ଆଜିଠୁ କଂଗ୍ରେସ ପଦଯାତ୍ରା

Advertisment

୬ଦିନ ଧରି ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ସମସ୍ତ ବିଧାନସଭା କ୍ଷେତ୍ରରେ ୭୫ କି.ମିର ପଦଯାତ୍ରା ଅନୁଷ୍ଠିତ ହେବ

୬ଦିନ ଧରି ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ସମସ୍ତ ବିଧାନସଭା କ୍ଷେତ୍ରରେ ୭୫ କି.ମିର ପଦଯାତ୍ରା ଅନୁଷ୍ଠିତ ହେବ

ହାତକୁ ଆଉ ବଳ ପାଉନି: ଶରତ ଦେଖାଇଛନ୍ତି ୯ରୁ ୯୦ ଆସନ ସ୍ବପ୍ନ

ଭୁବନେଶ୍ବର : ଅଗଷ୍ଟ ୯ କ୍ରାନ୍ତି ଦିବସରୁ ରାଜ୍ୟବ୍ୟାପୀ ପଦଯାତ୍ରା ଆରମ୍ଭ କରିବ କଂଗ୍ରେସ। ଅଖିଳ ଭାରତ ଜାତୀୟ କଂଗ୍ରେସ କମିଟିର ନିର୍ଦେଶ ଅନୁଯାୟୀ ୬ଦିନ ଧରି ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ସମସ୍ତ ବିଧାନସଭା କ୍ଷେତ୍ରରେ ୭୫ କି.ମିର ପଦଯାତ୍ରା ଅନୁଷ୍ଠିତ ହେବ। କଂଗ୍ରେସ କର୍ମୀ, ନେତୃବୃନ୍ଦ ଓ ଶୁଭେଚ୍ଛୁମାନେ ଏହି ପଦଯାତ୍ରାରେ ସାମିଲ ହେବେ। ଏଥିପାଇଁ ପ୍ରସ୍ତୁତି ବୈଠକ ଶେଷ ହୋଇଥିବା ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ।

ସୋମବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ, ଭାରତଛାଡ଼ ଆନ୍ଦୋଳନର ଅବ୍ୟବହିତ ପୂର୍ବରୁ ସ୍ବାଧୀନତା ପାଇଁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ବମ୍ବେ ଅଧିବେଶନରେ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଅତ୍ୟାଚାରୀ ବ୍ରିଟିସ ସରକାର ବିରୋଧରେ ଛାତ୍ରଛାତ୍ରୀ, କୃଷକ, ଶ୍ରମିକ, ମହିଳା ଓ ବୁଦ୍ଧିଜୀବୀମାନଙ୍କ ବଳିଦାନ ପରେ ଏ ଦେଶକୁ ସ୍ବାଧୀନତା ମିଳିଥିଲା। ହେଲେ ସ୍ବାଧୀନତାର ୭୫ବର୍ଷ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା କରିବାରେ ବିଫଳ ହୋଇଛନ୍ତି। ଗତ ୮ବର୍ଷ ଭିତରେ କଂଗ୍ରେସ ସମୟ‌ରେ ତିଆରି ହୋଇଥିବା ଜାତୀୟ ସଂପତ୍ତିକୁ ମୋଦୀ ସରକାର ବିକ୍ରି କରିବା ଛଡ଼ା ଗୋଟିଏ ଜାତୀୟ ସଂପତ୍ତି ସୃଷ୍ଟି କରାଯାଇ ନାହିଁ। ଆଜି ଦେଶକୁ ଜାତି ଧର୍ମ ନାଁରେ ଭାଗ ଭାଗ କରାଯାଉଛି। ହିଂସା, ଦ୍ବେଷ ଓ ଘୃଣାର ମଞ୍ଜି ପୋତା ଯାଉଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନିତ କରାଯାଉଛି। ଗରିବ ଲୋକଙ୍କ ଉପରେ ଟିକସ ପରେ ଟିକସ ଲଦା ଯାଉଛି।

ସେହିପରି ଓଡ଼ିଶାରେ ଦୀର୍ଘ ୨୨ବର୍ଷର ଶାସନ ଭିତରେ ରାଜ୍ୟ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଭଳି କ୍ଷେତ୍ରରେ ବହୁ ପଛରେ ରହିଛି। ଡାକ୍ତରଖାନା ଅଛି ହେଲେ ଡାକ୍ତର ନାହାନ୍ତି, ସ୍କୁଲ ଅଛି ଶିକ୍ଷକ ନାହାନ୍ତି। ଲକ୍ଷ ଲକ୍ଷ ଲୋକ ନିଜର ଭିଟା ମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଖଟିବାକୁ ଯାଉଛନ୍ତି। କହିବାକୁ ଗଲେ ନବୀନ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି। ତେଣୁ ଦେଶକୁ ବଞ୍ଚାଇବା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବା ଲାଗି ଦଳ ପକ୍ଷରୁ ଏହି ପଦଯାତ୍ରା କରାଯାଉଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି।
ଅଖିଳ ଭାରତ ଜାତୀୟ କଂଗ୍ରେସର ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଜି.ରୁଦ୍ର ରାଜୁ କହିଲେ, ବ୍ଲକ୍‌ଠାରୁ ଆରମ୍ଭ କରି ରାଜ୍ୟସ୍ତରରେ ଥିବା ନେତୃବୃନ୍ଦ ୭୫କି.ମିର ଏହି ପଦଯାତ୍ରାରେ ସାମିଲ ହେବାକୁ ନିର୍ଦେଶ ଦିଆଯାଇଛି। ପଦଯାତ୍ରା ଶେଷ ହେବା ପରେ ସ୍ବାଧୀନତା ଦିବସରେ କଂଗ୍ରେସ ଭବନରେ ଏହାର ସଫଳତା ନେଇ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍‌ର ଆବାହକ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe