କଂଗ୍ରେସର ଅଭିଯୋଗ ଫର୍ଦ୍ଦ ଉନ୍ମୋଚିତ: ବିଜେଡି, ବିଜେପି ଭିତରେ ହୋଇଛି ଅଘୋଷିତ ମେଣ୍ଟ

କଂଗ୍ରେସର ଅଭିଯୋଗ ଫର୍ଦ୍ଦ ଉନ୍ମୋଚିତ: ବିଜେଡି, ବିଜେପି ଭିତରେ ହୋଇଛି ଅଘୋଷିତ ମେଣ୍ଟ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଗୁରୁବାର ଦିନ ରାଜ୍ୟ କଂଗ୍ରେସ ପକ୍ଷରୁ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଅଭିଯୋଗ ଫର୍ଦ୍ଦ ଉନ୍ମୋଚିତ ହୋଇଛି। ରାଜ୍ୟରେ ଚିଟ୍‌ଫଣ୍ଡ ଲୁଟ୍‌ ଘଟଣାରେ ସିବିଆଇର ସନ୍ଦେହଜନକ ଶିଥିଳତା, ପାରାଦୀପ ବନ୍ଦରରେ ବ୍ଲାକରୋଜ ଜାହାଜ ବୁଡ଼ି ଘଟଣା, ନୀଳାଚଳ ଇସ୍ପାତ ନିଗମ ବିକ୍ରି ଭଳି ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗ ଏହି ଅଭିଯୋଗ ଫର୍ଦ୍ଦରେ ସ୍ଥାନ ପାଇଛି। ଉଭୟ ଶାସକ ବିଜେଡି ଓ ବିଜେପିକୁ ଟାର୍ଗେଟ୍‌ କରିଛି କଂଗ୍ରେସ।

ଗୁରୁବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖପାତ୍ର ମନୋଜ ମହାପାତ୍ର କହିଲେ, ଶାସକ ବିଜେଡି ଓ ବିଜେପି ଭିତରେ ଅଘୋଷିତ ମେଣ୍ଟ ହୋଇଛି। ବିଜେଡି ରାଜ୍ୟରେ ଆନ୍ଦୋଳନ କରେ କିନ୍ତୁ ଦିଲ୍ଲୀରେ ଚୁପ୍। ସେହିପରି ବିଜେପି ବିଭିନ୍ନ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରେ, ହେଲେ ଦିଲ୍ଲୀରେ ଏମାନଙ୍କ ମୁହଁ ବନ୍ଦ। ଲୋକ ଦେଖାଣିଆ ଭାବେ ପରସ୍ପର ବିରୋଧରେ ଲଢ଼ୁଥିଲେ ହେଁ ଏମାନଙ୍କ ଭିତିରି ସଂପର୍କ ରହିଛି। ପାରାଦୀପ ବନ୍ଦର ବ୍ଲାକରୋଜ ବୁଡ଼ି ଘଟଣା ଓ ଚିଟ୍‌ଫଣ୍ଡ ସ୍କାମର ସିବିଆଇ ତଦନ୍ତରେ ଶିଥିଳତା ଏହାର ବଳିଷ୍ଠ ପ୍ରମାଣ। ନବୀନ ସରକାରର ୨୨ବର୍ଷରେ ୨୨ କଳା କାରନାମାର ଏକ ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରାଯାଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ବିଧାୟକ ସୁରେଶ କୁମାର ରାଉତରାୟ କହିଲେ, ଚିଟଫଣ୍ଡ ସ୍କାମରେ ଶାସକ ବିଜେଡିର ୨୭ ବିଧାୟକ ଓ ୪ଜଣ ମନ୍ତ୍ରୀ ସଂପୃକ୍ତ ଅଛନ୍ତି। ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଏଭଳି ବହୁ ସ୍ପର୍ଶକାତର ପ୍ରସଙ୍ଗରେ କଂଗ୍ରେସ ଲୋକଙ୍କ ପାଖକୁ ଯାଇ ଜନସଚେତନତା ଜାଗ୍ରତ କରିବ ବୋଲି ଶ୍ରୀ ରାଉତରାୟ କହିଥିଲେ। ଏହି କାର୍ଯ୍ୟକ୍ରମରେ ପିସିସି ଉପ-ସଭାପତି ଶିବାନନ୍ଦ ରାୟ, ଯଜ୍ଞେଶ୍ବର ବାବୁ, ଚିନ୍ମୟ ସୁନ୍ଦର ଦାସ, ଜ୍ଞନଦେବ ବେଉରା, ମନୋରଂଜନ ଦାଶ, ଶାନ୍ତନୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe