ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତର ପ୍ରତିବାଦ କରିଛି କଂଗ୍ରେସ। ରାଜ୍ୟରେ ମହିଳାଙ୍କ ସୁରକ୍ଷା ବିପନ୍ନ ହୋଇଥିବା ଅଭିଯୋଗ ଆଣି କଂଗ୍ରେସ ଭବନରେ ଶାନ୍ତିପୂର୍ଣ୍ଣ ଅନଶନ କରାଯାଇଛି। ଏଥିରେ ବହୁ କଂଗ୍ରେସ ନେତା ସାମିଲ ହୋଇଥିଲେ। ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରତିକାରମୂଳକ ପଦକ୍ଷେପ ଭାବେ ଗତକାଲି ରାତିରେ ଯୁବ ଓ ଛାତ୍ର କଂଗ୍ରେସ ନେତାମାନଙ୍କୁ ପୁଲିସ ଗିରଫ କରିଥିଲା। ଏହାର ମଧ୍ୟ ତୀବ୍ର ପ୍ରତିବାଦ କରିଛି କଂଗ୍ରେସ।
ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସର ବରିଷ୍ଠ ନେତା, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ପିସିସି କାର୍ଯ୍ୟକର୍ତ୍ତା ଓ କର୍ମୀ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଧର୍ମଘଟରେ ବସିଥିଲେ। ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ବିଜେପି ସରକାରକୁ ଆସିବାର ୧ବର୍ଷ ଭିତରେ ମହିଳା ଓ ଶିଶୁମାନଙ୍କ ଉପରେ ହିଂସା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ଘଟଣା ଚରମସୀମାରେ ପହଞ୍ଚିଛି ବୋଲି ଶ୍ରୀ ଦାସ ଅଭିଯୋଗ କରିଥିଲେ। ପୂର୍ବ ସରକାର ସମୟରେ ଦିନକୁ ୭ଜଣ ମହିଳା ଗଣଦୁଷ୍କର୍ମର ଶିକାର ହେଉଥିବା ବେଳେ ବିଗତ ୧ ବର୍ଷ ଭିତରେ ତାହା ବୃଦ୍ଧିପାଇ ବର୍ତ୍ତମାନ ଦିନକୁ ୧୫ ଜଣ ମହିଳା ଗଣଦୁଷ୍କର୍ମରେ ଶିକାର ହେଉଛନ୍ତି। ଗୋପାଳପୁରଠାରେ ଘଟିଥିବା ଲୋମହର୍ଷଣକାରୀ ଗଣଦୁଷ୍କର୍ମ ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝର ହରିଚନ୍ଦନପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ହତ୍ୟା କରିବା, ଅନୁରୂପ ଅବସ୍ଥା ବାରିପଦା, କେନ୍ଦ୍ରାପଡ଼ା, ପୁରୀ, ଅନୁଗୁଳ, କନ୍ଧମାଳ ଜିଲ୍ଲାରେ ଘଟିବା ରାଜ୍ୟ ସରକାରଙ୍କ ସ୍ଥାଣୁତାକୁ ପଦାରେ ପକାଇଛି ବୋଲି ପିସିସି ସଭାପତି କହିଥିଲେ।
ଶ୍ରୀ ଦାସ ଆହୁରି କହିଲେ, ୨୦୨୫ରେ ରାଜ୍ୟରେ ହଇଜା ବ୍ୟାପି ୨୪ରୁ ଅଧିକ ଲୋକଙ୍କର ପ୍ରାଣହାନି ଘଟିବା ସହ ୫ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ସରକାରଙ୍କ ପାଖରେ ଏହାକୁ ନିୟନ୍ତ୍ରଣ କରିବାପାଇଁ କୌଣସି ସମାଧାନ ନାହିଁ। ବିଜେପି ସରକାର ମା’ମାନଙ୍କର ସୁରକ୍ଷା ଓ ଝାଡ଼ାବାନ୍ତିରେ ପ୍ରାଣ ହରାଇଥିବା ଲୋକଙ୍କ ଶବ ଉପରେ ଉତ୍ସବ ପାଳନ କରୁଛି ବୋଲି ଶ୍ରୀ ଦାସ ତାଚ୍ଛଲ୍ୟ କରିଥିଲେ। ଅନଶନରେରେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ରାମଚନ୍ଦ୍ର ଖୁଣ୍ଟିଆ, ସୁରେଶ କୁମାର ରାଉତରାୟ, ପଞ୍ଚାନନ କାନୁନ୍ଗୋ, ଶିବାନନ୍ଦ ରାୟ, ଅନନ୍ତ ସେଠୀ, ସମୀର ରାଉତରାୟ, ଅମରନାଥ ପ୍ରଧାନ, ସିପ୍ରା ମଲ୍ଲିକ, ଶୁଭେନ୍ଦୁ ମହାନ୍ତି, ସିଦ୍ଧାର୍ଥ ସ୍ୱରୂପ ଦାଶ, ସୁଜିତ ପାଢ଼ୀ, ଯଶୋବନ୍ତ ସିଂ ଲାଗୁରି, ସୁଧାଂଶୁ ଶେଖର ଦେଓ, ରାଜେଶ ମିଶ୍ର, ନଗେନ୍ଦ୍ର ପ୍ରଧାନ, ଉଦିତ ପ୍ରଧାନ, ମନୋରଞ୍ଜନ ଦାଶ, ପ୍ରଶାନ୍ତ ଚମ୍ପତ୍ତି, ମାନସ ରଞ୍ଜନ ଆଚାର୍ଯ୍ୟ, ଅରବିନ୍ଦ ଦାସ, କିଷାନ ପଣ୍ଡା, ଦେବାଶିଷ ନାୟକ, ପ୍ରଶାନ୍ତ ଶତପଥୀ, ସୁବ୍ରତ ମହାପାତ୍ର, ବନ୍ଦିତା ପରିଡ଼ା, ମାନସ ନାୟକ, ରାଜୀବ ପଟ୍ଟନାୟକ, ବିଜୟାନନ୍ଦ ଚାଉଳିଆ, ପ୍ରକାଶ ଜେନା, ସୋନାଲି ସାହୁ, କୃଷ୍ଣଚନ୍ଦ୍ର ପତି, ପ୍ରକାଶ ମିଶ୍ର, ପ୍ରଦୀପ ମହାପାତ୍ର, ରଜନୀ ମହାନ୍ତି, ଦୀପକ ମହାପାତ୍ର, କୁସୁମ ପ୍ରଧାନ, ସନ୍ତୋଷ ନନ୍ଦ, ତାପସ ସେଠୀ, ଲିଙ୍ଗରାଜ ସାହୁ, ନଳିନୀକାନ୍ତ ନାୟକ, ପ୍ରଦୀପ୍ତ ସାହୁ, ଶ୍ରୀୟାସ୍ମିତା ପଣ୍ଡା, ସୁଶାନ୍ତ ତ୍ରିପାଠୀ, ନିରଞ୍ଜନ ଲେଙ୍କା, ନିରଞ୍ଜନ ନାୟକ, ସମସିଦା ତୟାବ, ମହମ୍ମଦ ଶାହାଦୁଲ୍ଲା, କୁଳମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Follow Us