ପ୍ରମୁଖ ବିରୋଧୀ ଦଳ ମାନ୍ୟତା ହରାଇଲା କଂଗ୍ରେସ

Advertisment

ଅଧିକାଂଶ ଆସନରେ ୩ୟ, ୪ର୍ଥ ସ୍ଥାନରେ ପାରଳାଖେମୁଣ୍ଡି ବିଧାୟକ, ୪% ପର୍ଯ୍ୟନ୍ତ ଭୋଟ ହାର ଖସିଲା, ଅନେକ ହରାଇଲେ ଅମାନତ

ଅଧିକାଂଶ ଆସନରେ ୩ୟ, ୪ର୍ଥ ସ୍ଥାନରେ ପାରଳାଖେମୁଣ୍ଡି ବିଧାୟକ, ୪% ପର୍ଯ୍ୟନ୍ତ ଭୋଟ ହାର ଖସିଲା, ଅନେକ ହରାଇଲେ ଅମାନତ

ପ୍ରମୁଖ ବିରୋଧୀ ଦଳ ମାନ୍ୟତା ହରାଇଲା କଂଗ୍ରେସ

4rth Eye News

ଭୁବନେଶ୍ବର : ପଞ୍ଚଦଶ ବିଧାନସଭାରେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଥିଲା କଂଗ୍ରେସ ଦଳ। କିନ୍ତୁ ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ ମାଟି କାମୁଡ଼ିଛି। ନିର୍ବାଚନ ଫଳାଫଳ ଆସିବା ଦିନକ ଆଗରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ହାତ ଟେକି ଦେଇଥିଲେ। ପୂର୍ବାନୁମାନ କରିଥିଲେ, ଦଳର ପ୍ରଦର୍ଶନ ଖରାପ ହୋଇପାରେ। କିନ୍ତୁ ପରାଜୟର ପରାଭବ ଯେ ଏତେ ସାଂଘାତିକ ହେବ ସେ କଥା ଦଳୀୟ ନେତା, କର୍ମକର୍ତା କେହି ବିଶ୍ବାସ କରିପାରୁ ନାହାନ୍ତି। ଏପରି ବିପର୍ଯ୍ୟୟର କାରଣ ବି ଖୋଜି ପାଉନାହାନ୍ତି। ଏଥିପାଇଁ ପିସିସି ସଭାପତି ଗଠନ କରିଛନ୍ତି ତଥ୍ୟ ଅନୁସନ୍ଧାନକାରୀ କମିଟି। ତେବେ ବିଧାନସଭା ହେଉ କି ଲୋକସଭା, କଂଗ୍ରେସ ଦଳର ଅଧିକାଂଶ ପ୍ରାର୍ଥୀ ୩ୟ ସ୍ଥାନକୁ ଖସିଛନ୍ତି। ଫଳରେ କଂଗ୍ରେସ ଦଳ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ପାଇବାରୁ ବଞ୍ଚିତ ହେବା ନିଶ୍ଚିତ। ଯେ କୌଣସି ରାଜନୈତିକ ଦଳରେ ବିଧାୟକ ସଂଖ୍ୟା ୧୬ରୁ କମ୍‌ ରହିଲେ, ବିରୋଧୀ ଦଳ ନେତା ପଦ ହରାଇବାକୁ ପଡ଼ିବ। ବରଂ ୩ୟ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡ଼ିବ। ତେବେ ବଡ଼ କଥା ହେଉଛି ଯେ ଦଳୀୟ ପ୍ରାର୍ଥୀମାନଙ୍କ ମଧ୍ୟରୁ ଅନେ‌କ ଅମାନତ ହରାଇଛନ୍ତି। ନିର୍ବାଚନ କମିସନଙ୍କ ସୂଚନାନୁସାରେ ଏକ ଷଷ୍ଠାଂଶରୁ କମ୍‌ ଭୋଟ ପାଇଥିଲେ, ସଂପୃକ୍ତ ପ୍ରାର୍ଥୀ ତାଙ୍କ ଜମା ବା ଅମାନତ ଫେରି ପାଇବେ ନାହିଁ।

ପୂର୍ବ ବୁଝାମଣା ଅନୁଯାୟୀ ରାଜ୍ୟ କଂଗ୍ରେସ ଦଳ ଆସ୍କା, ଭୁବନେଶ୍ବର ଓ ମୟୂରଭଞ୍ଜକୁ ସିପିଆଇ, ସିପିଆଇ(ଏମ୍‌) ଓ ଝାଡ଼ଖଣ୍ଡ ମୁକ୍ତିମୋର୍ଚାକୁ ଛାଡ଼ିଦେଇଥିଲା। ଅବଶିଷ୍ଟ ୧୮ଟି ଆସନରୁ କୋରାପୁଟ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ଗତକାଲି ବିଳମ୍ବିତ ରାତି‌େର ବିଜୟୀ ହେବା ଖବର ଆସିଥିଲା। ଏହା ଦଳ ପାଇଁ ବଡ଼ ଆଶ୍ବାସନା ଆଣିଛି। କାରଣ ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସ ଗୋଟିଏ ବି ଆସନ ଜିତିପାରି ନ ଥିଲା। ତେବେ ସୁନ୍ଦରଗଡ଼ରୁ ଜର୍ଜ ତିର୍କୀ ଓ ନବରଙ୍ଗପୁର ଲୋକସଭା ଆସନରୁ ପ୍ରଦୀପ ମାଝୀ ଜିତିବେ ବୋଲି ଦଳ ଆଶା ବାନ୍ଧିଥିଲା। କିନ୍ତୁ ସେହି ଆଶା ପାଣି ଫୋଟକାରେ ମିଳେଇଗଲା। ଅନ୍ୟ ଦଳୀୟ ପ୍ରାର୍ଥୀମାନେ ଫଳାଫଳ ତାଲିକାରେ ତୃତୀୟ ସ୍ଥାନରେ ରହିଥିବା ବେଳେ ପ୍ରଦୀପ ମାଝୀ ପ୍ରତିଦ୍ବନ୍ଦ୍ବିତା କରି ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସବୁଠାରୁ ନୈରାଶ୍ୟଜନକ ପରିଣାମ ଭୋଗିବାକୁ ପଡ଼ିଛି ଢେଙ୍କାନାଳ ଲୋକସଭା ପ୍ରାର୍ଥୀ କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ। ସେ ସର୍ବନିମ୍ନ ୭.୧ ପ୍ରତିଶତ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି।

ବିଧାନସଭା କ୍ଷେତ୍ରରେ କଂଗ୍ରେସ ଦଳର ପ୍ରଦର୍ଶନ ଆହୁରି ଖରାପ। ବ‌ିଜେପୁର କଂଗ୍ରେସ ପ୍ରାର୍ଥୀ ରିପୁନାଥ ସେଠ୍‌, ତଲସରାର ପ୍ରଫୁଲ୍ଲ ମାଝୀ, ରାଉରକେଲାର ବୀରେନ୍‌ ସେନାପତି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ହେମାନନ୍ଦ ବିଶ୍ବାଳଙ୍କ କନ୍ୟା ସୁନ୍ଦରଗଡ଼ ପ୍ରାର୍ଥୀ ଅମିତା ବିଶ୍ବାଳ, ସୁକିନ୍ଦା ପ୍ରାର୍ଥୀ ଶରତ ରାଉତ, ଜଳେଶ୍ବରର ସୁଦର୍ଶନ ଦାସ, ଢେଙ୍କାନାଳର ନବୀନ ନନ୍ଦ, ଛେଣ୍ଡିପଦାର ପ୍ରାର୍ଥୀ ତଥା ପୂର୍ବତନ ମହିଳା ସଭାନେତ୍ରୀ ସସ୍ମିତା ବେହେରା, ବରିଷ୍ଠ ନେତା ଭକ୍ତଚରଣ ଦାସଙ୍କ ପୁତ୍ର ତଥା ଭବାନୀପାଟଣା ପ୍ରାର୍ଥୀ ସାଗର ଦାସ, ଦଳର ସବୁଠାରୁ ଧନୀ ପ୍ରାର୍ଥୀ ବଡ଼ମ୍ବାର ବବି ମହାନ୍ତି, କଟକ ସଦରର ଅଭିଷେକ ମହାନନ୍ଦ, ପୂର୍ବତନ ପିସିସି ସଭାପତି ତଥା ସତ୍ୟବାଦୀ ପ୍ରାର୍ଥୀ ପ୍ରସାଦ ହରିଚନ୍ଦନ ପ୍ରମୁଖ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ତେବେ ପାରଳାଖେମୁଣ୍ଡି ବିଧାୟକ କେ. ସୂର୍ଯ୍ୟା ରାଓ ୪ର୍ଥ ସ୍ଥାନରେ ରହିଛନ୍ତି। ତାଙ୍କର ଭୋଟ ହାର ମାତ୍ର ୪ ପ୍ରତିଶତ। ଏଥିରୁ କଂଗ୍ରେସ ଦଳର ପ୍ରଦର୍ଶନ କିପରି ଥିଲା ତାହା ଜଳ ଜଳ ଦେଖାଯାଉଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଭୟ ଘସିପୁରା ଓ ଭଣ୍ଡାରିପୋ‌ଖରୀ ଆସନରୁ ଲଢ଼ି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଦଳୀୟ ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ପ୍ରାର୍ଥୀ ଗଣେଶ୍ବର ବେହେରା, ଡାବୁଗାଁର ବିଧାୟକ ଭୁଜବଳ ମାଝୀ, ଟିଟିଲାଗଡ଼ର ସୁରେନ୍ଦ୍ର ସିଂ ଭୋଇ, ଜଗତ୍‌ସିଂହପୁରର ଚିରଞ୍ଜୀବ ବିଶ୍ବାଳ, ଏରସମା-ବାଲିକୁଦାର ଡ. ଲଲାଟେନ୍ଦୁ ମହାପାତ୍ର, ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, ଆଳି ବିଧାୟକ ଦେବେନ୍ଦ୍ର ଶର୍ମା, କୋଟପାଡ଼ର ବିଧାୟକ ଚନ୍ଦ୍ରଶେଖର ମାଝୀ, ଲକ୍ଷ୍ମୀପୁରର କୈଳାସ ‌ଚନ୍ଦ୍ର କୁଲେସିକା, ପାରାଦୀପର ଅରିନ୍ଦମ ସର୍ଖେଲ ପ୍ରମୁଖ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe