ମହିଳା ଓ ନାବାଳିକା ଦୁଷ୍କର୍ମ ନେଇ ଶ୍ବେତପତ୍ର ଦାବିକଲା କଂଗ୍ରେସ

Advertisment
ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ଦେଶରେ ସବୁଠୁ କମ୍: କଂଗ୍ରେସ

www.odishabytes.com

ଭୁବନେଶ୍ବର : ପୁରୀ ଗଣଦୁଷ୍କର୍ମ ଘଟଣା ପରେ ରାଜଧାନୀର ଖଣ୍ଡିଗିରି ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ହୋଇଛି। ପ୍ରତିଦିନ ଲଗାତାର ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ନାବାଳିକା ଓ ମହିଳାଙ୍କ ପ୍ରତି ଅସଦାଚରଣ, ଯୌନ ନିର୍ଯାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କଲାଣି। ଏ ନେଇ ରାଜ୍ୟ ସରକାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକି ଶ୍ବେତପତ୍ର ଜାରି କରନ୍ତୁ। କଂଗ୍ରେସ ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ କରି ଏପରି ଦାବି କରାଯାଇଛି। ପୀଡ଼ିତା ଓ ତାଙ୍କ ପରିବାର ବର୍ଗଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ସଂଗ୍ରାମ ଜାରି ରଖିବ ବୋଲି ଦଳୀୟ ନେତା କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରି କହିଥିଲେ, ଭୁବନେଶ୍ବର ଅଶୋକନଗର ୟୁକୋ ବ୍ୟାଙ୍କ ସିନିୟର ମ୍ୟାନେଜର ତଥା ନବରଙ୍ଗପୁର ନିବାସୀ ଆର. ରଞ୍ଜିତା ରାଓଙ୍କ ଅନ୍ତରଙ୍ଗ ଫଟୋକୁ ସୋସିଆଲ ମି଼ଡିଆରେ ଭାଇରାଲ୍ କରିବା ଦ୍ବାରା ମାନସିକ ଚାପ କିମ୍ବା ଅନ୍ୟ କୌଣସି କାରଣ ପାଇଁ ସମ୍ପୃକ୍ତ ମହିଳା ଆତ୍ମହତ୍ୟା କଲେ। ରାଜ୍ୟ ସରକାରଙ୍କ ମା'କୁ ସମ୍ମାନ ଦେବା ସ୍ଲୋଗାନ୍ କେତେଦୂର ଯଥାର୍ଥ ଏ ନେଇ ମୁଖ୍ୟମନ୍ତ୍ରୀ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ରାଜ୍ୟବାସୀଙ୍କୁ ଜବାବ ଦେବା ଦରକାର। କଂଗ୍ରେସ ନେତା ପଦ୍ମାକର ଗୁରୁ ଅଭିଯୋଗ କରି କହିଥିଲେ, ପ୍ରତି ୧୫ ମିନିଟରେ ଦେଶରେ ଜଣେ ମହିଳା ଦୁଷ୍କର୍ମ ଓ ଗଣଦୁଷ୍କର୍ମର ଶିକାର ହେଉଥିବାବେଳେ ଦୈନିକ ରାଜ୍ୟରେ ୮ ଜଣ ମହିଳା ଓ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି। ବାରମ୍ବାର ଏପରି ଘଟଣା ଯୋଗୁଁ ରାଜ୍ୟର ପ୍ରତିଛବି ମଳିନ ପଡ଼ୁଛି। ଏ ନେଇ କଂଗ୍ରେସ ହୀନ ରାଜନୀତି କରୁନାହିଁ। ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ, ଦାୟିତ୍ବହୀନ ଓ ଅପାରଗତା ଯୋଗୁଁ ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନାରୀ ଓ ଶିଶୁ ନିର୍ଯାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ବିରୋଧରେ ଦଳ ସ୍ବର ଉଠାଉଛି। ଏଥିପାଇଁ ଲୋକମାନଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ବୋଲି ଶ୍ରୀ ନାୟକ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରମୁଖ ରାଜନୈତିକ ଦଳର ଦଳପତି ତଥା ବରିଷ୍ଠ ରାଜନେତାମାନଙ୍କୁ ଡକାଇ ଏନେଇ ଏକ ଠୋସ୍ ପଦକ୍ଷେପ ନିଅନ୍ତୁ। ନଚେତ୍ ଆଗାମୀ ଦିନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ସାରା ରାଜ୍ୟରେ ଆନ୍ଦୋଳନ କରିବାକୁ ଦଳ ବାଧ୍ୟ ହେବ ବୋଲି ଶ୍ରୀ ନାୟକ ସରକାରଙ୍କୁ ଚେତାବନୀ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ରଜନୀ ମହାନ୍ତି, ପ୍ରଶାନ୍ତ ଶତପଥୀ ଓ ଚିନ୍ମୟ ସୁନ୍ଦର ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe