ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗ : ତଦନ୍ତ ଓ ଜିଲ୍ଲାପାଳଙ୍କ ବହିଷ୍କାର ଦାବି କଲା କଂଗ୍ରେସ

Advertisment

ଅଧିଗୃହୀତ ସମସ୍ତ ଜମି ବିବାଦୀୟ ଓ ବେଆଇନ୍‌

ଅଧିଗୃହୀତ ସମସ୍ତ ଜମି ବିବାଦୀୟ ଓ ବେଆଇନ୍‌

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କଲ୍‌ ରେକର୍ଡ ସାର୍ବଜନୀନ କରାଯାଉ: କଂଗ୍ରେସ

YouTube

ଭୁବନେଶ୍ୱର : ପୁରୀ ବଗଲା ଧର୍ମଶାଳା ଜମି ବିକ୍ରିରେ ଆଇନ୍‌କାନୁନ୍‌କୁ ସମ୍ପୂର୍ଣ୍ଣ ଭାବେ ଜଳାଞ୍ଜଳି ଦିଆଯାଇଛି। ବଗଲା ଜମିର ଲୋଭ ଦେଖାଇ ସରକାର ଓ ଜିଲ୍ଲା ପ୍ରଶାସନ ବହୁ ବ୍ୟକ୍ତି ଓ ଲଜିଂ ମାଲିକଙ୍କୁ ଭଣ୍ଡାଇଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ଭାବେ କଂଗ୍ରେସ ଏପରି ଟାର୍ଗେଟ୍‌ କରିଛି। ବଗଲା ଧର୍ମଶାଳା ନୁହେଁ ଶ୍ରୀମନ୍ଦିର ସୁରକ୍ଷା କରିଡର ପାଇଁ ଅଧିଗୃହୀତ ହୋଇଥିବା ସମସ୍ତ ଜମି ବିବାଦୟ ଓ ବେଆଇନ। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହିତ ପୁରୀ ଜିଲାପାଳଙ୍କ ବହିଷ୍କାର ଦାବି କରିଛି ଦଳ।

ଦଳୀୟ ନେତା ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି, ଶ୍ରୀମନ୍ଦିରଠାରୁ ୭୫ ମିଟର ପରିଧି ଭିତରେ ଜମି ହରାଇ ଥିବା ବହୁ ବ୍ୟକ୍ତି ଓ ଲଜିଂ ମାଲିକମାନଙ୍କୁ ସରକାର ପ୍ରତାରଣା କରିଛନ୍ତି। ଶ୍ରୀମନ୍ଦିର ସୁରକ୍ଷା କରିଡର ନାଁରେ ହୋଇଥିବା ଜମି ଅଧିଗ୍ରହଣ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ଓ ପୁନର୍ବାସ ଥଇଥାନ ଆଇନ୍‌ ୨୦୧୩ ଅନୁଯାୟୀ ହୋଇନାହିଁ। ବଗଲା ଧର୍ମଶାଳା ଜମିକୁ ଚଞ୍ଚକତା କରି ମହାପ୍ରଭୁ ଜଗନ୍ନାଥଙ୍କ ଜମିକୁ ରାଜସ୍ବ ବିଭାଗକୁ ହସ୍ତାନ୍ତର କରାଗଲା। ଯାହାକି ସମ୍ପୂର୍ଣ୍ଣ ଭାବେ ବେଆଇନ। ଏଥିରେ ଓଡ଼ିଶା ଲ୍ୟାଣ୍ଡ୍‌ ସର୍ଭେ ଓ ସେଟଲ୍‌ମେଣ୍ଟ୍‌ ଆଇନ୍‌, ଓଡ଼ିଶା ଲ୍ୟାଣ୍ଡ୍‌ ରିଫର୍ମ୍‌ସ୍‌ ଆଇନ୍‌ ଓ ଓଡ଼ିଶା ଲ୍ୟାଣ୍ଡ୍‌ ଆକ୍ୟୁଜିସନ୍‌ ଆଣ୍ଡ୍‌ ପ୍ରୋସିଜିୟୋର୍‌ ଆଇନ୍‌ର ସର୍ତ୍ତାବଳୀଙ୍କୁ ସ୍ବଷ୍ଟ ଦିବାଲୋକରେ ଉଲଂଘନ କରାଯାଇଛି।

ଶ୍ରୀ ନାୟକ ଆହୁରି କହିଛନ୍ତି, ସୁରକ୍ଷା କରିଡର ପାଇଁ ଜମି ନେଲା ବେଳେ ସରକାର ଲୋକଙ୍କୁ ଅନ୍ଧାରରେ ରଖି ଆଇନ ମୁତାବକ ଜମି ଅଧିଗ୍ରହଣ ନ କରି ଲୋକଙ୍କଠାରୁ ଜମି କିଣାବିକା କରିଛନ୍ତି। ଯେହେତୁ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ହୋଇନାହିଁ ସେଥିପାଇଁ ଜମି ଦେଇଥିବା ବ୍ୟକ୍ତି ଭବିଷ୍ୟତରେ ଭୂ-ଅଧିଗ୍ରହଣ ଆଇନ୍‌ ଅନୁଯାୟୀ ବିସ୍ଥାପିତ ଭାବେ ବିବେଚିତ ହେବେନାହିଁ କି ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହେବେ। ଏପରିକି ଜମି ନେବା ବାବଦ କ୍ଷତିପୂରଣ ପ୍ରଦାନରେ ମଧ୍ୟ ବ୍ୟାପକ ହେରଫେର ହୋଇଥିବା ଶ୍ରୀ ନାୟକ ଅଭିଯୋଗ କରିଛନ୍ତି।

ତାଙ୍କ କହିବା କଥା ୨୦୧୫ ମସିହାରେ ମନ୍ଦିର ନିକଟସ୍ଥ କେତେକ ଅଳ୍ପ କେତେକ ପ୍ଲଟକୁ ସରକାର ଅଧିଗ୍ରହଣ କରିଥିଲେ। ସେତେବେଳେ ଡିସ୍‌ମିଲ୍ ପିଛା ୧ ଲକ୍ଷ ୮ ହଜାର ୬୧୨ ଟଙ୍କା ହିସାବରେ ଜମିର ମୂଲ୍ୟ ନିର୍ଦ୍ଧାରଣ ହୋଇଥିଲା। ଏହାର ଠିକ୍‌ ୪ ବର୍ଷ ପରେ ସେହି ଜମିର ମୂଲ୍ୟ ଡିସ୍‌ମିଲ୍ ପିଛା ୫୮ ହଜାର ୮୮୯ ଟଙ୍କା ସ୍ଥିର କରାଯାଇଛି। ଅର୍ଥାତ୍ ସାନି ବେଞ୍ଚ୍‌ ମାର୍କ୍‌ ଭ୍ୟାଲୁଏସନ୍‌ ନାଁରେ ପ୍ରତି ଡିସ୍‌ମିଲ୍ ଉପରେ ପ୍ରାୟ ୫୦ ହଜାର ଟଙ୍କା କାଟି ଦିଆଗଲା। ଯେତେବେଳେ ସାରା ପୃଥିବୀରେ ଜମିର ଦର ବଢିବାରେ ଲାଗିଛି ସେତିକିବେଳେ ଶ୍ରୀମନ୍ଦିର ପାଖରେ ଜମିର ରେଟ୍ ୪ ବର୍ଷ ଭିତରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କମ୍‌ ହେଲା କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି। ତା'ଛଡା ସୋଲାସିୟମ୍ ବାବଦରେ ବଜାର ମୂଲ୍ୟ ଉପରେ ୧୨ ପ୍ରତିଶତ ଅଧିକ ମୂଲ୍ୟ ଦେବା ପାଇଁ ସରକାର ନିୟମ କରିଛନ୍ତି । ମାତ୍ର ୨୦୧୯ ରେ ଯେଉଁ ଜମି ସରକାର କିଣିଛନ୍ତି ସେଥିରେ ୧୨ ପ୍ରତିଶତ ପ୍ରଦାନ କରାଯାଇ ନାହିଁ। କଂଗ୍ରେସ ନେତା ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ଅଭିଯୋଗ କରି କହିଛନ୍ତି, ଜିଲ୍ଲାପାଳ ନିଜେ ଜିଲ୍ଲାର ସର୍ବୋଚ୍ଚ ରାଜସ୍ବ ଅଧିକାରୀ ହିସାବରେ ଆଇନ୍‌କୁ ଜଳାଞ୍ଜଳି ଦେଇ ନିଜ କ୍ଷମତାର ଦୁରୂପଯୋଗ କରିଛନ୍ତି। ଲଜିଂ ହାଉସ୍ ଫଣ୍ଡ୍‌ ନାଁରେ ଥିବା ସ୍ଥିତିବାନ୍‌ ଜମିକୁ ଏହାର ଅଧ୍ୟକ୍ଷ ଭାବରେ ଆଇନ ବହିର୍ଭୁତ ଭାବେ ସରକାରୀ ଖାତାକୁ ଆଣିଛନ୍ତି। ଯାହାକି ଏକ ପ୍ରକାର ଧର୍ତ୍ତବ୍ୟ ଅପରାଧ। ଏଥିପାଇଁ ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅମୀୟ କୁମାର ପଟ୍ଟନାୟକ, କଂଗ୍ରେସ ନେତା ରଜନୀ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe