ଦରବୃଦ୍ଧି, ବେକାରୀକୁ ପ୍ରସଙ୍ଗ କଲା କଂଗ୍ରେସ: ୧୭ରୁ ରାଜ୍ୟବ୍ୟାପୀ ସଚେତନା ସୃଷ୍ଟି କରିବ

Advertisment

୨୮ ତାରିଖ କଂଗ୍ରେସର ଦିଲ୍ଲୀ ଚଲ୍ଲୋ ଡାକରା

୨୮ ତାରିଖ କଂଗ୍ରେସର ଦିଲ୍ଲୀ ଚଲ୍ଲୋ ଡାକରା

ଦରବୃଦ୍ଧି, ବେକାରୀକୁ ପ୍ରସଙ୍ଗ କଲା କଂଗ୍ରେସ: ୧୭ରୁ ରାଜ୍ୟବ୍ୟାପୀ ସଚେତନା ସୃଷ୍ଟି କରିବ

ଭୁବନେଶ୍ବର : ଦରଦାମ ବୃଦ୍ଧି ଓ ଉତ୍କଟ ବେକାରୀ ସମସ୍ୟାକୁ ନେଇ ନେଇ ଚର୍ଚା କରିବ କଂଗ୍ରେସ। ଆସନ୍ତା ୧୭ ତାରିଖରୁ ୨୩ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀର ଜନଗହଳି ସ୍ଥାନ, ମଣ୍ଡି, ହାଟ ଆଦିରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଚାରପତ୍ର ବାଣ୍ଟି ସଚେତନା ସୃଷ୍ଟି କରିବ। ଏହାସହ ଆସନ୍ତା ୨୮ ତାରିଖ ଦିଲ୍ଲୀର ରାମଲୀଳା ମୈଦାନରେ ମହଙ୍ଗାଇ ପର୍ ହଲ୍ଲା ବୋଲ୍- ଚାଲୋ ଦିଲ୍ଲୀ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ, ମୋଦୀ ସରକାରଙ୍କ ଜନବିରୋଧୀ ନୀତି ତଥା ଆର୍ଥିକ ପରିଚାଳନାରେ ବିଫଳତା ଯୋଗୁଁ ଦେଶରେ ଅହେତୁକ ଦରବୃଦ୍ଧି ଘଟିଛି। ୨୦୧୪ ମସିହାରେ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨ କୋଟି ଚାକିରି, ସମସ୍ତଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ଜମା ଓ ଦରବୃଦ୍ଧି ଉପରେ ନିୟନ୍ତ୍ରଣ କରିବା ପାଇଁ ଅନେକ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସମସ୍ତ ପ୍ରତିଶ୍ରୁତିକୁ ରକ୍ଷା କରିବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ୨୦୧୪ ତୁଳନାରେ ପେଟ୍ରୋଲ, ଡିଜେଲ ଦାମ ଅହେତକୁ ବୃଦ୍ଧି ପାଇଛି। ରନ୍ଧନ ଗ୍ୟାସର ମୂଲ୍ୟ ୪୧୦ଟଙ୍କାରୁ ଏବେ ୧୦୮୦ରେ ପହଞ୍ଚିଲାଣି। କେନ୍ଦ୍ର ସରକାର ସଦ୍ୟତମ ଜିଏସଟି କାଉନସିଲ୍‌ ବୈଠକରେ ଅଟା, ଗୁଡ଼, ଖଇ, ଚୁଡ଼ା, ମୁଢ଼ି, ପନିର, ଦହି ଓ ପେନସିଲ କଟର ନୋଟ ଖାତା ଉପରେ ୫% ଜିଏସଟି ଲଗାଇଛନ୍ତି। କେନ୍ଦ୍ର ସରକାର ୨୦୨୧ -୨୨ ଆର୍ଥିକ ବର୍ଷରେ ୨୭.୭ ଲକ୍ଷ କୋଟି ଟଙ୍କା କର ଆଦାୟ କରିଛନ୍ତି। କିନ୍ତୁ ଧାର୍ଯ୍ୟ ଲକ୍ଷ୍ୟ ଥିଲା ୨୨ଲକ୍ଷ କୋଟି। ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଟିକସ କେନ୍ଦ୍ର ସରକାର ଆଦାୟ କରୁଥିବା ବେଳେ ଦରଦାମ ବଢ଼ୁଛି କାହିଁକି?

ସେହିପରି କେନ୍ଦ୍ର ସରକାର ଯୁବକ/ଯୁବତୀମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। କେନ୍ଦ୍ର ସରକାରଙ୍କର ଏ ସମସ୍ତ ଜନବିରୋଧୀ ନିଷ୍ପତିକୁ ଓଡ଼ିଶା ସରକାର ସଲାସୁତରାରେ ସମର୍ଥନ କରିଚାଲିଛନ୍ତି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଜନସାଧାରଣଙ୍କ ପ୍ରତି ପ୍ରତାରଣା କରୁଛନ୍ତି। କେନ୍ଦ୍ର ସରକାରଙ୍କ ଏହି ପ୍ରତାରଣା ବିରୋଧରେ କଂଗ୍ରେସ ନିଜର ସଂଗ୍ରାମ ଜାରି ରଖିଛି। ଚଳିତମାସ ୫ ତାରିଖରେ ଦଳ ପକ୍ଷରୁ ରାଜଭବନ ଘେରାଉ କରିଥିବା ବେଳେ ରାଜ୍ୟବ୍ୟାପୀ ପ୍ରତ୍ୟେକ ଜିଲ୍ଲାରେ ସଫଳତାର ସହ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପଦଯାତ୍ରା କାର୍ଯ୍ୟକ୍ରମ ଜାରି ରହିଥିବା ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଓ ଆବାହକ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe