The Sentinel Assam
ଭୁବନେଶ୍ବର : ଓଡ଼ିଶା ପ୍ରଦେଶ ଅଣ ସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସର ରାଜ୍ୟ କାର୍ଯ୍ୟକାରୀ କମିଟିର ବୈଠକ ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କେନ୍ଦ୍ର କମିଟି ଆବାହକ ତଥା ଓଡ଼ିଶା ପ୍ରଭାରୀ କୁତଉଦ୍ଦିନ ଖାନ୍ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ଖାନ୍ କହିଲେ ଯେ କଂଗ୍ରେସ ସରକାର ଦ୍ବାରା ନିର୍ମାଣ ଶ୍ରମିକ ଆଇନ ୧୯୯୬, ମନରେଗା ଆଇନ ୨୦୦୫, ଅଣ ସଂଗଠିତ ଶ୍ରମିକ ଆଇନ ୨୦୦୮ ଓ ଉଠାଦୋକାନୀ ଆଇନ ୨୦୧୪ ପ୍ରଣୟନ କରାଯାଇଥିଲା। ମାତ୍ର ବର୍ତ୍ତମାନର କେନ୍ଦ୍ରର ବିଜେଡି ଓ ରାଜ୍ୟର ବିଜେଡି ସରକାର ଏହାକୁ ଦିଗହରା କରିବାକୁ ବସିଛନ୍ତି। ତେଣୁ ଅଣ ସଂଗଠିତ ଶ୍ରମିକ କଂଗ୍ରେସକୁ କେବଳ ୩୦ ଜିଲ୍ଲାରେ ସୀମିତ ନ ରଖି ସବୁ ବ୍ଲକ୍ ଓ ହଜାର ହଜାର ଗ୍ରାମ କମିଟି ଗଠନ କରି ଏହି ଆଇନକୁ ସୁରକ୍ଷିତ ରଖିବାକୁ ହେବ।
ପିସିସି ଉପ-ସଭାପତି ଶିବାନନ୍ଦ ରାୟ, ମୁଖପାତ୍ର ମନୋରଂଜନ ଦାଶ, ଉପାଧ୍ୟକ୍ଷା ଜ୍ୟୋତ୍ସ୍ନା ସେନାପତି, ପଦ୍ମନାଭ ନାୟକ, ବିଦ୍ୟାଧର ଜେନା, ସାଗର ପରିଡ଼ା, ବିକାଶ ଦାସ, ସୁଭାଷ ପ୍ରଧାନ, ରୁକ୍ମଣୀ ଦଳେଇ, ପ୍ରକାଶ ମହାନ୍ତି, ଶିବ ପ୍ରସାଦ ନାଥ, ଭୁଦେବ ବାରିକ, ଗଣେଶ ପ୍ରସାଦ ମଲ୍ଲିକ, ଭାରତୀବାଳା ଦାସ ପ୍ରମୁଖ ଅଣ ସଂଗଠିତ ଶ୍ରମିକ କଂଗ୍ରେସକୁ ସଂଗଠିତ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଆଗକୁ ସାଂସଦ ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଓଡ଼ିଶା ଆଗମନ ରହିଥିବାରୁ ଦୁହିଁଙ୍କ ସମାବେଶରେ ବହୁ ସଂଖ୍ୟାରେ ଶ୍ରମିକ କଂଗ୍ରେସ ଯୋଗଦେବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା।
Follow Us