ଭୁବନେଶ୍ୱର : ରାୟଗଡ଼ା ଜିଲ୍ଲା କାଶୀପୁରରେ ଝାଡ଼ାବାନ୍ତି ଯୋଗୁଁ ୭ଜଣଙ୍କର ମୃତ୍ୟୁ ହେବା ଏବଂ ୪୦ରୁ ଅଧିକ ଗୁରୁତର ହେବା ଘଟଣାରେ ପିସିସି ସଭାପତି ଶରତ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହାସହ ଆଦିବାସୀଙ୍କ ସ୍ବାସ୍ଥ୍ୟ ଓ ଅର୍ଥନୈତିକ ଅବସ୍ଥା ପ୍ରତି ସରକାରଙ୍କ ଉଦାସ ମନୋଭାବକୁ ନିନ୍ଦା କରିଛନ୍ତି। ଏହାସହ ଏହି ସମ୍ବେଦନଶୀଳ ଘଟଣାର ଅନୁସନ୍ଧାନ ପାଇଁ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରିଛନ୍ତି।
ଓପିସିସିର ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଭୁଜବଳ ମାଝୀ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। ପୂର୍ବତନ ସାଂସଦ ନକୁଳ ନାୟକ ଆବାହକ ଥିବାବେଳେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ବିନୋଦ ପାତ୍ରଙ୍କ ସମେତ ପିସିସି ମୁଖପାତ୍ର ଅମୀୟ ପାଣ୍ଡବ କମିଟିର ସଭ୍ୟ ଅଛନ୍ତି। ଏହି କମିଟି ତିନିଦିନ ମଧ୍ୟରେ କାଶୀପୁର ଗସ୍ତ କରି ପ୍ରଦେଶ କଂଗ୍ରେସକୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କଂଗ୍ରେସର ଗଣମାଧ୍ୟମ ମୁଖ୍ୟ ଗଣେଶ୍ବର ବେହେରା ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
Follow Us