ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ମାନସ ମନ୍ଥନ: ଛାମୁଆ ସଂଗଠନ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବାର ଲକ୍ଷ୍ୟ

ପିସିସି ସଭାପତି ଭାବେ ନିଯୁକ୍ତ ହେବା ପରେ ଭକ୍ତଚରଣ ଦାସ ପୁରୀକୁ ସଂକଳ୍ପ ପଦଯାତ୍ରା କରିଥିଲେ। ଦଳୀୟ ସଂଗଠନକୁ ଚଳଚଞ୍ଚଳ କରିବା ଥିଲା ଏହି ପଦଯାତ୍ରାର ପ୍ରମୁଖ ଉଦ୍ଦେଶ୍ୟ। ଆଉ ବର୍ଷକ ପରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ।

dffvcfds

ଭୁବନେଶ୍ବର: ପିସିସି ସଭାପତି ଭାବେ ନିଯୁକ୍ତ ହେବା ପରେ ଭକ୍ତଚରଣ ଦାସ ପୁରୀକୁ ସଂକଳ୍ପ ପଦଯାତ୍ରା କରିଥିଲେ। ଦଳୀୟ ସଂଗଠନକୁ ଚଳଚଞ୍ଚଳ କରିବା ଥିଲା ଏହି ପଦଯାତ୍ରାର ପ୍ରମୁଖ ଉଦ୍ଦେଶ୍ୟ। ଆଉ ବର୍ଷକ ପରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନଜରରେ ରଖି ଆଜିଠାରୁ କଂଗ୍ରେସ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି। ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଭଳି ଛାମୁଆ ସଂଗଠନର ରାଜ୍ୟସ୍ତରୀୟ ଚିନ୍ତନ ଶିବିର ଜରିଆରେ ପଞ୍ଚାୟତ ସ୍ତରରେ ଦଳକୁ କିଭଳି ମଜଭୁତ କରାଯିବ ତାହା ଉପରେ ମାନସ ମନ୍ଥନ ହୋଇଛି। ଗୋଷ୍ଠୀ ବିବାଦକୁ ଭୁଲି ଦଳର ବହୁ ବରିଷ୍ଠ ନେତା ଏକାଠି ହୋଇ ନିଜର ମତ ରଖିଛନ୍ତି। ଓଡ଼ିଶାରେ କଂଗ୍ରେସର ଭୋଟ୍‌ ହାର ୧୩%କୁ ଖସି ଆସିଥିବା ବେଳେ ଏହାକୁ କିଭଳି ୩୦%କୁ ବଢ଼ାଯିବ ଓ ଗାଁରେ ସଭା, ପଦଯାତ୍ରା ଓ ଚା’ ଖଟି ଓ ଭାଗବତୀ ଟୁଙ୍ଗୀରେ ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କ ସହ ଆଲୋଚନା କରିବା ନେଇ ନିଷ୍ପତ୍ତି ହୋଇଛି। 

ଛାମୁଆ ସଂଗଠନ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବାର ଲକ୍ଷ୍ୟ
ପଞ୍ଚାୟତ ନିର୍ବାଚନରେ କଳ୍ପନା ବାହାରେ ପ୍ରଦର୍ଶନ କରିବ କଂଗ୍ରେସ: ଭକ୍ତ

ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି, ସଂକଳ୍ପ ଯାତ୍ରା ପରେ କଂଗ୍ରେସ କର୍ମୀ ଓ ନେତାଙ୍କ ଭିତରେ ପରିବର୍ତ୍ତନର ପରିବେଶ ସୃଷ୍ଟି ହୋଇଛି। ଆଗକୁ ପଞ୍ଚାୟତ ଓ ଗ୍ରାମ ଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନିଆଯିବ। ବର୍ଷ ଭିତରେ ପଞ୍ଚାୟତିରାଜ ସଂଗଠନର ସ୍ବରୂପ ଓ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବ୍ୟାପକଭାବେ ପ୍ରସ୍ତୁତ କରାଯିବ। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପ୍ରତି ସମସ୍ୟାକୁ ନେଇ ଆନ୍ଦୋଳନ ହେବ। ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ-ସଦସ୍ୟ, ପଞ୍ଚାୟତ ସମିତିର ଅଧ୍ୟକ୍ଷ ଥିବା ଦଳୀୟ କର୍ମୀଙ୍କୁ ବୈଠକକୁ ଡକାଯାଇଛି। ପଞ୍ଚାୟତ ନିର୍ବାଚନକୁ ଦଳ ଅତ୍ୟନ୍ତ ଗମ୍ଭୀରତାର ସହ ନେଉଛି। ଏହି ନିର୍ବାଚନରେ କଂଗ୍ରେସ କଳ୍ପନା ବାହାରେ ପ୍ରଦର୍ଶନ କରିବ। ଅତିକମ୍‌ରେ ୬୦୦ ଜିଲ୍ଲା ପରିଷଦ ଆସନ ଜିତିବାର ଲକ୍ଷ୍ୟ ରହିଥିବା ଶ୍ରୀ ଦାସ କହିଛନ୍ତି। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ଏକ ସର୍ବଭାରତୀୟ ସଂଗଠନ। ଦଳର ଯେତେସବୁ ଶାଖା ରହିଛି ତାହାକୁ ସକ୍ରିୟ କରିବା ଲାଗି ଏବେ ଉଦ୍ୟମ ହେଉଛି। କଂଗ୍ରେସକୁ ମଜଭୁତ କରିବା ପାଇଁ ପଞ୍ଚାୟତିରାଜ ସଂଗଠନ ହେଉଛି ଏକ ଅଙ୍ଗ। ତେଣୁ ଦଳକୁ ମଜଭୁତ କରିବା ଲାଗି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। 

ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ କହିବା କଥା ପଞ୍ଚାୟତ ନିର୍ବାଚନକୁ ଆଉ ବର୍ଷେ ରହିଲା। ୯୦% ଯୁବକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପଞ୍ଚାୟତ, ଜିଲ୍ଲାରେ ପଦଯାତ୍ରା, ସଂଧ୍ୟାରେ ସଭା, ଚା’ ଖଟି ଓ ଭାଗବତ ଟୁଙ୍ଗୀରେ ଲୋକଙ୍କ ସହ ଆଲୋଚନା ହେବ। ପଞ୍ଚାୟତ ସ୍ତରରେ ଦଳକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି। ସଂଗଠନର ରାଜ୍ୟ ସଭାପତି ସୁଦର୍ଶନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଚିନ୍ତନ ଶିବିରକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଅଧିବେଶନରେ ୩୦ଟି ଜିଲ୍ଲାରୁ ପ୍ରତିନିଧିମାନେ ଆଲୋଚନାରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ନିରୁପମା ପାତ୍ର, ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ସର୍ବଭାରତୀୟ ନେତା ସଚିନ ନାୟକ, ସାଧାରଣ ସମ୍ପାଦକ କୁନାଲ ବାନାର୍ଜୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଚିନ୍ତନ ଶିବିରକୁ ବିଜୟ ପ୍ରଧାନ ସଞ୍ଚାଳନ କରିଥିଲେ। ରୂପକ ତୁରୁକ, ସରୋଜ ବଳ, ପ୍ରଦ୍ୟୁମ୍ନ ଦାସ, ପ୍ରତାପ ପ୍ରଧାନ, ଗଣେଶ ସାହୁ, ସନ୍ତୋଷ ଜେନା, ପଦ୍ମ ଲୋଚନ ବେହେରା, ସୁରେଶ ଚୌଧୁରୀ, ନିରଞ୍ଜନ ଲେଙ୍କା, ପ୍ରଭାସିନୀ ରାଉତ, ପାଣ୍ଡବ କର୍ଣ୍ଣ, ଲବ କୁମାର ସାହୁ, ମୀନକେତନ ବେହେରା, ସୁଦର୍ଶନ ପାଇକରାୟ, ସୁବାସ ପ୍ରଧାନ, ପ୍ରତାପ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପ୍ରତାପ ପ୍ରଧାନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe