ଟିକା ଉତ୍ସବ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କଲା କଂଗ୍ରେସ

ଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ: କଂଗ୍ରେସ

The Samikhsya

ଭୁବନେଶ୍ବର : ରାଜ୍ୟରେ ଟିକା ନାହିଁ। ରାଜ୍ୟ ସରକାର ବାରମ୍ବାର ଟିକା ଦେବା ପାଇଁ କେନ୍ଦ୍ରକୁ ଚିଠି ଲେଖୁଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ୪ ଦିନ ଟିକା ଉତ୍ସବ ପାଳନ କରିବାକୁ ଆହ୍ବାନ ଦେଉଛନ୍ତି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଅରଣ୍ୟ ଉଲ୍ଲାସ। ଆଜି କଂଗ୍ରେସ ଭବନରେ ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ସମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି। ଶ୍ରୀ କାନୁନଗୋ ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ବହୁ ଅସତ୍ୟ ପ୍ରତିଶ୍ରୁତି ଦେଇ ଯେପରି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଭଣ୍ଡାଇଥିଲେ ଏବେ କୋଭିଡ ଟିକା ପ୍ରଦାନ ନେଇ ପୁଣି ଥରେ ମିଛ ପ୍ରତିଶ୍ରୁତି ଦେଇଚାଲିଛନ୍ତି।

ଏପ୍ରିଲ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଦେଶରେ କୋଭିଡ ଟିକା ଉତ୍ସବ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏ ନେଇ ଗତ ୮ ତାରିଖରେ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସୂଚନା ଦେଇଥିଲେ। କିନ୍ତୁ ଏହି ଉତ୍ସବ କାହିଁକି ବୋଲି ଉଭୟ କଂଗ୍ରେସ ନେତା ପ୍ରଶ୍ନ ଉଠାଇଛନ୍ତି। ଅଭିଯୋଗ କରିଛନ୍ତି, ସମ୍ବିଧାନ ଅନୁଯାୟୀ ରାଜ୍ୟମାନଙ୍କୁ ନେଇ ଭାରତ ଗୋଟିଏ ରାଷ୍ଟ୍ର। ଯେତେବେଳେ ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ ଆମ ରାଜ୍ୟ ଓଡ଼ିଶାରେ ଟିକା ସଂକଟ ସୃଷ୍ଟି ହୋଇଛି ସେତେବେଳେ ଉତ୍ସବ ପାଳନ କରିବା ସମ୍ପୂର୍ଣ୍ଣ ନିରର୍ଥକ। ପ୍ରଧାନମନ୍ତ୍ରୀଙ୍କର ଅଦୂରଦର୍ଶିତା ଓ ଅପରିଣାମଦର୍ଶିତା ଯୋଗୁଁ ଦେଶରେ କରୋନା ମହାମାରୀ ଆଜି ଏପରି କାୟ ବିସ୍ତାର କରିଚାଲିଲା। ଶ୍ରୀ ବେହେରା କହିଥିଲେ ଯେ ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇଛନ୍ତି ଗଚ୍ଛିତ ଥିବା ଟିକା ରବିବାର କିମ୍ବା ସୋମବାର ସୁଦ୍ଧା ସରିଯିବ। ତଥାପି କେନ୍ଦ୍ର ସରକାର ଆଦୌ କର୍ଣ୍ଣପାତ କରୁନାହାନ୍ତି। ଲାଗୁଛି ଯେପରି ଟିକା କେନ୍ଦ୍ର ବନ୍ଦ ହୋଇଯିବ। ସେତେବେଳେ ଏହି ଉତ୍ସବ କେବଳ ପ୍ରହସନ। କୋଭିଡର ଦ୍ବିତୀୟ ଲହର ଏବେ ସାରା ଦେଶରେ ଆତଙ୍କ ସୃଷ୍ଟି କଲାଣି। କିନ୍ତୁ ପ୍ରଧାନମନ୍ତ୍ରୀ ବିଳାସ ଛାଡ଼ିନାହାନ୍ତି। କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇ ଶ୍ରୀ ବେହେରା କହିଛନ୍ତି ଦିନକୁ ଟିକା ଉତ୍ପାଦନ ୩ ନିୟୁତ ପରିବର୍ତ୍ତେ ୧୦ ନିୟୁତକୁ ବୃଦ୍ଧି କରାଯାଉ। ଓଡ଼ିଶା ସରକାର କେବଳ ଚିଠି ଲେଖି ଦେଇ ଚୁପ ନ ବସନ୍ତୁ। ମୁଖ୍ୟମନ୍ତ୍ରୀ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏ ଦିଗରେ ଚେତାବନୀ ଦିଅନ୍ତୁ। ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଏହି ଗୁରୁତର ସଂକଟର ସମାଧାନ ପାଇଁ କଣ ଭୂମିକା ନିର୍ବାହ କରୁଛନ୍ତି ତାହା ରାଜ୍ୟବାସୀଙ୍କୁ ଜଣାନ୍ତୁ। ଓଡ଼ିଶାର ସ୍ବାର୍ଥ ପାଇଁ ଲଢ଼େଇ କରିବାକୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ କଂଗ୍ରେସ ଆହ୍ବାନ କରୁଥିବା ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe