ଦିବ୍ୟଶଙ୍କରଙ୍କୁ ଗିରଫ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

Advertisment

ଦରଦାମ ବୃଦ୍ଧି; ମୋଦୀ-ନବୀନ ପ୍ରାୟୋଜିତ

ଦରଦାମ ବୃଦ୍ଧି; ମୋଦୀ-ନବୀନ ପ୍ରାୟୋଜିତ

ଦିବ୍ୟଶଙ୍କରଙ୍କୁ ଗିରଫ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଭୁବନେଶ୍ବର : ମମିତା ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଗିରଫ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛି ରାଜ୍ୟ କଂଗ୍ରେସ। ମନ୍ତ୍ରୀ ଦିବ୍ୟଶଙ୍କର ନବୀନ ବାବୁଙ୍କ ଛତ୍ରଛାୟା ତଳେ ସୁରକ୍ଷିତ। ତେଣୁ ହାଇକୋର୍ଟଙ୍କ ଦ୍ବାରା ପରିଚାଳିତ ଏସ୍‌ଆଇଟି ଘଟଣାର ତଦନ୍ତ କରୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

ଆଜି କଂଗ୍ରେସ କାର୍ଯ୍ୟାଳାୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାହିନୀପତି ମମିତା ମେହେର ହତ୍ୟାକାଣ୍ଡ ଓ ଦରଦାମ ବୃଦ୍ଧିକୁ ନେଇ ଉଭୟ ‌ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ରାଜ୍ୟରେ ଦିନକୁ ୭ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ବେଳେ ମାତ୍ର ୨ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି। ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପାପକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ ବିଜେଡିର ଶୀର୍ଷ ନେତୃତ୍ବ ପର୍ଯ୍ୟନ୍ତ ସମସ୍ତେ ଅଣ୍ଟା ଭିଡ଼ିଛନ୍ତି। ମାତ୍ର କଂଗ୍ରେସ ଦଳ ଦୋଷୀଙ୍କୁ ଦଣ୍ଡ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବ। ନବୀନ ବାବୁ ତାଙ୍କ ଶାସନ କାଳ ଭିତରେ ବେବିନାଠାରୁ ଆରମ୍ଭ କରି ପରୀ ପର୍ଯ୍ୟନ୍ତ କାହାର ପରିବାରକୁ ନ୍ୟାୟ ଦେବାରେ ସକ୍ଷମ ହୋଇପାରି ନାହାନ୍ତି। ମମିତା ହତ୍ୟା ପ୍ରସଙ୍ଗରେ ଏବେ ସାରା ରାଜ୍ୟ ଜଳୁଛି। ଏ ନିଆଁକୁ ମୁଖ୍ୟମନ୍ତ୍ରୀ ଲିଭେଇ ପାରିବେ ନାହିଁ। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାରେ ମୋଦୀ ଓ ନବୀନ ସରକାରରେ ସାମଞ୍ଚସ୍ୟ ରହିଛି। ଓଡ଼ିଶାର ଗୃହ ରାଷ୍ଟ୍ର ମନ୍ତ୍ରୀ ମମିତା ହାତ୍ୟାରେ ସଂପୃକ୍ତ ନେଇ ଅଭିଯୋଗ ଆସିଥିବା ବେଳେ ଓ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ୪ଜଣଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବା ଭଳି ଅଭିଯୋଗ ଆସିଛି। ତେଣୁ ବିଜେପି ପକ୍ଷରୁ ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ହାସ୍ୟାସ୍ପଦ। ମୋଦୀ ଓ ନବୀନ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ବୋଲି ରାଜ୍ୟବାସୀ ଜାଣି ସାରିଲେଣି।

ସେହିପରି ଦରଦାମ ପ୍ରସଙ୍ଗରେ ତାରା କହିଥିଲେ ଯେ କେନ୍ଦ୍ର ଓ ଓଡ଼ିଶା ସାଧାରଣ ଜନତାଙ୍କ ରକ୍ତ ଶୋଷଣ କରୁଛନ୍ତି। ଲୋକ ଦରଦାମ ଚାପରେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଦୁଇ ସରକାର ଅତ୍ୟାବଶକ ସାମଗ୍ରୀର ଦର ଦିନକୁ ଦିନ ବୃଦ୍ଧି କରି ଚାଲିଛନ୍ତି। ମନମୋହନ ସିଂହ ସରକାର ସମୟରେ ଦେଶରେ ପେଟ୍ରୋଲ ଦର ୬୩ଟଙ୍କା ଥିବା ବେଳେ ଏବେ ପେଟ୍ରୋଲ ଓ ଡିଜେଲ ୧୦୦ ପାର୍ କରି ସାରିଲାଣି। ରନ୍ଧନ ଗ୍ୟାସ ଟାଙ୍କି ୪ଶହ ଟଙ୍କା ଥିବା ବେଳେ ଏବେ ହଜାର ଟଙ୍କା ଛୁଇଁବାକୁ ବସିଲାଣି। ୨୦୧୪ ମସିହାରୁ ନବୀନ ସରକାର ଏଭଳି ଅତ୍ୟାଚାରକୁ ସମର୍ଥନ ଦେଇ ଆସୁଥିବା ବେଳେ ଆଜି ହଠାତ୍ ନବୀନ ବାବୁଙ୍କ ନିଦ ଭାଙ୍ଗିଛି। ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ଦର ବୃଦ୍ଧି ପ୍ରସଙ୍ଗରେ ବିଜେଡି ନାଟକବାଜି କରୁଛି। ନବୀନ ସରକାରଙ୍କ ଆଳୁ ଓ ପିଆଜ ମିସନ ବିଫଳ। ଆଗାମୀ ଦିନରେ ଦରଦାମ ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଜନ ଆକ୍ରୋଷର ସମ୍ମୁଖୀନ ହେବେ ବୋଲି ଶ୍ରୀ ବାହିନୀପତି ଚେତାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe