ନୟାଗଡ଼ : କଂଗ୍ରେସ ନେତା ତଥା ନୟାଗଡ଼ ବ୍ଲକ୍ କଂଗ୍ରେସର ପ୍ରାକ୍ତନ ଉପସଭାପତି ପ୍ରଫୁଲ୍ଲ ମହାନ୍ତି ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ ପାଇଛି। ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଶାନ୍ତ ମଣ୍ଡଳ, ନିତ୍ୟାନନ୍ଦ ସାହୁ, ଶିବ କର ଓ ଆନନ୍ଦ ସାହୁଙ୍କୁ ଅତିରିକ୍ତ ଜିଲ୍ଲା ଜଜ୍ ଲିଲି ସେନାପତି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ ସମେତ ୫ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି।
ଇଟାମାଟି ଥାନା ଅଧୀନ ପୁରୁଷୋତ୍ତମପୁର ଗ୍ରାମର ପ୍ରଫୁଲ୍ଲଙ୍କୁ ୨୦୧୩ ଫେବ୍ରୁଆରି ୪ ତାରିଖରେ ପ୍ରଥମେ ଗୁଳି କରାଯାଇଥିଲା। ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିବା ବେଳେ, ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ମାମଲା ସରକାରଙ୍କ ପକ୍ଷରୁ ଆଇନଜୀବୀ ଅନୱର୍ ମଲ୍ଲିକ ପରିଚାଳନା କରୁଥିଲେ। ଅନୱରଙ୍କ କହିବା ଅନୁଯାୟୀ, ଏହି ଘଟଣାରେ ୯ ଜଣଙ୍କ ସଂପୃକ୍ତି ଅଭିଯୋଗ ଆସିଥିଲା। ସେମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଥିବା ନିରଞ୍ଜନ ଜେନାଙ୍କ ମୃତ୍ୟୁ ଘଟିସାରିଛି। ଅନ୍ୟତମ ଅଭିଯୁକ୍ତ ସହଦେବ ମଣ୍ଡଳର ମଧ୍ୟ ମୃତ୍ୟୁ ହୋଇସାରିଛି। ୪ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ, ବସନ୍ତ ସାହୁ, ରମାମଣି ଜେନା, ନିରଞ୍ଜନ ମଣ୍ଡଳ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ରାଜନୈତିକ ଶତ୍ରୁତା କାରଣରୁ ସେତେବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା। ଆମ ଦଳର ନେତାଙ୍କୁ ହତ୍ୟା କରାଯାଇଥିଲା ବୋଲି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ସୂଚନା ଦେଇଛନ୍ତି।
Follow Us