ତେ। ଆସନ୍ତା ୫ରୁ ୬ ମାସ ପାଇଁ ଶ୍ରମିକମାନଙ୍କୁ କିପରି ତ୍ବରିତ୍‌ ରୋଜଗାର ସୁବିଧା ମିଳିପାରିବ ସେଥିପାଇଁ ସରକାର କିଛି ବି ଚିନ୍ତା କରୁନାହାନ୍ତି। ସହରାଞ୍ଚଳ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଘୋଷଣା କରିଥିଲେ। ସେ ଅର୍ଥ କୁଆଡ଼େ ଗଲା ଓ କିପରି ଖର୍ଚ୍ଚ ହେଲା କେହି ଜାଣିପାରୁନାହାନ୍ତି।

publive-image livemint.com

ଗତବର୍ଷ ଫନିରେ ପୁରୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଜିଲ୍ଲାର କ୍ଷତିଗ୍ରସ୍ତଙ୍କ ପୁନରୁଦ୍ଧାର ପାଇଁ ୧୩୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ପୁରୀ ଜିଲ୍ଲାପାଳ ସେଥିରୁ ୨୦୦ କୋଟି ଟଙ୍କା ଫେରାଇଦେଲେ। ବାକି ୧୧୦୦ କୋଟି ଟଙ୍କାରୁ ଏବେ ବି ୬୦୦ କୋଟି ଟଙ୍କା ପଡ଼ିରହିଛି। ଲୋକଙ୍କ ଭିତରେ ବଣ୍ଟା ଯାଇନି। ସେହିପରି ୫ ହଜାର ଶଯ୍ୟା ବିଶିଷ୍ଟ ୩୪ଟି କୋଭିଡ୍‌ ହସ୍ପିଟାଲ୍‌ କରାଯାଇଛି। କିନ୍ତୁ ଭଦ୍ରକ ଓ ବାଲେଶ୍ବରର କରୋନା ଆକ୍ରାନ୍ତଙ୍କୁ ଭୁବନେଶ୍ବର ଅଣାଯାଉଛି। ଦୈନିକ ୧୫ ହଜାର କୋଭିଡ୍‌ ଟେଷ୍ଟ୍‌ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, କିନ୍ତୁ ତାହା ଏ ପର୍ଯ୍ୟନ୍ତ ହେଲାନି। ଏବେସୁଦ୍ଧା ୨୧ଟି ଟ୍ରେନ୍‌ ଓ ବିଭିନ୍ନ ବସ୍‌ ଯୋଗେ ମାତ୍ର ୪ରୁ ୫ ଲକ୍ଷ ଶ୍ରମିକ ଫେରିଛନ୍ତି। ଆହୁରି ପ୍ରାୟ ୬ ଲକ୍ଷ ଶ୍ରମିକ ଫେରିବେ। ତୁରନ୍ତ ସେମାନଙ୍କୁ କିପରି କାମ ଯୋଗାଇ ଦିଆଯିବ ସେ ନେଇ ଠୋସ୍‌ ଯୋଜନା ପ୍ରସ୍ତୁତ ହୋଇନି। ଚଳିତ ବର୍ଷ ଖରିଫ ଚାଷ ପାଇଁ ୭ ହଜାର ୫୦୦ କୋଟି ଟଙ୍କାର ସମବାୟ ଋଣ ପ୍ରଦାନ ପାଇଁ ଘୋଷଣା ହୋଇଥିଲା। କିନ୍ତୁ କରୋନା ପରିସ୍ଥିତିକୁ ଦେଖି ଗତ ୨୧ ତାରିଖରେ ଏହି ଋଣ ପରିମାଣ ୯ ହଜାର କୋଟି ଟଙ୍କା ବୃଦ୍ଧି ହେବା ନେଇ ବିଭାଗୀୟ ମନ୍ତ୍ରୀ ଘୋଷଣା କଲେ। ଅଥଚ ଏହା ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ନିଷ୍ପତ୍ତି ବୋଲି କୁହାଗଲା। ଏହି ଋଣ ବ୍ୟବସ୍ଥାରେ ୨୪ ଲକ୍ଷ ପରିବାର ଉପକୃତ ହେବେ ବୋଲି କୁହାଯାଇଛି। କିନ୍ତୁ ବାସ୍ତବରେ ରାଜ୍ୟରେ ଥିବା ୭୬% ଭାଗଚାଷୀଙ୍କ ପାଖରେ ଏହି ଋଣ ପହଞ୍ଚିବ କି ନାହିଁ ସେ ନେଇ ଶ୍ରୀ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟ ବାହାରେ ଏବେ ବି ପ୍ରାୟ ୬ ଲକ୍ଷ ଲୋକ ଫସି ରହିଛନ୍ତି। ସେମାନେ କେବେସୁଦ୍ଧା ରାଜ୍ୟକୁ ଫେରିବେ ସରକାର ସ୍ପଷ୍ଟ କରିବା ଦରକାର। ଏ ସରକାରଙ୍କ ପାଖରେ ଦୂର ଦୃଷ୍ଟି ଅଭାବ ରହିଛି। ବିପଦ ସମୟରେ ସମସ୍ତଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା ପରିବର୍ତ୍ତେ ଅଫିସରମାନଙ୍କ ଉପରେ ସବୁ ନିଷ୍ପତ୍ତି ଛାଡ଼ି ଦେଉଛନ୍ତି। ଏପରି ହେଲେ ଆଗକୁ ଓଡ଼ିଶା ଘୋର ସଂକଟର ସମ୍ମୁଖୀନ ହେବ ବୋଲି ପିସିସି ସଭାପତି ଚେତାଇ ଦେଇଛନ୍ତି।

ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଦାବି କରିଛନ୍ତି, ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପ୍ରସ୍ତାବ ମୁତାବକ ରାଜ୍ୟ ସରକାର ହୁଅନ୍ତୁ କି କେନ୍ଦ୍ର ସରକାର ତୁରନ୍ତ ପ୍ରତି ବେରୋଜଗାରୀ ଶ୍ରମିକଙ୍କୁ ମାସିକ ୭ ହଜାର ୫୦୦ ଟଙ୍କା ପ୍ରଦାନ କରିବା ଦରକାର। ଶ୍ରମିକଙ୍କ ହାତ ମୁଠାକୁ ନଗଦ ଦେଲେ ସେମାନେ ଖର୍ଚ୍ଚ କରିବା ଆରମ୍ଭ କରିବେ। ଫଳରେ ବଜାରକୁ ମଧ୍ୟ ସେହି ଅର୍ଥ ଆସିବା ଫଳରେ ଧୀରେ ଧୀରେ ବଜାର ଅବସ୍ଥା ମଧ୍ୟ ସୁଧୁରିବ। ସରକାରୀ ହିସାବ ଅନୁଯାୟୀ, ଭାରତ ବର୍ଷରେ ଯଦି ପ୍ରବାସୀ ଶ୍ରମିକମାନଙ୍କ ସଂଖ୍ୟା ୧୦ କୋଟି ହୋଇଥାଏ, ତାହେଲେ ଏ ବାବଦରେ ମାତ୍ର ୩ ଲକ୍ଷ କୋଟି ଖର୍ଚ୍ଚ ହେବ। ତାଲାବନ୍ଦରେ ପ୍ରବାସୀ ଶ୍ରମିକମାନଙ୍କ ପରିଚାଳନାରେ ରାଜ୍ୟ ସରକାର ଘୋର ତ୍ରୁଟି କରିଛନ୍ତି। ନିଷ୍ଠା ନ ଥାଇ ସରକାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହା ଚାଷୀ, ଗରିବ ଓ ବେରୋଜଗାରମାନଙ୍କ ପାଇଁ କେବଳ ପ୍ରବଞ୍ଛନା ଛଡ଼ା କିଛି ନୁହେଁ ବୋଲି ଶ୍ରୀ କାନୁନଗୋ ଅଭିଯୋଗ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ, କଂଗ୍ରେସ ନେତା ଜ୍ଞାନଦେବ ବେଉରା, ଅଭିଷେକ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe