ଅସନ୍ତୋଷ ଝାଡ଼ିଲେ ପୂର୍ବତନ ମନ୍ତ୍ରୀଙ୍କ ବୋହୂ ମମତା ମାଝି, ପୌରାଧ୍ୟକ୍ଷା ଟିକେଟ୍ ଦେବାକୁ ଡାକି କଂଗ୍ରେସ କରିଛି ଅପମାନ

ଟିକେଟ୍ କଟିବା ପରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ଚେତାବନୀ, ଚାପ ପକାଉଛନ୍ତି କଂଗ୍ରେସ-ବିଜେଡି ନେତା

ଅସନ୍ତୋଷ ଝାଡ଼ିଲେ ପୂର୍ବତନ ମନ୍ତ୍ରୀଙ୍କ ବୋହୂ ମମତା ମାଝି, ପୌରାଧ୍ୟକ୍ଷା ଟିକେଟ୍ ଦେବାକୁ ଡାକି କଂଗ୍ରେସ କରିଛି ଅପମାନ

ରାୟଗଡ଼ା: ପୌର ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ନଥିଲି। ଲବି ମଧ୍ୟ କରିନି। କଂଗ୍ରେସକୁ ଅଧ୍ୟକ୍ଷ ପ୍ରାର୍ଥୀ ନ ମିଳିବାରୁ ମୋତେ ଅଫର୍ ଦେଲେ। ଜିଲ୍ଲା କଂଗ୍ରେସ କମିଟିର ନିଷ୍ପତ୍ତି ପରେ ଜରୁରି କାମଛାଡ଼ି ରାଜସ୍ଥାନରୁ ବାହାରି ୨୪ ଘଣ୍ଟାରେ ରାୟଗଡ଼ାରେ ପହଞ୍ଚିଲି। ନିର୍ବାଚନରେ ଖର୍ଚ୍ଚ ହେବାକୁ ଥିବା ୫୦ ଲକ୍ଷ ଦେବାକୁ ରାଜି ମଧ୍ୟ ହୋଇଥିଲି। କିନ୍ତୁ ଗୋଟିଏ ରାତିରେ ଦଳ ନିଷ୍ପତ୍ତି ପରିବର୍ତ୍ତନ କରି ଆପଲସ୍ବାମୀ କାଡ୍ରକାଙ୍କୁ ପାର୍ଥୀ କରିଲା। ସୁଦୂର ରାଜସ୍ଥାନରୁ ଡାକି ଜଣେ ମହିଳାଙ୍କୁ ଏପରି ଅବହେଳା ଓ ଅପମାନ କରିବା କେଉଁ ପ୍ରକାର ନ୍ୟାୟ ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଅନନ୍ତରାମ ମାଝିଙ୍କ ବୋହୂ ମମତା ମାଝି।

ହୋଟେଲ୍ ସାଇ ଇଣ୍ଟରନ୍ୟାସନାଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମାଝି କହିଛନ୍ତି, ମୋ ପରିବାର ୫୦ ବର୍ଷ ଧରି କଂଗ୍ରେସ ସଂଗଠନରେ ରହି ଆସିଛି। ଶ୍ବଶୁର ଅନନ୍ତରାମ ମାଝି ୩୩ ବର୍ଷ ଧରି ବିଧାୟକ ଭାବେ ଲୋକଙ୍କ ବିକାଶ ପାଇଁ କାମ କରିଛନ୍ତି।  ସ୍ବାମୀ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝି ମଧ୍ୟ ଲୋକଙ୍କ ସେବା କରିଛନ୍ତି। ଏ ସବୁ ସତ୍ତ୍ବେ କଂଗ୍ରେସ ଟିକେଟ୍ ଦେବାରେ କ’ଣ ଅସୁବିଧା ରହିଲା। ଜିଲ୍ଲା କଂଗ୍ରେସ କମିଟିର ନିବେଦନରେ ଛୋଟ ଛୁଆକୁ ଧରି ରାଜସ୍ଥାନରୁ ଆସି ପହଞ୍ଚିବା ସହ ଦିନକରେ ନାମାଙ୍କନ ଦାଖଲ ପାଇଁ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିଥିଲି। ଏପରିକି ନାମାଙ୍କନ ଦାଖଲର ଶେଷ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ କଂଗ୍ରେସ ରାୟଗଡ଼ାର ୨୪ଟି ୱାର୍ଡରେ ପ୍ରାର୍ଥୀ ଚୟନ କରିବାରେ ଅକ୍ଷମ ଥିଲା। ‌

ମୋତେ ଅଧ୍ୟକ୍ଷା ପ୍ରାର୍ଥୀ କରିବାକୁ ପ୍ରତିଶ୍ରୁତି ଦେବା ପରେ ସବୁ ୱାର୍ଡ ବୁଲି ପ୍ରାର୍ଥୀ ଚୟନ କରିଥିଲି। କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦଳ ଦେଇଥିବା ୫୦ ଲକ୍ଷ ଟଙ୍କାର ବଜେଟକୁ ମଧ୍ୟ ଗ୍ରହଣ କରିଥିଲି। ହେଲେ ନାମାଙ୍କନ ଦାଖଲର ‌ଶେଷ ଦିନରେ ଦଳର କର୍ମକର୍ତ୍ତା ମୋତେ କୌଣସି ସୂଚନା ନ ଦେଇ ଆପଲସ୍ବାମୀଙ୍କୁ ନେଇ ନାମାଙ୍କନ ଦାଖଲ କରିବାକୁ ଯାଇଥିଲେ। ବାରମ୍ବାର ଫୋନ୍ କରିବା ପରେ ମଧ୍ୟ କେହି ଫୋନ୍  ଉଠାଇନଥିଲେ। ନାମାଙ୍କନ ଦାଖଲ ସମୟ ସରି ଆସୁଥିବାରୁ ଶେଷରେ ମୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲି। ନାମାଙ୍କନ ଯାଞ୍ଚ ଦିନ ମ‌ୋତେ ଓଡ଼ିଆ ଆସୁନଥିବା ଦର୍ଶାଇ ପ୍ରାର୍ଥୀ ପତ୍ର ନାକଚ କରିବାକୁ ନିର୍ବାଚନ ଅଧିକାରୀଙ୍କୁ କଂଗ୍ରେସ ନେତା ଚାପ ପକାଇଥିଲେ। କିନ୍ତୁ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ସେମିତି କିଛି ନିୟମ ନଥିବା ଦର୍ଶାଇ ପ୍ରାର୍ଥୀ ପତ୍ରକୁ କାଏମ ରଖିଥିଲେ। ପ୍ରାର୍ଥୀ ପତ୍ର କାଏମ ରହିବା ପରେ ଗତକାଲିଠୁ କଂଗ୍ରେସ ଓ ବିଜେଡି ନେତା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେବାକୁ ଚାପ ପକାଉଛନ୍ତି। କିନ୍ତୁ କଂଗ୍ରେସ କରିଥିବା ଅପମାନ ବିରୁଦ୍ଧରେ ମୁଁ ଲଢ଼ିବି। ରାୟଗଡ଼ାର ବିକାଶ ପାଇଁ ମହିଳାଙ୍କ ସମ୍ମାନ ଲାଗି ସ୍ବାଧୀନ ପ୍ରାର୍ଥୀ ଭାବେ ପୌରାଧ୍ୟକ୍ଷ ପଦବିରେ ଲଢ଼ିବାକୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ମମତା ମାଝି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe