ଛତିଶଗଡ଼ ମଡେଲ୍‌ ଆପଣାଇବ ଓଡ଼ିଶା କଂଗ୍ରେସ

Advertisment

ମାର୍ଚ ପ୍ରଥମ ସପ୍ତାହରେ ଇସ୍ତାହାର

ମାର୍ଚ ପ୍ରଥମ ସପ୍ତାହରେ ଇସ୍ତାହାର

ଯୁବପିଢ଼ି ସ୍ବାଧୀନତାର ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖନ୍ତୁ

ଭୁବନେଶ୍ବର : ଜଗତ୍‌ସିଂହପୁର ନିର୍ବାଚନମଣ୍ଡଳୀରେ ଛତିଶଗଡ଼ ରାଜ୍ୟ କଂଗ୍ରେସ ଇସ୍ତାହାରକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯାଇଛି। ଏଥିରେ ଆଶାନୁରୂପକ ସଫଳତା ମିଳିବା ପରେ ସେହି ‌ମଡେଲ୍‌କୁ ଓଡ଼ିଶା କଂଗ୍ରେସ ଗ୍ରହଣ କରିବ ବୋଲି ଆପାତତଃ ସ୍ଥିର ହୋଇଛି।

ଆଜି କଂଗ୍ରେସ ଭବନରେ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଗଣେଶ୍ବର ବେହେରାଙ୍କ ଅନୁଷ୍ଠିତ ବୈଠକର ହୋଇଥିବା ଆଲୋଚନାରୁ ଏଭଳି ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ଛତିଶଗଡ଼ ‌ଇସ୍ତାହାର ମଡେଲ୍‌କୁ ରାଜ୍ୟ କଂଗ୍ରେସ ଆପଣାଇଛି। ଏହା ମାଧ୍ୟମରେ କଂଗ୍ରେସ ଲୋକଙ୍କ ନିକଟକୁ ଯିବ। ସେମାନଙ୍କ ମତାମତ ସଂଗ୍ରହ କରି ଇସ୍ତାହାର ପ୍ରସ୍ତୁତ କରାଯିବ। ତେବେ ଛତିଶଗଡ଼ ଇସ୍ତାହାରର କେଉଁ ପ୍ରସଙ୍ଗକୁ ଓଡ଼ିଶାର ଦଳୀୟ ଇସ୍ତାହାରରେ ସ୍ଥାନିତ କରାଯିବ ସେ ନେଇ ଖୁବଶୀଘ୍ର ଚୂଡ଼ାନ୍ତ ହେବ।

ଇସ୍ତାହାର କମିଟି ଆବାହକ ବିସ୍ମୟ ମହାପାତ୍ରଙ୍କ କହିବାନୁସାରେ ଛତିଶଗଡ଼ କଂଗ୍ରେସର ଜନଘୋଷଣା ପତ୍ର ସେଠାକାର ରାଜ୍ୟ କଂଗ୍ରେସ ପାଇଁ ବିଜୟର ଦ୍ବାର ଖୋଲି ଦେଇଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟ କଂଗ୍ରେସ ଦଳ ପାରମ୍ପରିକ ଇସ୍ତାହାର ନ କରି ଛତିଶଗଡ଼ ମଡେଲ୍‌ ଅନୁଯାୟୀ ଲୋକାଭିମୁଖୀ ଇସ୍ତାହାର କରିବାକୁ ଯାଉଛି। ଛତିଶଗଡ଼ର ଇସ୍ତାହାରକୁ ଜଗତ୍‌ସିଂହପୁରରେ ପରୀକ୍ଷା କରାଯାଇଥିଲା। ସେଥିରୁ ସଫଳତା ମିଳିଛି।

ଆଜି ଅନୁଷ୍ଠିତ ଇସ୍ତାହାର କମିଟି ବୈଠକରେ ଛତିଶଗଡ଼ ରାଜ୍ୟ କଂଗ୍ରେସର ଇସ୍ତାହାର ପ୍ରସ୍ତୁତିରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ପଙ୍କଜ ସିଂହ ଓ ଅନ୍ୟ ୨ଜଣ କର୍ମକର୍ତା, ରାଜ୍ୟ କମିଟିର କର୍ମକର୍ତାମାନଙ୍କ ସହିତ ୨୧ଟି ଲୋକସଭା ଆସନରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଲୋକସଭା ନିର୍ବାଚନ ମଣ୍ଡଳୀମାନଙ୍କର ପ୍ରତିନିଧିମାନଙ୍କୁ ସଂପୃକ୍ତ ଲୋକସଭା ଓ ସେହି ଆସନ ଅନ୍ତର୍ଗତ ସମସ୍ତ ବିଧାନସଭା କ୍ଷେତ୍ର ନିମନ୍ତେ ସଂଯୋଜକ ଭାବେ ଦାୟିତ୍ବ ଦିଆଯାଇଛି। ସେମାନେ ବିଭିନ୍ନ ବର୍ଗର ଲୋକମାନଙ୍କଠାରୁ ମତାମତ ସଂଗ୍ରହ କରିବେ। ଚଳିତ ମାସ ଶେଷ ସୁଦ୍ଧା ସେମାନେ ଲୋକମାନଙ୍କ ମତାମତ ପ୍ରଦାନ କରିବେ। ସେହି ମତାମତ ଓ ରାଜ୍ୟ କଂଗ୍ରେସର ଗବେଷଣା କେନ୍ଦ୍ରର ଚିଠା ଆଧାରରେ ଦଳୀୟ ଇସ୍ତାହାର ଚିଠା ଚୂଡ଼ାନ୍ତ ହେବ। ମାର୍ଚ ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସ କମିଟିର ଇସ୍ତାହାର ପ୍ରକାଶ ପାଇବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ପ୍ରସ୍ତାବିତ ଇସ୍ତାହାରରେ ଚାଷ ଓ ଚାଷୀ ପ୍ରସଙ୍ଗରେ କୃଷି ଋଣଛାଡ଼, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ୍‌ ପିଛା ୨୬୦୦ ଟଙ୍କା, ଚାଷୀଙ୍କୁ ୫ ବର୍ଷ ଯାଏଁ ସହାୟତା, ସୋଲାର ପମ୍ପ ଯୋଗାଣ, ପ୍ରତ୍ୟେକ ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ; ବେକାର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ, ମହିଳାଙ୍କୁ ଆର୍ଥିକ ସହାୟତା ବ୍ୟତୀତ ସେମାନଙ୍କୁ ସଶକ୍ତୀକରଣ କରି ସେମାନଙ୍କ ମାଧ୍ୟମରେ ରାଜ୍ୟରେ ମହିଳା ହିଂସା ହାର ହ୍ରାସ ଭଳି ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe