ଭ୍ରଷ୍ଟାଚାରରେ ଶାହାଙ୍କ ସଂପୃକ୍ତି ଅଭିଯୋଗ କଲା ରାଜ୍ୟ କଂଗ୍ରେସ

Advertisment

ସୁପ୍ରିମ କୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦାବି

ସୁପ୍ରିମ କୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦାବି

ଓଡ଼ିଶା ବିଜେପିକୁ ନେଇ ଚିନ୍ତାରେ ହାଇକମାଣ୍ଡ

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି(ବିଜେପି)ର ମୁଖିଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୁର୍ନୀତି, ଭ୍ରଷ୍ଟାଚାର ଅଭିଯୋଗରେ ଜଡ଼ିତ ଥାଇ ଦଳରୁ ବିଦା ହେବା ପରମ୍ପରାରେ ପରିଣତ ହେଲାଣି। ହାଓ୍ଵଲା ଅଭିଯୋଗରେ ପ୍ରଥମେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲକୃଷ୍ଣ ଆଡ଼ଭାନୀ ଦଳରୁ ଇସ୍ତଫା ଦେଇଥିଲେ। ବଙ୍ଗାରୁ ଲକ୍ଷ୍ମଣ ଲାଞ୍ଚ ନେଉଥିବା ବେଳେ ତେହଲ୍‌କାର ଷ୍ଟିଙ୍ଗ ଅପରେସନରେ ଧରା ପଡ଼ି ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ସେହିପରି ନୀତିନ୍‌ ଗଡ଼କରୀ ମଧ୍ୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବିରୁ ଇସ୍ତଫା ଦେଇଛନ୍ତି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରମ ବନ୍ଧୁ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପାଳି ପଡ଼ିଛି।

ଆଜି ବିଜେପି ମୁଖିଆଙ୍କୁ ଏଭଳି କଟାକ୍ଷ କରିବା ସହ ତାଙ୍କର ଇସ୍ତଫା ଦାବି କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ। କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶାହାଙ୍କ ପୁତ୍ର ଜୟ ଶାହାଙ୍କ କମ୍ପାନୀର ଅଭୂତପୂର୍ବ ଅଭିବୃଦ୍ଧି ପଛରେ ଥିବା ରହସ୍ୟ ସଂପର୍କରେ ଆଶ୍ଚଯ୍ୟ ପ୍ରକଟ କରିଥିଲେ। ସେ କହିଲେ ଯେ ୨୦୧୪-୧୫ରେ ଜୟ ଶାହାଙ୍କ କମ୍ପାନୀ ଟେମ୍ପଲ୍‌ ଏଣ୍ଟରପ୍ରାଇଜେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ କମ୍ପାନୀର ବ୍ୟାବସାୟିକ କାରବାର ହୋଇଥିଲା ୫୦ ହଜାର ଟଙ୍କା। ମାତ୍ର ବର୍ଷକ ଭିତରେ ଏହାର ଆର୍ଥିକ ଅଭିବୃଦ୍ଧି ୮୦ କୋଟି ୫୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଏହି ବୃଦ୍ଧି ହାର ୧୬୦୦୦ ଗୁଣ। ଏହା ପଛରେ କି ରହସ୍ୟ ରହିଛି ବୋଲି ଶ୍ରୀ ହରିଚନ୍ଦନ ପଚାରିଥିଲେ।

ଏସବୁ ତଥ୍ୟ ‘ଦ ଓ୍ଵାୟର’ ନାମକ ଏକ ଓ୍ଵବ୍‌ ପୋର୍ଟାଲ୍‌ରେ ପ୍ରକାଶ ପାଇବା ପରେ ବିଜେପିର ମୁଖା ଖୋଲିଯାଇଥିବା ପିସିସି ସଭାପତି କହିଥିଲେ। ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ କୁହାଟ ଛାଡ଼ୁଥିବା ପ୍ରଧାନମନ୍ତ୍ରୀ ଓ ବିଜେପି ଅଧ୍ୟକ୍ଷ ଅଡ଼ୁଆରେ ପଡ଼ିଯାଇଛନ୍ତି। ମୋଦି କହିଥିଲେ, ‘ଖାଇବି ନାହିଁ କି ଖୁଆଇବି ନାହିଁ’। ଶାହା ବାରମ୍ବାର ଓଡ଼ିଶା ଆସି ଭ୍ରଷ୍ଟାଚାର, ଦୁର୍ନୀତି ବିରୋଧରେ ବିଜେପି ମୁକାବିଲା କରିବ ବୋଲି କହିଛନ୍ତିି। ଏବେ ତାଙ୍କ ପୁତ୍ରଙ୍କ ପାରିବାରିକ କମ୍ପାନୀରେ ଯେଉଁ ଅଭିବୃଦ୍ଧି କଥା ରିପୋର୍ଟରେ ଉଲ୍ଲେଖ ହୋଇଛି ସେ ନେଇ ତଦନ୍ତର ଆବଶ୍ୟକତା ରହିଛି। କିନ୍ତୁ ପ୍ରବର୍ତନ ନିର୍ଦେଶାଳୟ, ଆୟକର କମିସନ କି ସିବିଆଇ ଏହାର ତଦନ୍ତ କରିବାକୁ ଆଗଭର ହୋଇନାହାନ୍ତିି। ଏଣୁ ସୁପ୍ରିମ କୋର୍ଟର ପଦାସୀନ ୨ଜଣ ବିଚାରପତି ଏଭଳି ସାଂଘାତିକ ଅଭିଯୋଗ ନେଇ ତଦନ୍ତ କରିବାକୁ କଂଗ୍ରେସ ତରଫରୁ ଦାବି କରାଯାଇଛି। ଅନ୍ୟପକ୍ଷରେ ରିପୋର୍ଟ ପ୍ରକାଶ କରିଥିବା ଗଣମାଧ୍ୟମର କଣ୍ଠରୋଧ କରିବାକୁ ବିଜେପି ପକ୍ଷରୁ ୧୦୦ କୋଟି ଟଙ୍କାର ମାନହାନି ମାମଲା କରିବାକୁ ଯେଉଁ ଧମକ ଦିଆଯାଇଛି ତା’ର ସେ ଘୋର ନିନ୍ଦା କରିଥିଲେ। ଏହା ଫାଶୀବାଦ ବା ନାଜୀ ଚିନ୍ତାଧାରା ବୋଲି ଶ୍ରୀ ହରିଚନ୍ଦନ ଅଭିହିତ କରିଥିଲେ।

ମହାନଦୀ ଜଳବିବାଦ ନେଇ ଟ୍ରିବ୍ୟୁନାଲ୍‌ ଗଠନ ନେଇ ସେ କହିଲେ ଯେ ଟ୍ରିବ୍ୟୁନାଲ୍‌ରେ ରାଜ୍ୟ ସରକାରଙ୍କ ପକ୍ଷରୁ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରାଯିବା ଆବଶ୍ୟକ। ବିଜେପୁର ନିର୍ବାଚନ ପ୍ରସଙ୍ଗରେ ସେ ଉଭୟ ବିଜେଡି ଏବଂ ବିଜେପିକୁ କଟୁ ସମାଲୋଚନା କରି କହିଲେ ଉଭୟ ଦଳ ୯ ବର୍ଷ ଧରି ରାଜ୍ୟ ଅର୍ଥନୀତିକୁ ଧ୍ୱସ୍ତ କରିଛନ୍ତି। ଦିବଂଗତ ବିଧାୟକ ସୁବଳ ସାହୁ ଜୀବନର ଶେଷ ପର୍ଯ୍ୟନ୍ତ କଂଗ୍ରେସରେ ଥିଲେ। ତାଙ୍କ ପରିବାର କଂଗ୍ରେସ ଛାଡ଼ିଥିବାରୁ ସ୍ୱର୍ଗତଃ ସାହୁଙ୍କ ଆତ୍ମା କଷ୍ଟ ପାଉଥିବ ବୋଲି ସେ କହିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe