ପରାଜୟର ସମୀକ୍ଷା ପାଇଁ ସାହସ ଜୁଟାଇପାରୁନି କଂଗ୍ରେସ: ସମୀକ୍ଷା ପାଇଁ ଏଆଇସିସିକୁ ମାଳମାଳ ପତ୍ର

Advertisment

ଦଳୀୟ ପାଣ୍ଠି ନ ମିଳିବା ନେଇ ଅଭିଯୋଗ ଲମ୍ବୁଛି

ଦଳୀୟ ପାଣ୍ଠି ନ ମିଳିବା ନେଇ ଅଭିଯୋଗ ଲମ୍ବୁଛି

ଜଟଣୀରେ ବିଜେପିର ଭୋଟ୍‌ହାର ବଢୁଛି, ଖସି ଖସି ଯାଉଛି କଂଗ୍ରେସ

ଭୁବନେଶ୍ବର: ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୨ ସପ୍ତାହ ହେବାକୁ ବସିଲାଣି। ହେଲେ କେଉଁ କାରଣ ପାଇଁ ଚଳିତ ନିର୍ବାଚନରେ କଂଗ୍ରେସ ପଛେଇ ଗଲା ତାହାର ଆଜି ପର୍ଯ୍ୟନ୍ତ ସମୀକ୍ଷା ହେଲାନାହିଁ। କାହିଁକି ସରକାର ବିରୋଧୀ ହାୱାକୁ କଂଗ୍ରେସ ଭୋଟ୍‌ରେ ପରିଣତ କରିପାରିଲା ନାହିଁ ଓ ଏଥିପାଇଁ କେଉଁ କେଉଁ କାରଣ ଦାୟୀ ଏହାକୁ ଖୋଜିବା ଲାଗି କୌଣସି କମିଟି ମଧ୍ୟ ଗଠନ ହୋଇନାହିଁ। ଏହାଭିତରେ କିଛି ଜିଲ୍ଲା କଂଗ୍ରେସ ସଭାପତି ଓ ଛାମୁଆ ସଂଗଠନ ପକ୍ଷରୁ ଏଆଇସିସିଙ୍କୁ ଏ ବାବଦରେ ପତ୍ର ଲେଖିଥିବା କଂଗ୍ରେସ ମହଲରୁ ସୂଚନା ମିଳିଛି। ୨୦୦୦ ମସିହାରୁ ଓଡ଼ିଶାରେ କଂଗ୍ରେସ କ୍ଷମତାରେ ନାହିଁ। ପ୍ରତି ନିର୍ବାଚନରେ ଦଳର ଭୋଟ୍‌ ହାର କମିବାରେ ଲାଗିଛି। ୨୦୧୯ ନିର୍ବାଚନରେ କଂଗ୍ରେସ ୧୬.୩% ଭୋଟ୍ ପାଇଥିଲା। ଚଳିତ ନିର୍ବାଚନରେ ଏହା ୧୩.୨୬%କୁ ଖସି ଆସିଛି। ଦଳ ୩୩ଲକ୍ଷରୁ ଅଧିକ ଭୋଟ୍‌ ପାଇଛି। ଯଦିଓ ଆସନ ସଂଖ୍ୟା ୯ରୁ ବୃଦ୍ଧି ପାଇ ୧୪ରେ ପହଞ୍ଚିଛି, ମାତ୍ର ଅଧିକାଂଶ ସ୍ଥାନରେ ଦଳ ଅମାନତ ହରାଇଛି। ଦଳର ବରିଷ୍ଠ ନେତାମାନେ ନିର୍ବାଚନରେ ହାରି ଯାଇଛନ୍ତି। କେବଳ ଦକ୍ଷିଣ ଓଡ଼ିଶା କଂଗ୍ରେସରେ ଦଳ ଭଲ ପ୍ରଦର୍ଶନ କରିଛି।

୨୦୨୪ ନିର୍ବାଚନକୁ କଂଗ୍ରେସ ଅତି ଗୁରୁତ୍ବ ସହ ନେଇଥିବା ଦଳର ବରିଷ୍ଠ ନେତାମାନେ ଗଣମାଧ୍ୟମ ଆଗରେ କହିଥିଲେ। ପ୍ରଭାରୀ ଏ.ଚେଲ୍ଲାକୁମାରଙ୍କ ବଦଳରେ ଅଜୟ କୁମାରଙ୍କୁ ଦାୟିତ୍ବ ଦିଆଯାଇଥିଲା। ପିସିସି ସଭାପତି ଶରତ ପଟ୍ଟନାୟକ କର୍ମୀଙ୍କ ମନୋବଳ ବଢ଼ାଇବାକୁ ଡାକରା ଦେଲେ ୯ରୁ ୯୦। ଏହାସହ ଜାତୀୟ ଢାଞ୍ଚାରେ ଇଣ୍ଡି ମେଣ୍ଟ-ଓଡ଼ିଶା ଗଠନ ହେଲା। ଶେଷ ବେଳକୁ କେବଳ ଜେଏମ୍‌ଏମ୍‌ ଓ ସିପିଆଇଏମ୍‌କୁ ବାଦ୍ ଦେଲେ ଅନ୍ୟ ସବୁ ଆସନରେ କଂଗ୍ରେସ ନିଜର ପ୍ରାର୍ଥୀ ଦେଇଥିଲା। ବାରମ୍ବାର ପ୍ରାର୍ଥୀ ପରିବର୍ତ୍ତନ, ନିର୍ବାଚନ ପୂର୍ବରୁ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବଡ଼ ସମାବେଶର ଆୟୋଜନ ହୋଇନପାରିବା ଓ ଦଳୀୟ ନେତାମାନେ ଏକ ହୋଇ ପ୍ରଚାରକୁ ନ ଓହ୍ଲାଇବା ଭଳି ଘଟଣା ପାଇଁ କଂଗ୍ରେସ ପଛରେ ରହିଗଲା ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

ଦଳୀୟ ପାଣ୍ଠି ନ ମିଳିବା ନେଇ ଅଭିଯୋଗ ଲମ୍ବୁଛି
ଅଜୟ କୁମାର କହିଲେ ପର୍ଯ୍ୟବେକ୍ଷକ ଏଆଇସିସିକୁ ରିପୋର୍ଟ ଦେଇଛନ୍ତି

କଂଗ୍ରେସ ମହଲରୁ ମିଳିଥିବା ସୂଚନା ଅନୁସାରେ, ଦଳୀୟ ପ୍ରାର୍ଥୀଙ୍କୁ ପାଣ୍ଠି ଦିଆ ନ ଯିବା, ପ୍ରଚାର ପାଇଁ ପ୍ରସ୍ତୁତ ହୋଇଥିବା ଏଲ୍‌ଇଡି ଗାଡ଼ି ଠିକ୍ ସମୟରେ ଉପଲବ୍ଧ ନ ହେବା, ପ୍ରଚାର କମିଟିରେ ଯେଉଁମାନେ ସ୍ଥାନ ପାଇଥିଲେ ସେମାନେ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ନ ଓହ୍ଲାଇବା ଓ କେଉଁ ପରିସ୍ଥିତିରେ ବିଭିନ୍ନ ସ୍ଥାନରେ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରାଗଲା ତାହା ସଂପର୍କରେ ଆଲୋଚନା କରିବାକୁ ଛାମୁଆ ସଂଗଠନମାନେ ଏଆଇସିସିକୁ ପତ୍ର ଲେଖି ଜଣାଇଛନ୍ତି। ନିର୍ବାଚନ ପରାଜୟ ପରେ କାରଣ ନ ଖୋଜି କାହିଁକି ଦଳୀୟ କର୍ମକର୍ତ୍ତାଙ୍କୁ ମନଇଚ୍ଛା ବହିଷ୍କାର କରାଯାଉଛି ଏହା ପଛର ପ୍ରକୃତ ଉଦ୍ଦେଶ୍ୟ ଖୋଜିଯିବା ଦରକାର ବୋଲି ନେତାମାନେ କହିଲେଣି। ନିର୍ବାଚନ ପୂର୍ବରୁ ପୁରୀ ସାଂସଦ ପ୍ରାର୍ଥୀ ପାଣ୍ଠି ନ ମିଳିବା ଅଭିଯୋଗରେ ଟିକେଟ୍ ଫେରାଇ ଦେଇଥିଲେ। ଏବେ ନୀଳଗିରି ବିଧାୟକ ପ୍ରାର୍ଥୀ ଅକ୍ଷୟ ଆଚାର୍ଯ୍ୟ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଏଆଇସିସିରୁ ଆସିଥିବା ଟଙ୍କା ବଣ୍ଟନକୁ ନେଇ ଉଚ୍ଚପଦସ୍ଥ ନେତାଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। କେବଳ ସେତିକି ନୁହେଁ, କଂଗ୍ରେସ ଟିକେଟ୍‌ ବିକ୍ରି ହୋଇଥିବା କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ। ଦଳର ୫୫ ବିଧାୟକ ପ୍ରାର୍ଥୀ ଓ ୧୧ ସାଂସଦ ପ୍ରାର୍ଥୀ ଦଳୀୟ ପାଣ୍ଠି ପାଇ ନ ଥିବା କୁହାଯାଉଛି। ତେବେ ଏଆଇସିସିରୁ ଆସିଥିବା ଅର୍ଥ କୁଆଡ଼େ ଗଲା? ଏସବୁ ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ କରାଯାଉ ବୋଲି ନାମ ଗୋପନ ସର୍ତ୍ତରେ କିଛି ନେତା କହିଛନ୍ତି।

ଏସବୁ ଭିତରେ ରାଜ୍ୟ କଂଗ୍ରେସରେ ପୁଣିଥରେ ନେତୃତ୍ବ ପରିବର୍ତ୍ତନ ଦାବି ଉଠିଲାଣି। ଦଳର ପରାଜୟ ପାଇଁ ନୈତିକତା ଦୃଷ୍ଟିରୁ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଭକ୍ତଚରଣ ଦାସ ଇସ୍ତଫା ଦେଇଥିବା ବେଳେ ପିସିସି ସଭାପତି କାହିଁକି ନିଜ ପଦବିରେ ରହିଛନ୍ତି ବୋଲି ଅନେକ ପ୍ରଶ୍ନ କରିଛନ୍ତି। ଦଳର ଜଣେ ଯୁବ ଚେହେରାଙ୍କୁ ପିସିସି ସଭାପତି କରିବା ଲାଗି କିଛି ନେତା ମତ ରଖିଛନ୍ତି। ଏ ସଂପର୍କରେ ପ୍ରଭାରୀ ଅଜୟ କୁମାର କହିଛନ୍ତି, କିଛି ପ୍ରାର୍ଥୀଙ୍କୁ ଅର୍ଥ ଦିଆଯାଇ ନ ଥିବା କଥା ସତ। ତୃଣମୂଳସ୍ତରରେ ସର୍ଭେ କରାଯିବା ପରେ ଯେଉଁ ପ୍ରାର୍ଥୀମାନେ ନିର୍ବାଚନ ଲଢ଼ୁଥିଲେ ସେମାନଙ୍କୁ କେବଳ ଅର୍ଥ ଦିଆଯାଇଛି। ଏଆଇସିସି ସେମାନଙ୍କ ଆକାଉଣ୍ଟ୍‌ରେ ଏହି ଅର୍ଥ ଦେଇଛି। ଏଥିରେ ଆମର କିଛି କରିବାର ନାହିଁ। ଏହାସହ ଓଡ଼ିଶାରେ ବିଧାନସଭା ଓ ସାଂସଦୀୟ କ୍ଷେତ୍ରରେ ଦଳର ପ୍ରଦର୍ଶନକୁ ନେଇ ପର୍ଯ୍ୟବେକ୍ଷକମାନେ ସେମାନଙ୍କ ରିପୋର୍ଟ ଏଆଇସିସିକୁ ପ୍ରଦାନ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe