ବରଗଡ଼/ପଦ୍ମପୁର: ବିଜେପୁର ଉପନିର୍ବାଚନ ପାଇଁ ଅଚାନକ ଟିକେଟ୍ ପାଇଥିବା ପ୍ରଣୟ ସାହୁ ମଂଗଳବାର ପଦ୍ମପୁର ଉପଜିଲ୍ଲାପାଳଙ୍କ ପାଖରେ ନାମାଙ୍କନ ଦାଖଲ କରିଛନ୍ତି। ବିଜେପି, ବିଜେଡି ଭଳି କଂଗ୍ରେସ ମଧ୍ୟ ନାମାଙ୍କନ ଆଳରେ ନିଜର ଶକ୍ତି ପ୍ରଦର୍ଶନ କରି ରଣହୁଙ୍କାର ଦେଇଛି। ସକାଳୁ ଗାଇସିଲାଟ୍, ବରପାଲି ଏବଂ ବିଜେପୁର ବ୍ଲକରୁ କର୍ମୀମାନେ ଗାଡ଼ିରେ ଆସି ପଦ୍ମପୁର ପହଂଚିଥିଲେ। ପ୍ରଥମେ ଆର୍ଏମ୍ସି ମାର୍କେଟ ୟାର୍ଡ ଠାରେ ଅନୁଷ୍ଠିତ ହୋଇଥିଲା ସାଧାରଣ ସଭା। ବିଜେପୁର କଂଗ୍ରେସର ଗଡ଼ ଥିଲା। ଆଗକୁ ବି ଗଡ଼ ହୋଇ ରହିବ। ସୁବଳ ସାହୁଙ୍କ ବିୟୋଗ ପରେ ସମବେଦନା ଭୋଟ୍ ଦଳ ଡେଇଁଥିବା ତାଙ୍କ ପତ୍ନୀ ରୀତାଙ୍କ ସପକ୍ଷରେ ଯିବ ନାହିଁ। ବରଂ କଂଗ୍ରେସ ଉପରେ ଆସ୍ଥା ରଖିଥିବା ସୁବଳ ପ୍ରେମୀମାନେ ବିଜୟର ସୂତ୍ରଧର ହେବେ। ବୃହତ୍ ବ୍ୟବଧାନରେ କଂଗ୍ରେସ ବିଜୟ ଲାଭ କରି ନିଜ ଗଡ଼ ସୁରକ୍ଷିତ ରଖିବ ବୋଲି ନେତାମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହାପରେ ଏକ ବିରାଟ ପଟୁଆର ବାହରିଥିଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ। ବଜାଗଜା ସହ ହଜାର ହଜାର କର୍ମୀ ଏଥିରେ ସାମିଲ ହୋଇଥିଲେ। ଏହାପରେ ପ୍ରଣୟ ସାହୁ ନାମାଙ୍କନ ଦାଖଲ କରିଥିଲେ। ସାଧାରଣ ସଭାରୁ ନାମାଙ୍କନ ଯାଏଁ ଅନ୍ୟତମ ଟିକେଟ ଦାବିଦାର ତଥା ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କୁ ପ୍ରଣୟଙ୍କ ପାଖେପାଖେ ଦେଖିବାକୁ ମିଳିଥିଲା। ଏହାଦ୍ୱାରା ପ୍ରାର୍ଥିତ୍ୱକୁ ନେଇ କିଛି ବିବାଦ ନଥିବା ଏବଂ ଏକାଠି ମିଶି ନିର୍ବାଚନ ଲଢ଼ିବାକୁ କଂଗ୍ରେସ ଛବି ପ୍ରସ୍ତୁତ କରିଥିଲା। ଶୋଭାଯାତ୍ରାରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ସାଂସଦ ପ୍ରଦୀପ ମାଝୀ, ତାରା ବାହିନୀପତି, ସୁର ରାଉତରାୟ, ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ଓଡ଼ିଶା ପ୍ରଭାରୀ ଶୁଭଙ୍କର ସରକାର, ପ୍ରକାଶ ଦେବତା, ସଂଜୟ ଭୋଇ, ଶୁଭେନ୍ଦୁ ମହାନ୍ତି, ହମିଦ ହୁସେନ, କିଶୋର ପଟେଲ, ସାଧୁ ନେପାକ, ନିହାର ମହାନନ୍ଦ, ଅନନ୍ତ ଶୟନ ପାଢ଼ୀ, ଅଶ୍ୱିନୀ ଗୁରୁ, ବାପି ସର୍ଖେଲ, ସମରେନ୍ଦ୍ର ମିଶ୍ର, ଡା. ପ୍ରକାଶ ତ୍ରିପାଠୀ, ସତ୍ୟନାରାୟଣ ଦେବତା, ଯୁଗଳ ପ୍ରସାଦ ସିଂ, ଆନନ୍ଦ ପ୍ରଧାନ ପ୍ରମୁଖ ସାଧାରଣ ସଭାରେ ଉପସ୍ଥିତ ରହି ଉଦ୍ବୋଧନ ଦେଇଥିଲେ।
ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ: ପ୍ରଣୟଙ୍କ ନାମାଙ୍କନ ଦାଖଲ
Advertisment
Follow Us