ଭୁବନେଶ୍ବର : ତାଲା ବନ୍ଦ ସମୟରେ ନୟାଗଡ଼ ଜିଲ୍ଲାର ୪୬ ବର୍ଷୀୟା ମହିଳା ଦୁଖି ଯାନୀଙ୍କ ଅନାହାର ମୃତ୍ୟୁ ଅଭିଯୋଗ ଘଟଣାରେ କଂଗ୍ରେସ ଆଜି ରାଜ୍ୟ ମାନବାଧିକାର କମିସନଙ୍କ ପାଖରେ ଫେରାଦ ଦେଇଛି। ଏହାସହିତ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣାରେ ବି ଦଳ ପକ୍ଷରୁ କମିସନଙ୍କ ପାଖରେ ପିଟିସନ୍ ଦାୟର କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ବିପିନ୍ ଦାସଙ୍କ ନେତୃତ୍ବରେ ଦଳର ଏକ ୭ ଜଣିଆ ପ୍ରତିନିଧିମଣ୍ଡଳି ଅନାହାର ମୃତ୍ୟୁର ବିଧିବଦ୍ଧ ତଦନ୍ତ ଏବଂ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିସନଙ୍କୁ ଅନୁରୋଧ କରିଛନ୍ତି।
କଂଗ୍ରେସ ନେତା ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର ଦାୟର କରିଥିବା ଆବେଦନ ପତ୍ରରେ ଦର୍ଶାଇଛନ୍ତି, ୫ ମାସ ଲକ୍ଡାଉନ୍ ଅବଧି ଭିତରେ ପୀଡ଼ିତାଙ୍କୁ କେବଳ ୧୫ କେଜି ଚାଉଳ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିଲା। ଏପରିକି ମନରେଗା ଯୋଜନାରେ ମଧ୍ୟ ତାଙ୍କୁ ସରକାର ସାମିଲ କରିନଥିଲେ। ୨୦୧୮ ନଭେମ୍ବର ପରଠାରୁ ତାଙ୍କୁ ସରକାରଙ୍କର କୌଣସି ଜନମଙ୍ଗଳକାରୀ ଯୋଜନା ଓ ସାମାଜିକ ନିରାପତ୍ତା ଯୋଜନାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇ ନଥିଲା। ସରକାର ପୀଡ଼ିତାଙ୍କ ମାନବାଧିକାରକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଏହାସହିତ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ପୁଲିସର ବରିଷ୍ଠ ଅଧିକାରୀଙ୍କ ଦ୍ବାରା ଜଣେ ନାବାଳିକା ଦୁଷ୍କର୍ମ ଘଟଣାରେ କେବଳ ଦୁଇଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ ସହିତ ଅନ୍ୟ ଅଧିକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ଦଳ ପକ୍ଷରୁ ଏ ସଂକ୍ରାନ୍ତରେ ମାନବାଧିକାର କମିସନଙ୍କ ପାଖରେ ଆଉ ଗୋଟିଏ ଆବେଦନ କରାଯାଇଛି। ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଜିନେଶ ଦାସ, ରଞ୍ଜିତ ଦାଶ, ଅମିତା ବିଶ୍ବାଳ, ଅମୀୟ ପାଣ୍ଡବ, ମନୋଜ ସାହୁ ଓ ପ୍ରଦୀପ ମହାପାତ୍ର ପ୍ରମୁଖ ସାମିଲ ଥିଲେ।
Follow Us