ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦର ସ୍ଥାୟୀ ସମାଧାନ ଦାବି କଲା କଂଗ୍ରେସ : ମାସେ ମଧ୍ୟରେ ପ୍ରକ୍ରିୟା ଆରମ୍ଭ ନହେଲେ ଡିସେମ୍ବରରେ ଆମରଣ ଅନଶନ

Advertisment
ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦର ସ୍ଥାୟୀ ସମାଧାନ ଦାବି କଲା କଂଗ୍ରେସ : ମାସେ ମଧ୍ୟରେ ପ୍ରକ୍ରିୟା ଆରମ୍ଭ ନହେଲେ ଡିସେମ୍ବରରେ ଆମରଣ ଅନଶନ

ଭୋଗରାଇ/ଚନ୍ଦନେଶ୍ୱର : ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର ଉଦୟପୁର ବେଳାଭୂମିକୁ ହାତେଇବା ପାଇଁ ଦୀର୍ଘ ଚାରି ଦଶନ୍ଧି ଧରି ଉଦ୍ୟମ ଚଳାଇଛି ପଶ୍ଚିମବଙ୍ଗ ପ୍ରଶାସନ। ଗତ ଶୁକ୍ରବାର ଦିନ ସୀମାନ୍ତ ସାହାବାଜିପୁର ଗାଁରେ ପଶି ପଶ୍ଚିମବଙ୍ଗ ଦୀଘା-ଶଙ୍କରପୁର ଉନ୍ନୟନ କର୍ତ୍ତୃପକ୍ଷ ଜେସିବି ଲଗାଇ ଏକାଧିକ ଗଛ ଉପାଡିବା ସହ ସ୍ଥାନୀୟ ଅଧିବାସୀଙ୍କ ପାନବରଜକୁ ଭାଙ୍ଗି ସେଠାରେ ମାଟିକୁ ସମତଳ କରି ନିଜ ଦଖଲକୁ ନେବାର ପ୍ରୟାସ କରିଛି। ଏହାକୁ ନେଇ ପୁଣି ଏକ ସୀମା ବିବାଦ ମୁଣ୍ଡ ଟେକିଥିଲା ବେଳେ ଓଡ଼ିଶା ସରକାରଙ୍କ କୁମ୍ଭନିଦ୍ରା ଭଙ୍ଗ ହେଉନାହିଁ ବୋଲି ରବିବାର ଭୋଗରାଇ ବ୍ଲକ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି।

ସାହାବାଜିପୁର ପଞ୍ଚାୟତ କାର୍ଯ୍ୟାଳୟ ପଡିଆରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଭୋଗରାଇ କଂଗ୍ରେସ ନେତା ସତ୍ୟଶିବ ଦାସ ସୀମା ସମସ୍ୟାର ସ୍ଥାୟୀ ସମାଧାନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅପାରଗତାକୁ ଦାୟୀ କରିଥିଲେ। ଉପାନ୍ତ ସାହାବାଜିପୁର ଚନ୍ଦନେଶ୍ବର ମହାବିଦ୍ୟାଳୟ ପରିସରରେ ୧୪ ବର୍ଷ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଉତ୍କଳ ସମ୍ମିଳନୀର ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ଇଞ୍ଚେ ବି ଜମି ପଶ୍ଚିମବଙ୍ଗକୁ ଦିଆଯିବ ନାହିଁ ବୋଲି ଘୋଷଣା କରିଥିଲେ। ହେଲେ ଏହି ୧୪ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗ ପ୍ରଶାସନ ୨୮ ଥରରୁ ଅଧିକ ଓଡ଼ିଶା ମଧ୍ୟକୁ ଧସେଇ ପଶି ଜମି ଜବରଦଖଲ କରିବାକୁ ଉଦ୍ୟମ କରିଛି। ୨୦୧୧ ମସିହାରୁ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ତାଳସାରୀ ବେଳାଭୂମି ମହୋତ୍ସବକୁ ଉଦଘାଟନ କରିବାକୁ ଆସୁଥିଲେ ମଧ୍ୟ ଥରୁଟିଏ ସୀମା ସମସ୍ୟା ସମ୍ପର୍କରେ ମୁହଁ ଖୋଲିନାହାନ୍ତି। ୨୦୧୪ ଫେବ୍ରୁଆରି ୧୪ ତାରିଖ ବିଧାନସଭା ଅଧିବେଶନରେ ତତ୍କାଳୀନ ରାଜସ୍ବମନ୍ତ୍ରୀ ତଥା ବର୍ତ୍ତମାନର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୀମା ବିବାଦ ସମ୍ପର୍କରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ‘ପଶ୍ଚିମବଙ୍ଗ ସରକାର ଓଡ଼ିଶାର ଇଞ୍ଚେ ବି ଜମି ଦଖଲ କରିନାହିଁ’ ବୋଲି ବୟାନ ଦେଇଥିଲେ। ଯଦି ଆଳୁ ଆମଦାନି ପାଇଁ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ହୋଇପାରୁଛି ତେବେ ସୀମା ସମସ୍ୟାର ସମାଧାନକୁ ନେଇ କାହିଁକି ଆଲୋଚନା ହୋଇପାରିବ ନାହିଁ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ଡିସେମ୍ବର ୮ ତାରିଖ ମଧ୍ୟରେ ସୀମା ସମସ୍ୟାର ସମାଧାନ ପ୍ରକ୍ରିୟା ଆରମ୍ଭ ନହେଲେ ଭୋଗରାଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ଆମରଣ ଅନଶନରେ ବସିବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ବ୍ଲକ କଂଗ୍ରେସ ସଭାପତି ଆଶିଷ ପାତ୍ର, କାର୍ଯ୍ୟକାରୀ ସଭାପତି ଦୀପକ ଜେନା, ସାଧାରଣ ସମ୍ପାଦକ ସନ୍ତୋଷ ଜେନା, ସମ୍ପାଦକ ଦୀପେଶ ଚନ୍ଦ୍ର ରାୟ, ଜିଲ୍ଲା କଂଗ୍ରେସ ଉପସଭାପତି ଗୋପବନ୍ଧୁ ମହାପାତ୍ର ଓ ରାଜକିଶୋର ନାୟକ, ମତ୍ସ୍ୟଜୀବୀ କଂଗ୍ରେସ ଜିଲ୍ଲା ସଭାପତି ଶମ୍ଭୁନାଥ ମାଝି, ମହିଳା କଂଗ୍ରେସ ଜିଲ୍ଲା ସମ୍ପାଦିକା ମମତା ସାହୁ, ଶଙ୍ଖାରୀ ସରପଞ୍ଚ ତଥା ୩୫ ନଂବର ଜୋନ୍‌ କଂଗ୍ରେସ ସଭାପତି ରାଧାବିନୋଦ ଦାସ, ଯୁବ କଂଗ୍ରେସ ବ୍ଲକ ସଭାପତି ବନମାଳୀ ବେହେରା, ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଦାସ, ସମ୍ପାଦକ ଶିବୁ ଜେନା, ଜଳସୋହରିଆ ପଞ୍ଚାୟତ ସଭାପତି ଅନୀଲ ସାହୁ, ମନୋଜ ଦତ୍ତ, ଅନୁପ ଦାସ, କଂଗ୍ରେସ ନେତା ଗୋଲକ କର, ଗୌତମ ଦାସ, ଅନନ୍ତ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe