ଭୁବନେଶ୍ବର: ଆସନ୍ତା ୨୮ତାରିଖରେ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ‘ସମ୍ବିଧାନ ବଞ୍ଚାଅ ଦିବସ’ ପାଳନ କରିବ କଂଗ୍ରେସ। ଆସନ୍ତା ମେ’ ୩ରୁ ୧୦ତାରିଖ ଯାଏ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହାକୁ ପାଳନ କରାଯିବ। ସେହିପରି ମେ’ ୧୧ରୁ ୧୭ତାରିଖ ଯାଏ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ଓ ୨୦ରୁ ୩୦ତାରିଖ ଯାଏ କଂଗ୍ରେସ କାର୍ଯ୍ୟକର୍ତ୍ତା ରାଜ୍ୟର ପ୍ରତ୍ୟେକ ଘରକୁ ଘର ଯାଇ ଏହି ଦିବସ ସଂପର୍କରେ ଲୋକଙ୍କୁ ସଚେତନ କରିବେ। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ।
ଶ୍ରୀ ଲଲ୍ଲୁ କହିଥିଲେ ଯେ ଦେଶବ୍ୟାପୀ ଦଳିତ, ଆଦିବାସୀ ଓ ଅନ୍ୟ ପଛୁଆବର୍ଗଙ୍କୁ ତାଙ୍କର ଦାବି ଓ ଅଧିକାର ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅହରହ ସଂଗ୍ରାମ ଜାରି ରଖିଛନ୍ତି। ଏଥିପାଇଁ ଆକ୍ରୋଶମୂଳକ ଭାବେ ତାଙ୍କୁ ମିଛ ମାମଲାରେ ହଇରାଣ କରିବା ପାଇଁ ମୋଦୀ ସରକାର ଚେଷ୍ଟା କରୁଛନ୍ତି। ଓଡ଼ିଶାରେ ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କୁ ପୂର୍ବର ବିଜେଡି ସରକାର ଓ ବର୍ତ୍ତମାନର ବିଜେପି ସରକାର କ୍ରମାଗତ ଭାବରେ ଅବହେଳା ପ୍ରଦର୍ଶନ କରୁଛନ୍ତି। ଓଡ଼ିଶାରେ ଓବିସିଙ୍କ ଜନସଂଖ୍ୟା ୫୪% ଥିବା ବେଳେ ମଣ୍ଡଳ କମିସନଙ୍କ ସୁପାରିସ ଅନୁସାରେ ୨୭% ସଂରକ୍ଷଣ ବ୍ୟବସ୍ଥା କରାଯିବା କଥା। ମାତ୍ର ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ମିଳୁନାହିଁ। ଓଡ଼ିଶାରେ କଂଗ୍ରେସ ସରକାର ଥିବା ସମୟରେ ଓବିସି ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ସୁବିଧା ଥିଲା। ୨୦୦୭ ମସିହାରେ ବିଜେଡି ସରକାର ଏହାକୁ ଉଚ୍ଛେଦ କରିଦେଲେ। ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ଆସିଲା ପରେ ଓବିସିଙ୍କ ପ୍ରତି କ୍ରମାଗତ ଅବହେଳା ଜାରି ରହିଥିବା ସେ କହିଛନ୍ତି।
ପିସିସି ସଭାପତି ଭକ୍ତଚରଣ ଦାସ କହିଲେ, ମୟୂରଭଞ୍ଜ ଜିଲ୍ଲା ସମେତ ଅନ୍ୟ ଆଦିବାସୀ ବହୁଳ ଜିଲ୍ଲା ଗୁଡ଼ିକରେ ବିଜେପିର କମ୍ପାନି ପ୍ରୀତି ପାଇଁ ଆଦିବାସୀଙ୍କର ଭିଟାମାଟି ହଡ଼ପ ପାଇଁ ଚକ୍ରାନ୍ତ ଚାଲିଛି। ରାଜ୍ୟ ଜଙ୍ଗଲ ଆଇନ ଅନୁସାରେ ଆଦିବାସୀଙ୍କୁ ଜମିପଟ୍ଟା ଦେବାର ବ୍ୟବସ୍ଥା ଥିବା ବେଳେ ବିଜେପି ସରକାର ସେମାନଙ୍କ ଜମି ହଡ଼ପ କରିବା ନିନ୍ଦନୀୟ। ରାଜ୍ୟରେ ମହିଳାମାନଙ୍କ ଉପରେ ହେଉଥିବା ହିଂସା ଓ ଅତ୍ୟାଚାର କମିବାର ନାଁ ଧରୁନାହିଁ। ଏଥିପାଇଁ ରାଜ୍ୟ ବିଜେପି ସରକାରର ଉଦାସୀନତା ହିଁ ଦାୟୀ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଲେ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାରରେ ଆଦିବାସୀମାନେ ସଂପୂର୍ଣ ଭାବରେ ଅସୁରକ୍ଷିତ। ଦେଶର ଦ୍ୱିତୀୟ ସର୍ବାଧିକ ଆଦିବାସୀ ବହୁଳ ରାଜ୍ୟ ହେଉଛି ଓଡ଼ିଶା। ପେଷା ଆଇନ ସମଗ୍ର ଦେଶରେ ଅନେକ ରାଜ୍ୟରେ ଲାଗୁ ହୋଇସାରିଥିଲେ ବି ଓଡ଼ିଶାରେ ବିଜେପି ସରକାର ଜାଣିଶୁଣି ଏହି ଆଇନକୁ ଲାଗୁ କରୁନାହାନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ ହୋଇ ମଧ୍ୟ ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କୌଣସି କାର୍ଯ୍ୟ ହାତକୁ ନ ନେବା ନିନ୍ଦନୀୟ। ରାଇରଙ୍ଗପୁରରେ ଅଦାନୀ କରୁଥିବା ଏୟାରଷ୍ଟ୍ରିପ୍ ପାଇଁ କୌଣସି ଗ୍ରାମ ସଭା ନ କରି ସାଧାରଣ ଆଦିବାସୀଙ୍କ ଘର ଭାଙ୍ଗିବା ଓ ଜଙ୍ଗଲ ଜମି କମ୍ପାନି ହାତକୁ ଟେକି ଦେବା ସଂପୂର୍ଣ୍ଣ ବେଆଇନ ବୋଲି ସେ କହିଥିଲେ।
Follow Us