ଭୁବନେଶ୍ବର : ତିତ୍ଲି ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତିର ମୁକାବିଲା କରିବା ଏବଂ କ୍ଷତିଗ୍ରସ୍ତଙ୍କୁ ଉଦ୍ଧାର କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। ସମ୍ଭାବ୍ୟ ବାତ୍ୟା ପାଇଁ ଆଗୁଆ ପ୍ରସ୍ତୁତ ଥିଲେ ମଧ୍ୟ ଏହାର ପରବର୍ତୀ ସ୍ଥିତି ପ୍ରତି ସଜାଗ ରହିଲେ ନାହିଁ। ଫଳରେ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଆଦି ଜିଲ୍ଲାରେ ବର୍ଷା ଜନିତ ବନ୍ୟା ଏବେ ଗମ୍ଭୀର ରୂପ ଧାରଣ କରିଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି।
ଏକ ପ୍ରେସ ବିବୃତି ଜରିଆରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ବାତ୍ୟା ସ୍ଥଳଭାଗ ଛୁଇଁବା ପରେ କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଥିଲା। ସେହି ସମସ୍ତ ଜିଲ୍ଲାରେ ଆଗୁଆ ଏକାଧିକ ଏନ୍ଡିଆର୍ଏଫ୍ ଏବଂ ଓଡ୍ରାଫ୍ ଟିମ୍ ମୁତୟନ କରିବା ଆବଶ୍ୟକ ଥିଲା। କିନ୍ତୁ ସରକାରଙ୍କ ତରଫରୁ ସେପରି କୌଣସି ବ୍ୟବସ୍ଥା ଗ୍ରହଣ କରାଗଲା ନାହିଁ। ଫଳରେ ଏବେ ଶତାଧିକ ପଞ୍ଚାୟତର ଲୋକମାନେ ପାଣିଘେରରେ ରହିଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ରିଲିଫ ଯୋଗାଇବା ସହ ଗୃହପାଳିତ ପଶୁମାନଙ୍କୁ ଖାଦ୍ୟ ଏବଂ ନିରାପଦ ସ୍ଥାନକୁ ଆଣିବାର ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି। ଏହା ଛଡ଼ା କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଉଦ୍ଦାର ଏବଂ ରିଲିଫ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଦରକାର ବୋଲି ସେ କହିଛନ୍ତି।
Follow Us